ବଢି ଚାଲିଛି ସୋନୁଙ୍କ ଲୋକପ୍ରିୟତା : ନିର୍ବାଚନୀ ମଇଦାନରେ ଓହ୍ଲାଇବାକୁ ରିୟଲ୍ ହିରୋଙ୍କ ଉପରେ ଦୁଇ ପ୍ରମୁଖ ଦଳର ନଜର

Published By : Prameya-News7 Bureau | June 09, 2020 IST

ମୁମ୍ବାଇ ୦୯/୦୬ : କରୋନା ଓ ଲକଡାଉନ ଯୋଗୁଁ ଦେଶରେ ପ୍ରବାସୀ ଶ୍ରମିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି | ନାନା ସମସ୍ୟାର ସମ୍ମୁଖୀନ ହୋଇ ଶ୍ରମିକ ପଳାୟନ କରିବା ଆରମ୍ଭ କରିଥିଲେ | ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦେଖି ନ ପାରି ବଲିଉଡ ଅଭିନେତା ସୋନୁ ସୁଦ ସେମାନଙ୍କୁ ବସ ଯୋଗେ ସେମାନଙ୍କ ଘରକୁ ପଠାଇଥିଲେ | କେବଳ ବସ ନୁହେଁ ବରଂ ଟ୍ରେନ ଓ ବିମାନ ଯୋଗେ ମଧ୍ୟ ଅନେକ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇଛନ୍ତି | ସୋନୁଙ୍କ ଏହି ମହତ କାର୍ଯ୍ୟ ପାଇଁ ଆଜି ସାରା ଦେଶ ତାଙ୍କର ପ୍ରଶଂସା କରୁଛି | ଏକ ସାକ୍ଷାତକାରରେ ସୋନୁ କହିଥିଲେ ସେ ଏବେ ସୁଦ୍ଧା ପାଖାପାଖି ୧୭ ହଜାର ଶ୍ରମିକଙ୍କୁ ଘରକୁ ପଠାଇ ସାରିଛନ୍ତି | ସେ ଏବେ ସୁଦ୍ଧା ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି | ଏଥିପାଇଁ ତାଙ୍କ ଟିମ ଦିନ ରାତି କାମ କରୁଛି | ମୁମ୍ବାଇରେ ଯେଭଳି କରୋନା ସଂକ୍ରମଣ ମାମଲା ବଢୁଛି ସୋନୁଙ୍କ ଲୋକପ୍ରିୟତା ମଧ୍ୟ ସେହିଭଳି ବଢୁଛି | କିନ୍ତୁ ସୋନୁଙ୍କ ଲୋକପ୍ରିୟତା ଶିବସେନା ନେତା ହଜମ କରିପାରୁ ନାହାନ୍ତି | ଶିବସେନା ଅଭିଯୋଗ କରିଛି ଯେ ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେଙ୍କୁ ନୀଚା ଦେଖାଇବା ପାଇଁ ବିଜେପି ସୋନୁଙ୍କ ଆଢୁଆଳରେ ଏହିଭଳି ସାହାଯ୍ୟ କରୁଛନ୍ତି |

ଶିବସେନା ନେତା ସଞ୍ଜୟ ରାବତ କହିଛନ୍ତି ଯେ, ଲକଡାଉନ ସମୟରେ ସୋନୁ ନାମକ ଜଣେ ମହାତ୍ମା ସାମ୍ନାକୁ ଆସିଛନ୍ତି | ପ୍ରବାସୀ ଶ୍ରମିକଙ୍କୁ ବସ ଯୋଗେ ପଠାଇବା ପାଇଁ ହେଉଥିବା ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇ ସୋନୁଙ୍କୁ ବିଜେପିର ମୁଖା ବୋଲି କହିଛନ୍ତି ସଞ୍ଜୟ |

{"id":283630,"sizeSlug":"large"}

ଶ୍ରମିକଙ୍କୁ ସାହାଯ୍ୟ କରୁଥିବାରୁ ସୋନୁଙ୍କୁ ଭିତିରିଆ ଭାବେ ବିଜେପିର ସମର୍ଥନ ମିଳୁଥିବା ସଞ୍ଜୟ ସନ୍ଦେହ କରିଛନ୍ତି | ଏହା ପଛରେ ରଜନାଟିକା ଷଡଯନ୍ତ୍ର ରହିଛି ଏବଂ ଉଦ୍ଧବ ଠାକରେ ସରକାରଙ୍କୁ ବଦନାମ କରିବାକୁ ଏହିଭଳି ପଦକ୍ଷେପ ନିଆଯାଇଛି ବୋଲି ସେ ଆକ୍ଷେପ କରିଛନ୍ତି | 

ସଞ୍ଜୟଙ୍କ ଏହି ବୟାନ ପରେ ବିଜେପି ନେତା ରାମ କଦମ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି, କରୋନା ସଙ୍କଟ ସମୟରେ ରାସ୍ତାକୁ ଓହ୍ଲାଇଥିବା ଓ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଶ୍ରମିକଙ୍କ ପ୍ରତି ମାନବିକତା ଦୃଷ୍ଟିରୁ ସାହାଯ୍ୟ କରୁଥିବା ସୋନୁ ସୁଦଙ୍କ ବିରୋଧରେ ସଞ୍ଜୟଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ | ଯେଉଁ କାମ ପାଇଁ ପ୍ରଶଂସା କରିବା ଉଚିତ ତାକୁ ଶିବସେନା ଆକ୍ଷେପ କରୁଛି | ବିଜେପି ମହାମନ୍ତ୍ରୀ ଅମରଜିତ ମିଶ୍ର କହିଛନ୍ତି, ପ୍ରବାସୀଙ୍କ ଦୁର୍ଦ୍ଦଶା ଖବର ସାମ୍ନାକୁ ଆସିବା ପରେ ସୋନୁ ରିୟଲ ହିରୋ ଭଳି ସାମ୍ନାକୁ ଆସି ସମସ୍ତଙ୍କୁ ସାହାଯ୍ୟ କରିଛନ୍ତି | ସେଥିପାଇଁ ତାଙ୍କୁ ବଦନାମ ନ କରି ତାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯିବା ଉଚିତ | 

{"id":283631,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶିବସେନା ତରଫରୁ ଏତେ ବୟାନବାଜି ହେବାପରେ ସୋନୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଥିଲେ | ଏହି ସାକ୍ଷାତ୍କାର ପଛରେ କଂଗ୍ରେସ ନେତା ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅସଲମ ଶେଖଙ୍କ ହାତ ରହିଛି | ଅସଲମ ଶେଖ ସୋନୁଙ୍କୁ ଖୁବ ପ୍ରଶଂସା କରିଥିଲେ |

ବର୍ତ୍ତମାନ ଶିବସେନା ସୋନୁଙ୍କ ପାଖରେ ନିଜକୁ ନୀଚ ଅନୁଭବ କରୁଛି | କାରଣ ସୋନୁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ ନକରି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ | ସେପଟେ ଉଭୟ ବିଜେପି ଓ କଂଗ୍ରେସର ନଜର ସୋନୁଙ୍କ ଉପରେ ରହିଛି | ଉଭୟ ଦଳ ସୋନୁଙ୍କୁ ବିହାର ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଚାହୁଁଛନ୍ତି | ସୋନୁ ସୁଦଙ୍କ ଲୋକପ୍ରିୟତା ବର୍ତ୍ତମାନ ବିହାରରେ ଚରମ ସୀମାରେ ରହିଛି | ସୋନୁଙ୍କୁ ପ୍ରାଥମିକ ସଦସ୍ୟତା ଦେଇ ନିର୍ବାଚନ ପ୍ରଚାରରେ ଓହ୍ଲାଇବା ପାଇଁ ଉଭୟ ଦଳ ଚେଷ୍ଟା କରୁଛନ୍ତି | ତେବେ ସେ ନିଜେ ରାଜନୀତିରେ ଯୋଗ ଦେବାକୁ ଚାହୁଁଛନ୍ତି ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.