୩ ରାଜ୍ୟର ବିଧାନସଭା ଉପନିର୍ବାଚନ ଲାଗି ଜାରି ହେଲା ବିଜେପିର ପ୍ରାର୍ଥୀ ତାଲିକା, ଜାଣନ୍ତୁ ଆଗାମୀ ଉପନିର୍ବାଚନ କେଉଁ ରାଜ୍ୟରେ?

Published By : Prameya-News7 Bureau | October 03, 2021 IST

ନୂଆଦିଲ୍ଲୀ ୩।୧୦: ବିଜେପି ରବିବାର ମହାରାଷ୍ଟ୍ର, ମିଜୋରାମ ଓ ତେଲେଙ୍ଗାନା ଉପନିର୍ବାଚନ ଲାଗି ନିଜର ପ୍ରାର୍ଥୀ ତାଲିକା ଜାରି କରିଛି। ତେଲେଙ୍ଗାନାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଇ.ରାଜେନ୍ଦ୍ରଙ୍କୁ ହୁଜୁରାବାଦ ଆଶନରୁ ଦଳ ପ୍ରାର୍ଥୀ କରିଛି। ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅଋଣ ସିଂହ ଏକ ବୟାନରେ କହିଛନ୍ତି ଯେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ମହାରାଷ୍ଟ୍ର, ମିଜୋରାମ ଓ ତେଲେଙ୍ଗାନା ଲାଗି ନିମ୍ନ ଲିଖିତ ନାମ ଚୂଡାନ୍ତ କରିଛନ୍ତି।

ଏଥିରେ ମହାରାଷ୍ଟ୍ର ଦେଗଲୁର (ଏସସି) ବିଧାନସଭା ଆସନ ଲାଗି ସୁଭାଷ ପିରାଜୀରାଓ ସାୱନେଙ୍କୁ ପ୍ରାର୍ଥୀ କରିଥିବା ବେଳେ ମିଜୋରାମର ତୁଇରିଆଲ (ଏସଟି) ଆସନ ଲାଗି ଲାଦିନ୍ଥରାଙ୍କୁ ପ୍ରାର୍ଥୀ କରିଛି। ଇ. ରାଜେନ୍ଦ୍ର ଗତ ଜୁନ ମାସରେ ଟିଆରଏସରୁ ଇସ୍ତଫା ଦେଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଗତ ସେପ୍ଟେମ୍ବର ୨୮ ତାରିଖରେ ନିର୍ବାଚନ ଆୟୋଗ ଦାଦରା ନଗରହାଭେଲୀ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶର ୩ ସଂସଦୀୟ କ୍ଷେତ୍ରରେ ଖାଲିପଡିଥିବା ପଦବୀ ଲାଗି ନିର୍ବାଚନ ଘୋଷଣା କରିଥିଲେ। ଏଥିରେ ବିବିନ୍ନ ରାଜ୍ୟରେ ଖାଲିଥିବା ୩୦ ବିଧାନସଭା ଆସନ ଲାଗି ମଧ୍ୟ ଉପନିର୍ବାଚନ ଘୋଷଣା କରିଛନ୍ତି।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହି ସବୁ ରାଜ୍ୟମାନଙ୍କ ବିଧାନସଭା ଉପନିର୍ବାଚନ ଲାଗି ଅକ୍ଟୋବର ୩୦ରେ ମତଦାନ ଓ ନଭେମ୍ବର ୨ ତାରିଖରେ ଭୋଟ ଗଣନା ହେବ। ବିଜେପି ଅନ୍ତରୀଣ ସୂତ୍ର ଅନୁଯାୟୀ ଖୁବ୍ ଶୀଘ୍ର ଅନ୍ୟ ରାଜ୍ୟର ଉପନିର୍ବାଚନ ଲାଗି ମଧ୍ୟ ପ୍ରାର୍ଥୀ ସୂଚୀ ଜାରି ହେବ। ଏଥିପାଇଁ ବିଭିନ୍ନ ରାଜ୍ୟରେ ପାର୍ଟି କାର୍ଯ୍ୟାଳୟ ପ୍ରାର୍ଥୀଙ୍କ ନାମ ତାଲିକା ସୁପାରିଶ ନିମନ୍ତେ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.