ଆସିଲା C-Voter ସର୍ଭେ : ଉତ୍ତର ପ୍ରଦେଶରେ କେଉଁ ଦଳ ଗଢିବ ସରକାର? କିଏ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ ଜନତାଙ୍କ ମୁଡ୍‌

Published By : Prameya-News7 Bureau | November 12, 2021 IST

ଲକ୍ଷ୍ନୌ ୧୨/୧୧ : ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏବେ ଠାରୁ ରାଜନୈତିକ ଦଳଗୁଡିକ ଆରମ୍ଭ କରିଦେଲେଣି ପ୍ରଚାର ପ୍ରସାର । ପ୍ରମୁଖ ରାଜନୈତିକ ଦଳଗୁଡିକ ବିଜୟୀ ହେବାନେଇ ଦାବି କରୁଥିବା ବେଳେ ସାମ୍ନାକୁ ଆସିଛି ସି-ଭୋଟର ସର୍ଭେ । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୪୦୦ ସିଟ୍‌ ଜିତିବା ନେଇ ଦାବି କରୁଥିବା ବେଳେ କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବି ବଡ ଧରଣର ଅଦଳବଦଳ ହେବା ନେଇ ଆଭାସ ଦେଇଛନ୍ତି । ବିଏସ୍‌ପି ମୁଖ୍ୟ ମାୟାବତୀ ମଧ୍ୟ ଏକାକୀ ସରକାର ଗଢିବା ନେଇ ଦାବି କରିଛନ୍ତି ।

କ୍ଷମତାରେ ଥିବା ବିଜେପି ଗତ ଥର ଅପେକ୍ଷା ଆସନ୍ତା ନିର୍ବାଚନରେ ଆହୁରି ଅଧିକ ସିଟ୍‌ ପାଇ ବିଜୟୀ ହେବ ବୋଲି କହିସାରିଲାଣି । ମୋଦି ମ୍ୟାଜିକ୍‌ ଏବଂ ଯୋଗୀ ଫ୍ୟାକ୍ଟର ଜରିଆରେ ପୁଣି ଥରେ କ୍ଷମତା କେନ୍ଦ୍ର ହାତେଇବାକୁ ପ୍ରୟାସ ଆରମ୍ଭ କରିଦେଲାଣି ବିଜେପି । ଏହାରି ମଧ୍ୟରେ ଜନତାଙ୍କ ମୁଡ୍‌ ଜାଣିବାକୁ ସର୍ଭେ କରିଛି ସି-ଭୋଟର ।

ସି-ଭୋଟର ସର୍ଭେ ଅନୁଯାୟୀ ଉତ୍ତର ପ୍ରଦେଶର ମୋଟ ୪୦୩ ବିଧାନସଭା ଆସନ ମଧ୍ୟରୁ ବିଜେପି ୨୧୩-୨୨୧ ଆସନ ପାଉଥିବା ବେଳେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧୫୨-୧୬୦ ଆସନ ପାଇବାକୁ ଯାଉଛି । ସେହିଭଳି ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ୧୬-୨୦ ଆସନ, କଂଗ୍ରେସ ୬-୧୦ ଆସନ ଏବଂ ଅନ୍ୟମାନେ ୨-୬ଟି ଆସନ ପାଇବେ ।

ସେହିଭଳି ଭୋଟ ହାର ଦେଖିବାକୁ ଗଲେ ଭାରତୀୟ ଜନତା ପାର୍ଟିକୁ ୪୧ ପ୍ରତିଶତ ଭୋଟ ମିଳୁଥିବା ବେଳେ ସମାଜବାଦୀ ପାର୍ଟିକୁ ୩୧ ପ୍ରତିଶତ, ବହୁଜନ ସମାଜବାଦୀ ପାର୍ଟି ୧୫ ପ୍ରତିଶତ ଭୋଟ, କଂଗ୍ରେସକୁ ୯ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୪ ପ୍ରତିଶତ ଭୋଟ ମିଳିବ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ପୁଣି ଶୀର୍ଷରେ ରହିଛନ୍ତି ଯୋଗୀ ଆଦିତ୍ୟନାଥ । ୪୧ ପ୍ରତିଶତ ଜନତା ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ସେହିଭଳି ଅଖିଳେଶ ଯାଦବଙ୍କୁ ୩୨ ପ୍ରତିଶତ ଜନତା ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ୧୬ ପ୍ରତିଶତ ଜନତା ମାୟାବତୀ, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୫ ପ୍ରତିଶତ, ଜୟନ୍ତ ଚୌଧୁରୀଙ୍କୁ ୨ ପ୍ରତିଶତ ଏବଂ ଅନ୍ୟମାନଙ୍କ ୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ।

ଉତ୍ତର ପ୍ରଦେଶରେ ସବୁଠାରୁ ବଡ ମୁଦ୍ଦାକୁ ନେଇ ମଧ୍ୟ ଭୋଟ ହାର କମ ବେଶୀ ହୋଇପାରେ । ସେଥି ମଧ୍ୟରୁ ରାମ ମନ୍ଦିର ଅନ୍ୟତମ । ରାମ ମନ୍ଦିରକୁ ନେଇ ସବୁଠୁ ବେଶି ଫାଇଦାରେ ରହିପାରେ ବିଜେପି । ତେଣଉ କରି ୟୁନି ନିର୍ବାଚନର ସବୁଠାରୁ ବଡ ମୁଦ୍ଦା ଆଇନ କାନୁନ୍‌ ବ୍ୟବସ୍ଥା । ଉତ୍ତର ପ୍ରଦେଶରେ ଆଇନ ବ୍ୟବସ୍ଥା ନିର୍ବାଚନ ଉପରେ ୩୦ ପ୍ରତିଶତ ପ୍ରଭାବ ପକାଇପାରେ । ସେହିଭଳି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ୧୪ ପ୍ରତିଶତ, ଚାଷୀ ଆନ୍ଦୋଳନ ୧୫ ପ୍ରତିଶତ, ବେରୋଜଗାରୀ ୧୭ ପ୍ରତିଶତ, ସାମାଜିକ କାର୍ଯ୍ୟକ୍ରମ ୩ ପ୍ରତିଶତ, ଇନଫ୍ରାଷ୍ଟ୍ରକଚର, ବିଜୁଳି, ରାସ୍ତାଘାଟ ଏବଂ ପିଇବା ପାଣି ୩ ପ୍ରତିଶତ, ଦରଦାମ ୧୫ ପ୍ରତିଶତ ଏବଂ ଅନ୍ୟ ମୁଦ୍ଦା ୩ପ୍ରତିଶତ ନିର୍ବାଚନ ଉପ​‌ରେ ପ୍ରଭାବ ପକାଇପାରେ ।

ଅନ୍ୟପଟେ ଦେଖିବାକୁ ଗଲେ ଲକ୍ଷ୍ମୀପୁର ଖିରୀ ହିଂସାକାଣ୍ଡ ମଧ୍ୟ ନିର୍ବାଚନ ଉପରେ ପ୍ରଭାବ ପକାଇବ । ଏହି ଘଟଣାକୁ ନେଇ ବିଜେପିକୁ ୨୨ ପ୍ରତିଶତ ଫାଇଦା ମିଳିବାକୁ ଥିବା ବେଳେ, ୬୨ ପ୍ରତିଶତ କ୍ଷତି ହେବାକୁ ଯାଉଛି ଏବଂ ୧୬ ପ୍ରତିଶତ ଭୋଟର କୌଣସି ପ୍ରଭାବ ପଡିବ ନାହିଁ ବୋଲି ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.