ସୁନ୍ଦରଗଡର ସମାଜ ମଙ୍ଗଳ ଏବଂ ବନ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବିକଲା ବିଜେପି

Published By : Prameya-News7 Bureau | April 09, 2019 IST

ଭୁବନେଶ୍ୱର ୦୯/୦୪: ସୁନ୍ଦରଗଡ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀ ଏବଂ ବନ ଅଧିକାରୀମାନେ ନିଜର ପଦ ପଦବୀକୁ ଅପବ୍ୟବହାର କରି ସୁନ୍ଦରଗଡ ଜିଲ୍ଲାର ସରକାରୀ କର୍ମଚାରୀମାନଙ୍କୁ, ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଏବଂ ଅଙ୍ଗନୱାଡି କର୍ମୀମାନଙ୍କୁ ବିଜେଡି ଦଳର ପ୍ରଚାର ପ୍ରସାର କାର୍ଯ୍ୟରେ ଲଗାଉଛନ୍ତି । ଉପରୋକ୍ତ ଅଧିକାରିମାନେ ସେମାନଙ୍କ ଅଧିନସ୍ତ ଅଧିକାରିମାନଙ୍କୁ ଆଦେଶ ଦେଉଛନ୍ତି ବିଜେଡି ଭୋଟ ପ୍ରାର୍ଥନା କରିବାକୁ । ଏହା ଖୋଲା ଖୋଲି ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଥିବାରୁ ଏହାର ପ୍ରତିବାଦରେ ଆଜି ରାଜ୍ୟ ଉପସଭାପତି ସମିର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲଗାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀ ଏବଂ ବନ ଅଧିକାରୀମାନେ ବେଆଇନ କାର୍ଯ୍ୟକଳାପ କରୁଛନ୍ତି । ଏଭଳି ଅଫିସରମାନେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଏହି ଦାୟୀତ୍ୱ ମିଳିଛି । ତୁରନ୍ତ ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ସଂପୃକ୍ତ ଅଧିକାରମାନଙ୍କୁ ଦାୟୀତ୍ୱରୁ ହଟାଯାଉ ଏବଂ ଅନତ୍ର ବଦଳି କରାଯାଉ ବୋଲି ବିଜେପିର ଏହି ପ୍ରତିନିଧୀ ଦଳ ଦାବି କରିଛି ।


ରାଜ୍ୟରେ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଯୁବ ମୋର୍ଚ୍ଚାର ଉପ ସଭାପତି ସିକନ୍ଦର ଅଲ୍ଲି ଏବଂ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.