ବିଜେପି କାଉନସିଲରଙ୍କୁ ଗୁଳି କରି ହତ୍ୟା, ନିନ୍ଦା କଲେ ଉପ ରାଜ୍ୟପାଳ

Published By : Prameya-News7 Bureau | June 03, 2021 IST

ଶ୍ରୀନଗର,୦୩/୦୬:  ଜମ୍ମୁ-କାଶ୍ମୀରର ତ୍ରାଲରେ ଆତଙ୍କବାଦୀଙ୍କ ଗତିବିଧି ବଢିବାରେ ଲାଗିଛି । ଆତଙ୍କବାଦୀମାନେ ରାକେଶ ପଣ୍ଡିତ ନାମକ ଜଣେ ବିଜେପି କାଉନସିଲରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କାଉନସିଲରଙ୍କୁ ୨ ଜଣ ପିଏସଓଙ୍କ ଦ୍ୱାରା ସୁରକ୍ଷା ଯୋଗାଇ ଦିଆଯାଇଥିଲା । ଏହା ସତ୍ତ୍ୱେ ସେ ବିନା ସୁରକ୍ଷାରେ ତ୍ରାଲ୍ ଯାଇଥିଲେ । ଏହାର ସୁଯୋଗରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ସୂଚନା ଅନୁସାରେ, ଏହି ଘଟଣା ବୁଧବାର ବିଳମ୍ବିତ ରାତ୍ରରେ ଘଟିଛି । ଦକ୍ଷିଣ କାଶ୍ମୀର ପୁଲଓ୍ୱାମର ତ୍ରାଲରେ ବିଜେପି ନେତା ରାକେଶଙ୍କୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହାପରେ ରାକେଶଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ । ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଆତଙ୍କବାଦୀଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ।

ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ, ରାକେଶଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ । ଆତଙ୍କବାଦୀଙ୍କ ଏତାଦୃଶ କାର୍ଯୟ୍କୁ ସେ ନିନ୍ଦା କରିଛନ୍ତି । ଏହାସହ ଆତତାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି ।

ଗୁଳିକାଣ୍ଡ ପରେ ସୁରକ୍ଷାକର୍ମୀମାନେ ତୁରନ୍ତ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି । ଏବେସୁଦ୍ଧା ଆତଙ୍କବାଦୀଙ୍କ ବାବଦରେ ଅଧିକ ତଥ୍ୟ ସାମ୍ନାକୁ ଆସିନାହିଁ । କିନ୍ତୁ କେନ୍ଦ୍ରଶାସିତ ପ୍ରଦେଶରେ ରାଜନୀତି ଜୋର୍ ଧରିଛି । ପିପୁଲ୍ସ କନଫରେନ୍ସ ଅଧ୍ୟକ୍ଷ ସଜ୍ଜାଦ ଲୋନ୍ ଘଟଣାକୁ ନିନ୍ଦା କରିଛନ୍ତି । ଏହାସହ ବନ୍ଧୁକ ହିଁ କାଶ୍ମୀର ପାଇଁ ଅଭିଶାପ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.