ମମିତା ମେହେର ଘଟଣାକୁ ନେଇ ରାଜନୀତି ସରଗରମ, ଗୁରୁବାର ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଲା ବିଜେପି

Published By : Prameya-News7 Bureau | October 20, 2021 IST

ଭୁବନେଶ୍ବର ୨୦।୧୦: ଆସନ୍ତାକାଲି ବଲାଙ୍ଗୀର ବନ୍ଦ । କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଘଟଣାକୁ ନେଇ ଗୁରୁବାର ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି ବିଜେପି । ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ । ଏହାସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ମଧ୍ୟ କରିଛି ।

ସେପଟେ ମମିତା ମେହେର ଘଟଣାର ମୋଷ୍ଟ ଓ୍ବାଣ୍ଟେଡ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁକୁ ମଙ୍ଗଳବାର ଗିରଫ କରିଥିଲା ବଲାଙ୍ଗୀର ପୋଲିସ । ବୁଧବାର ଗୋବିନ୍ଦଙ୍କୁ କୋର୍ଟ ଚାଲାଣ କରିଛି ବଲାଙ୍ଗୀର ପୋଲିସ । ଗୋବିନ୍ଦଙ୍କୁ ବଙ୍ଗୋମୁଣ୍ଡା SDJM କୋର୍ଟକୁ ଚାଲାଣ କରିବା ସହ ପୋଲିସ ଅଧିକ ପଚରାଉଚରା ପାଇଁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ।

ମମିତା ମେହେର ଘଟଣାରେ ଏବେ ସାରା ରାଜ୍ୟ ହୁଲସ୍ତୁଲ। କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା ଘନେଇବାରେ ଲାଗିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ବଢ଼ିବାରେ ଲାଗିଛି ।  ମମିତାଙ୍କୁ ହତ୍ୟା ପରେ ପୋଡି ମାଟି ତଳେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି ।  କାରଣ  କଳାହାଣ୍ଡି ସ୍କୁଲ ଷ୍ଟାଡିୟମ ଖୋଳାଯିବା ପରେ ସେଠାରୁ ମିଳିଥିବା ପାଉଁଶରୁ ଏକ ପାଉଁଜି ମିଳିଛି । ଯାହାକୁ ମମିତାଙ୍କ ଘର ଲୋକ ଚିହ୍ନଟ କରିଛନ୍ତି । ସେପଟେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗୋବିନ୍ଦଙ୍କୁ ଧରାଇଦେଲେ ପୋଲିସ ଲକ୍ଷେ ଟଙ୍କାର ପୁରସ୍କାର ଦେବ ବୋଲି ମଧ୍ୟ ଘୋଷଣା କରିଥିଲା ପୋଲିସ ।

ମମିତା ମହେର ଗତ ୮ ତାରିଖଠାରୁ ନିଖୋଜ ଥିଲେ । ପରିବାର ଲୋକେ ୧୨ ତାରିଖରେ ବଲାଙ୍ଗୀର ସିନ୍ଧକେଲା ଥାନାରେ ମାମଲା ରୁଜୁ କରିଥିଲେ । ୧୪ ତାରିଖରେ ପୋଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା । ହେଲେ ୧୬ ତାରିଖରେ ଗୋବିନ୍ଦ ସାହୁ ଟିଟିଲାଗଡ ପୋଲିସ ହେପାଜତରୁ ଚମ୍ପଟ ମାରିଥିଲେ । ଗୋବିନ୍ଦଙ୍କୁ ଧରିବା ଲାଗି କଳାହାଣ୍ଡି ଓ ବଲାଙ୍ଗୀର ପୋଲିସ ତନାଘନା ଚଳାଇଥିଲା। ଦୁଇ ଜିଲ୍ଲାର ଏସପିଙ୍କ ନେତୃତ୍ବରେ ତିନୋଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ମହାଲିଙ୍ଗ ସ୍ଥିତ ଖେଳ ପଡିଆର ରାତ୍ର ଜଗୁଆଳି ଗୁପ୍ତେ ତାଣ୍ଡି ୧୨ ତାରିଖ ରାତିରେ ଖେଳ ପଡିଆରେ କିଛି କାମ ହୋଇଥିବା ସୂଚନା ଦେଇଥିଲେ। ସେହି ଆଧାରରେ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ସିନ୍ଧେକେଲା ଥାନାରେ ଜେରା କରାଯାଇଥିଲା । 

ଜେସିବି ଡ୍ରାଇଭରଙ୍କ ସୂଚନା ଆଧାରରେ ପୋଲିସ ଖେଳ ପଡିଆ ଖୋଳିଥିଲା। ଘଟଣାର ରହସ୍ୟ ବଢୁଥିବା ଦେଖି ବଲାଙ୍ଗୀରରେ ପହଞ୍ଚିଥିଲେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର।  ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାଣ୍ଟେଡ ଘୋଷଣା କରିଥିଲା। ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲା। ତା ସହିତ ଗୋବିନ୍ଦଙ୍କୁ ଧରେଇଦେଲେ ପ୍ରଥମେ ୨୦ ହଜାର ଓ ପରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ବଲାଙ୍ଗୀର ପୋଲିସ । ଏହାର ମାତ୍ର କିଛି ସମୟ ପରେ ଖବର ଆସିଥିଲା ଗୋବିନ୍ଦ ସାହୁ ଗିରଫ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ୀପଦର ଗାଁ ତାଙ୍କ ଭଉଣୀଘର ଆଖୁ କିଆରିରେ ଲୁଚିଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.