ପୁରୀ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିବେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ !

Published By : Prameya-News7 Bureau | April 25, 2019 IST

ପୁରୀ ୨୫|୪: ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ର ଆଜି ପୁରୀ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିବେ ବୋଲି ସୂଚନା ମିଳିଛି । କଣାସ ବ୍ଲକ୍ ବୀରକେଶରପୁର ଗାଁ ବଳଭଦ୍ର ନୋଡାଲ ୟୁପି ସ୍କୁଲରେ ମତଦାନ ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ପଶି ନିର୍ଦ୍ଧିଷ୍ଟ ଦଳ ସପକ୍ଷରେ ଭୋଟ୍ କରୁଥିଲେ । ଏହାକୁ ବିରୋଧ କରିବାରୁ ଏଭଳି ଅଭିଯୋଗ ଆସିଛି । ଆଇନକୁ ସମ୍ମାନ ଦିଅନ୍ତି, ଆଇନ ବିରୋଧରେ ସେ ଯିବେ ନାହିଁ ବୋଲି କହୁଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ବୁଥରେ ପଶି ଇଭିଏମ ଭାଙ୍ଗିବା ଓ ପ୍ରିଜାଇଡିଂ ଅଫିସରଙ୍କୁ ମାଡ ଅଭିଯୋଗରେ ବିଜେପି ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ରଙ୍କୁ ପୋଲିସ ଖୋଜୁଛି । ଗତକାଲି ପୁରୀ, ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ । ସଞ୍ଜମତା ହରାଇ ସଙ୍କଟରେ ପ୍ରାର୍ଥୀ । ନୀଳମଣି ଓ ମହାରଥୀଙ୍କ ପରେ ଏବେ ଓମ୍‌ପ୍ରକାଶ ।

ଗତ ୨୩ ତାରିଖରେ  କଣାସ ବ୍ଲକର ବୀରକେଶରପୁରର ୭୮ ନମ୍ବର ବୁଥରେ ହିଂସାର ଅଭିଯୋଗ ଆସିଥିଲା । ଗଡ଼ିଶାଗୋଦା ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ଓମ୍ ଓ ତାଙ୍କ ସହଯୋଗୀ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିବା ସହ ପ୍ରିଜାଇଡିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏ ସମୟରେ ସେମାନଙ୍କ ନିକଟରେ ଏକ ମାଉଜର ବି ଥିବା ଅଭିଯୋଗ ହୋଇଛି । ଏହାକୁ ଆଧାର କରି ଓମଙ୍କ ସମେତ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ୨ ସହଯୋଗୀ ଅଟକ ଥିବା ବେଳେ ଓମଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ୪ଟି ସ୍ୱତନ୍ତ୍ର ଟିମ୍ । ସେପଟେ ଗତକାଲି ସନ୍ଧ୍ୟାରେ ପୁରୀରେ ଜିଲ୍ଲା ବିଜେପି ସଭାପତି କୃଷ୍ଣ ଜଗଦେବ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ଓମ୍‌ ପ୍ରକାଶ ଇଭିଏମ ଭାଙ୍ଗି ନାହାନ୍ତି । ବୁଥ୍ ଭିତରୁ ଯେଉଁ ମାଉଜର ମିଳିଥିବା କୁହାଯାଉଛି ତାହା ଓମ୍ ପ୍ରକାଶଙ୍କ ଲାଇସେନ୍ସ ପ୍ରାପ୍ତ ମାଉଜର । ପୋଲିସ କାହାର ଚାପରେ ଏଭଳି ମାମଲା ରୁଜ୍ଜୁ କରିଛି ।

ପୂର୍ବରୁ ଇଭିଏମ ଭାଙ୍ଗି ଜେଲ୍ ଯାଇ ସାରିଛନ୍ତି ସୋରଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋଇ । ଇଲେକ୍ସନ ସ୍କ୍ବାର୍ଡ ଉପରକୁ ଆକ୍ରମଣ ମାମଲାରେ ପ୍ରଦୀପ ମହାରଥୀ ବି ଗିରଫ ହୋଇଛନ୍ତି । ଆଉ ଏବେ ସେହି ରାସ୍ତାରେ ଓମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.