ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- 'ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର'

Published By : Prameya-News7 Bureau | September 24, 2021 IST

ମୁମ୍ବାଇ, ୨୩।୦୯ :  ରାଜ୍ୟସଭା ଉପ ନିର୍ବାଚନକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି । ଏହାମଧ୍ୟରେ କଂଗ୍ରେସ ନେତା ନାନା ପଟୋଲ ଓ ରାଜସ୍ୱ ମନ୍ତ୍ରୀ ବାଲା ସାହେବ ଥୋରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭୀସଙ୍କୁ ଭେଟିଛନ୍ତି । କଂଗ୍ରେସ ନେତାମାନେ ସେମାନଙ୍କ ପ୍ରାର୍ଥୀ ନିର୍ବାଚନରେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଜିତିବାକୁ ଚାହୁଁଛନ୍ତି । ତେଣୁ ଉଭୟ କଂଗ୍ରେସ ନେତା ଫଡନାଭୀସଙ୍କୁ ଭେଟି ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଫେରସ୍ତ ନେବାକୁ ଅନୁରୋଧ କରିଛନ୍ତି ।

ଏନେଇ ଫଡନାଭୀସ କହିଛନ୍ତି ଯେ, ନିଷ୍ପତ୍ତି ସେ ଏକା ନେଇପାରିବେନି । ଦଳର କୋର୍ କମିଟି ନିଷ୍ପତ୍ତି ନେବ । ସେ ଅନୁସାରେ ଦଳୀୟ କାର୍ଯ୍ୟପନ୍ଥା ସ୍ଥିର କରାଯିବ ।ଗଣମାଧ୍ୟମକୁ ସମ୍ବୋଧନ କରି ଉଭୟ କଂଗ୍ରେସ ନେତା କହିଛନ୍ତି ଯେ, ସେମାନେ ନିଜର ଅନୁରୋଧ ଜଣାଇଛନ୍ତି । ବିଜେପି ତାଙ୍କ କଥା ଶୁଣିବ । ଏନେଇ ସେମାନଙ୍କର ଭରସା ରହିଛି  । ଏବେ ବିଜେପି ନିଜର ପ୍ରାର୍ଥୀ ସଞ୍ଜୟ ଉପାଧ୍ୟାୟଙ୍କ ନାମାଙ୍କନ ଫେରସ୍ତ ନେଉଛି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କଂଗ୍ରେସ ନେତା ରାଜୀବ ସାତବଙ୍କ ଦେହାନ୍ତ ପରେ ରାଜ୍ୟସଭା ଆଶନ ଖାଲି ଥିଲା । ଏହି ଆସନ ପାଇଁ କଂଗ୍ରେସ ଓ ବିଜେପି ସମେତ ୪ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ବୁଧବାର ନାମାଙ୍କନ ଦାଖଲର ଶେଷ ଦିନ ଥିଲା । ରାଜ୍ୟ ବିଧାନସଭାରେ ୨୮୭ ସଦସ୍ୟଙ୍କର ମତଦାନ ଅଧିକାର ରହିଛି । ଉପ ନିର୍ବାଚନ ପାଇଁ ମହାବିକାଶ ଅଘାଡି ତରଫରୁ ୧୭୯ ବିଧାୟକଙ୍କ ସମର୍ଥନ ଥିବା ଦାବି କରାଯାଇଥିଲା । ବିଜେପି ମଧ୍ୟ ସ୍ୱାଧିନ ବିଧାୟକଙ୍କୁ ମିଶାଇ ୧୧୯ ସଦସ୍ୟଙ୍କ ସମର୍ଥନ ଥିବା ଦର୍ଶାଇଥିଲା । ନିର୍ବାଚନରେ ସିଧାସଳଖ ଭାବେ କଂଗ୍ରେସ ପ୍ରାର୍ଥୀ ରଜନୀ ପାଟିଲ ଓ ବିଜେପିର ସଞ୍ଜୟ ଉପାଧ୍ୟାୟଙ୍କ ମଧ୍ୟରେ ମୁକାବିଲା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.