ରାମ ମନ୍ଦିର ଜମି ଦୁର୍ନୀତି ମାମଲା: ରିପୋର୍ଟ ମାଗିଲେ ବିଜେପି ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ୍ ଶାହା, ସଂଘର ବି ନଜର

Published By : Prameya-News7 Bureau | June 15, 2021 IST

ଅଯୋଧ୍ୟା ୧୫।୦୬: ଅଯୋଧ୍ୟାରେ ରାମଜନ୍ମ ଭୂମିରେ ମନ୍ଦିର ନିର୍ମାଣ ସମୟରେ ଜମି ଦୁର୍ନୀତି ଅଭିଯୋଗ ନେଇ ବିବାଦ ବଢିବାରେ ଲାଗିଛି। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି  ପ୍ରସଙ୍ଗକୁ ନେଇ ଉତ୍ତର ପ୍ରଦେଶ ରାଜନୀତି ଉଠୁଛି ପଡୁଛି। ସମାଜବାଦ ପାର୍ଟି ଓ ଆମ ଆଦମୀ ପାର୍ଟି ଲଗାତାର ବିଜେପିକୁ କାଠଗଡାରେ ଛିଡା କରାଇବାକୁ ଉଦ୍ୟମ ଚଳାଇଛନ୍ତି। ଏହି ଜମି ଦୁର୍ନୀତି ମାମଲାର ସ୍ଵର ଏବେ ଦିଲ୍ଲୀରେ ଯାଇ ପହଞ୍ଚିଛି। ସ୍ଥିତି ବିଗୁଡୁଥିବା ଦେଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ୍ ଶାହା ଏହି ପୂରା ମାମଲାରେ ରିପୋର୍ଟ ମାଗିଛନ୍ତି। ଏପରିକି ସଂଘ ପ୍ରମୁଖ ମଧ୍ୟ ପୂରା ବିବାଦର ରିପୋର୍ଟ ଦେବାକୁ ଶ୍ରୀରାମ ଜନ୍ମଭୂମୀ ଟ୍ରଷ୍ଟକୁ କହିଛନ୍ତି।

ଶ୍ରୀରାମ ଜନ୍ମଭୂମୀ ଟ୍ରଷ୍ଟ ତରଫରୁ ପୂର୍ବରୁ ଏହି ସମ୍ବନ୍ଧରେ ସମସ୍ତ ତଥ୍ୟ ଆନୁଷ୍ଠାନିକ ଭାବେ ରଖାଯାଇଛି। ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି ଯେ, ଏ ପର୍ଯ୍ୟନ୍ତ ଯେତେ ବି ଜମି କିଣା ଯାଇଛି ସେସବୁର ମୂଲ୍ୟ ବଜାର ମୂଲ୍ୟଠୁ ବହୁତ କମ ରହିଛି। ଟ୍ରଷ୍ଟର ସାଧାରଣ ସଂପାଦକ ତଥା ବିଶ୍ଵ ହିନ୍ଦୁ ପରିଷଦର ନେତା ଚମ୍ପତ ରାୟ କହିଛନ୍ତି, ଯେଉଁ ଜମିର କ୍ରୟକୁ ନେଇ ଅଭିଯୋଗ ଉଠିଛି, ଅନେକ ବର୍ଷ ପୂର୍ବରୁ ସେହି ଜମିର ପଞ୍ଜୀକୃତ ହେବା ସହ ଚୁକ୍ତି ମଧ୍ୟ ହୋଇ ସାରିଛି। ୨୦୨୧ ମାର୍ଚ୍ଚରେ ଏହାର ବିକ୍ରେତା ପ୍ରଥମେ ଜମିର ମାପଚୁପ କରିଥିଲେ ଏବଂ ପରେ ଟ୍ରଷ୍ଟ ସହ ଚୁକ୍ତି  ହୋଇଥିଲା। ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ କହିଛନ୍ତି, ରାଜନୀତି ପାଇଁ ଲୋକଙ୍କୁ ଭ୍ରମିତ କରାଯାଉଛି। ଯିଏ ଏହି ଅଭିଯୋଗ ଆଣିଛନ୍ତି, ସେ ନା ଟ୍ରଷ୍ଟ ସହିତ ଆଲୋଚନା  କରିଛନ୍ତି ନା ତଥ୍ୟକୁ ସଠିକ୍ ଭାବେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ସମାଜବାଦ ପାର୍ଟି ନେତା ତଥା ପୂର୍ବରନ ମନ୍ତ୍ରୀ ପବନ ପାଣ୍ଡେ ରାମ ମନ୍ଦିର ନିର୍ମାଣ ପାଇଁ କିଣା ଯାଇଥିବା ଜମିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ଏହା ପରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ଚାନ୍ଦା ସଂଗ୍ରହରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଟ୍ରଷ୍ଟ ଏବଂ ବିଜେପି ସରକାରକୁ ଘେରିବାକୁ ଚେଷ୍ଟା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.