ଏଗଜିଟ୍ ପୋଲ ରିପୋର୍ଟ ପରେ ଏନଡିଏରେ ହଲଚଲ, ମେ୨୧ରେ ଡକାଗଲା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ
20/05/2019 at 5:27 PM

ନୂଆଦିଲ୍ଲୀ ୨୦।୫: ମେ ୧୯ ଚୂଡାନ୍ତ ପର୍ଯ୍ୟାୟ ମତଦାନ ପରେ ଦେଶରେ ସପ୍ତଦଶ ଲୋକସଭା ପାଇଁ ଅନୁଷ୍ଠିତ ନିର୍ବାଚନର ଏଗଜିଟ୍ ପୋଲ ରିପୋର୍ଟ ଆସି ସାରିଛି। ଏହି ରିପୋର୍ଟରେ ଏନଡିଏ ପୁଣି ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହେଉଥିବା ନେଇ ଅନୁମାନ ବ୍ୟକ୍ତ କରାଯାଇଥିବା ବେଳେ ଦଳର ବିଜୟକୁ ନେଇ ଏନଡିଏ ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏଣୁ ମେ ୨୧ ତାରିଖ ଦିନ ଏନଡିଏର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆହ୍ବାନ କରାଯାଇଥିବା ବେଳେ ସବୁ ସହଯୋଗୀ ଦଳ ଓ ନେତାମାନଙ୍କୁ ଦିଲ୍ଲୀ ଡକାଯାଇଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମେ ୨୩ ତାରିଖ ଭୋଟଗଣନା ଫଳାଫଳକୁ ନେଇ ଏନଡିଏର ରଣନୀତି ନିର୍ଦ୍ଧାରଣ ନିମନ୍ତେ ଏହି ବୈଠକ ଡକାଯାଇଛି। ତେବେ ବୈଠକ ସମ୍ପର୍କରେ ଅଧିକ କିଛି ସୂଚନା ମିଳିପାରିନି। ଏପରିକି ବୈଠକରେ କିଏ ଅଧ୍ୟକ୍ଷତା କରିବେ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ । ଏଗଜିଟ ପୋଲ ୨୦୧୯ର ସଂଖ୍ୟା ଏନଡିଏ ମେଣ୍ଟ ସପକ୍ଷରେ ଯାଉଛି। ଅଧିକାଂଶ ଏଗଜିଟ୍ ପୋଲରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳୁଥିବା ଆକଳନ କରାଯାଇଛି। ଯଦି ଏଗଜିଟ୍ ପୋଲ ରିପୋର୍ଟ ପରିଣାମରେ ପରିଣତ ହୋଇଯାଏ ତେବେ ଦେଶରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପୁଣି ବିଜେପି ସରକାର ଗଢିବା ନିଶ୍ଚିତ।

ତେବେ ଭୋଟଗଣନା ଫଳାଫଳ ଆସିବା ପରେ ମେଣ୍ଟରେ ଯେପରି ବିଶୃଙ୍ଖଳା ନ ହୁଏ କି ଟଣା ଓଟରା ନହୁଏ ତାହା ସୁନିଶ୍ଚିତ କରିବା ଏହି ବୈଠକର ଉଦ୍ଦେଶ୍ୟ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ଅନୁମାନ କରିଛନ୍ତି। ଏଥର ନିର୍ବାଚନରେ ବିଜେପି ମେଣ୍ଟ ଉପରେ ଭରସା କରି ନିର୍ବାଚନ ଲଢିନଥିଲା। ତେବେ ମେଣ୍ଟର ସହଯୋଗୀଙ୍କୁ ମଧ୍ୟ ଅଣଦେଖା କରିନଥିଲା। ନିର୍ବାଚନ ଫଳାଫଳ ପୂର୍ବରୁ ଏନଡିଏ ମେଣ୍ଟର ବୈଠକକୁ ଏବେ ଅତ୍ୟନ୍ତ ଜରୁରୀ ମନେ କରାଯାଉଛି।