ସବୁ ବିଧାନସଭା ଓ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସ୍ଥିର କରିସାରିଛି : ବସନ୍ତ ପଣ୍ଡା

Published By : Prameya-News7 Bureau | October 04, 2018 IST

ଭୁବନେଶ୍ବର ୪|୧୦:  ୧୪୭ଟି ବିଧାନସଭା ଆସନ ଏବଂ ୨୧ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସ୍ଥିର କରିସାରିଛି । ସଂପୃକ୍ତ ପ୍ରାର୍ଥୀମାନଙ୍କୁ ନିଜ ନିଜ ଅଞ୍ଚଳରେ ସଂଗଠନ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମଧ୍ୟ କହିଦିଆଯାଇଛି । କେବଳ ଔପଚାରିକତା ପାଇଁ ନିର୍ଦ୍ଧିଷ୍ଟ ସମୟରେ ଦଳର କେନ୍ଦ୍ରୀୟ କମିଟି ତାଲିକା ଘୋଷଣା କରିବ । ଏହି ସୂଚନା ଦେଇଛନ୍ତି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ବସନ୍ତ ପଣ୍ଡା । କଂଗ୍ରେସ ଦଳ  ସମସ୍ତଙ୍କଠୁ ଆଗରେ ପ୍ରାର୍ଥୀ ଘୋଷଣା କରିବାକୁ ନିଷ୍ପତ୍ତି ନେବା ସହ ପ୍ରଥମ ପର୍ଯ୍ୟାୟରେ ୪୪ଜଣ ପ୍ରାର୍ଥୀଙ୍କ ତାଲିକା ହାଇକମାଣ୍ଡଙ୍କ ପାଖକୁ ପଠାଇଛି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ପ୍ରତିକ୍ରିୟା ରଖିବାବେଳେ ଏହା କହିଛନ୍ତି । କଂଗ୍ରେସ ଦଳ ଦେଶକୁ ୪୮ବର୍ଷ ଶାସନ କରିଛି । କିନ୍ତୁ ଏହି ୪୮ବର୍ଷ ମଧ୍ୟରେ ଦେଶ ଯେଉଁ ବିକାଶ ଦେଖିବା କଥା ତାହା ହୋଇପାରିନାହିଁ । କୃଷକମାନେ ଲାଞ୍ଛିତ ହୋଇଛନ୍ତି । ସବୁ କ୍ଷେତ୍ରରେ ଦେଶ ପଛକୁ ଯାଇଛି । ତେଣୁ ଆଜି କଂଗ୍ରେସ ଯେଉଁ ଜନ ଜାଗରଣ ଯାତ୍ରା ଆରମ୍ଭ କରିଛି ତାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଅପରପକ୍ଷରେ ୨୦୧୪ ମସିହା ପରେ ଦେଶ ନୂଆ ବିକାଶ ଦେଖୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ ସଫଳ ହେବ ବୋଲି ଶ୍ରୀ ପଣ୍ଡା ଆଶା ପ୍ରକାଶ କରିଛନ୍ତି । ଗତକାଲି ପୁରୀରେ ଘଟିଥିବା ଅଭାବନୀୟ ଘଟଣା ଅତ୍ୟନ୍ତ ଅଶୋଭନୀୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ସୂଚନା ଯୋଗ୍ୟ ଯେ, ଗତକାଲି ପୁରୀରେ ୮ଦଫା ଦାବି ନେଇ ଜଗନ୍ନାଥ ସେନା ବନ୍ଦ ଡାକରା ଦେଇଥିଲା । ବନ୍ଦକୁ କଂଗ୍ରେସ ଓ ବିଜେପି ଉଭୟେ ସମର୍ଥନ କରିଥିଲେ । ବନ୍ଦ ବେଳେ ସଂଗଠିତ ହିଂସାକାଣ୍ଡରେ କୌଣସି ବିଜେପି କର୍ମୀଙ୍କ ସଂପୃକ୍ତି ଥିବା ଘଟଣାକୁ ଶ୍ରୀ ପଣ୍ଡା ଅସ୍ବୀକାର କରିଛନ୍ତି । ସେ କହିଛନ୍ତି ବିଜେପି ହିଂସାରେ ବିଶ୍ବାସ କରେନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.