ଭୁବନେଶ୍ୱର ୧୨/୦୪: ନବୀନ ସରକାର ଓଡିଆ ଚାଷୀଙ୍କୁ ଧୋକ୍କା ଦେଇଛନ୍ତି । ଚାଷୀଙ୍କ ଆକ୍ରୋଶରୁ ବର୍ତିବା ପାଇଁ ବିଜୁ ଜନତା ଦଳ ତାର ନିର୍ବାଚନ ଇସ୍ତାହାରରେ କାଳିଆ କମିଶନ କରାଯିବ ବୋଲି ଘୋଷଣା କରିଛନ୍ତି । କାଳିଆ କମିଶନଙ୍କୁ ଆମର ବିରୋଧ ନାହିଁ । ହେଲେ ମୁଖ୍ୟମନ୍ତ୍ରୀ ଏବେ ସୁଦ୍ଧା କାଳିଆ ଯୋଜନାରେ ହିତାଧିକାରି ତାଲିକା ଦେଲେ ନାହିଁ । କୃଷି ସଚିବଙ୍କ ଚିଠିରେ ହିତାଧିକାରିଙ୍କ ସଂଖ୍ୟା ହେଉଛି ୩୬ ଲକ୍ଷ, ବିଜୁ ଜନତା ଦଳର ବିଜ୍ଞାପନରେ ହିତାଧିକାରିଙ୍କ ସଂଖ୍ୟା ହେଉଛି ୪୦ ଲକ୍ଷ । ଏପଟେ ଗାଁରେ ଯାହାକୁ ପଚାରିଲେ କହୁଛନ୍ତି କାଳିଆର ମେସେଜ ଆସିଛି ହେଲେ ବ୍ୟାଙ୍କ ଖାତାକୁ ପଇସା ଆସିନି ।
ସେହିପରି ପୁର୍ବତନ ମୁଖ୍ୟ ଶାସନ ସଚିବ ସୁଧାଶୁଂ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ୨ ଜାନୁଆରୀ ୨୦୧୦ରେ ଗୋଟିଏ କୃଷି କମିଶନ ବସାଇଥିଲେ । ସେ କମିଶନ ତାଙ୍କ ଚୂଡାନ୍ତ ରିପୋର୍ଟ ୧୫ ଡିସେମ୍ବର ୨୦୧୨ରେ ରାଜ୍ୟ ସରକାରଙ୍କୁ ଦେଇଥିଲେ । ହେଲେ ୭ ବର୍ଷ ବିତିସାରିଥିଲା ବେଳେ କାହିଁକି କୃଷ କମିଶନର ସୁପାରିଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିପାରିଲେ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ।
ବିଶ୍ୱାଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେବଳ କମିଶନ ଘୋଷଣା କରି ଜାଣନ୍ତି । ଏ ସରକାର କେବଳ କମିଶନ ବସାନ୍ତି ଆଉ କମିଶିନି କାରବାର କରନ୍ତି । ପୂର୍ବରୁ ବ୍ରହ୍ମ ବ୍ରିଭାଟ, ମଦ ମୃତ୍ୟୁ, ପ୍ରଶ୍ନପତ୍ର ଲିକ୍, ସ୍ୱାମୀ ଲକ୍ଷ୍ମଣା ନନ୍ଦ ହତ୍ୟା ତଦନ୍ତ, ଚିଟଫଣ୍ଡ ପରି ଅନେକ କମିଶନ କରି ରାଜ୍ୟସରକାର ଫେଲ୍ ମାରିଛନ୍ତି । ଏବେ କୃଷି କମିଶନର ସୁପାରିଶକୁ କାହିଁକି ରାଜ୍ୟ ସରକାର ଲାଗୁ କରିଲେ ନାହିଁ ? ଏହାର ଉତର ମୁଖ୍ୟମନ୍ତ୍ରି ରାଜ୍ୟର ଚାଷୀମାନଙ୍କ ଆଗରେ ରଖିବା ଉଚିତ୍ ।
ନବିନ ବାବୁଙ୍କର ସରକାର ୧୯ ବର୍ଷର ନିରଙ୍କୁଶ କ୍ଷମତାରେ ଥାଇ ମଧ୍ୟ ଚାଷୀର ବିଲମୁଣ୍ଡରେ ପାଣି ଟୋପେ ଦେଇ ପାରିଲେ ନାହିଁ କି ଶୀତଳ ଭଣ୍ଡାରଟିଏ ପ୍ରତିଷ୍ଠା କରିପାରିଲେ ନାହିଁ । ମସ୍ତ୍ର୍ୟ, ଆଳୁ , ପିଆଜ, ଅଣ୍ଡା ଓ କ୍ଷୀର ଉପ୍ତାଦନରେ ଓଡିଶା ଆତ୍ମନିର୍ଭରଶିଳ ହୋଇପାରିଲା ନାହିଁ । ରାଜ୍ୟରେ ୧୯ ବର୍ଷ ହେଲା ଶାସନ ଗାଦିରେ ରହିଲାପରେ ମଧ୍ୟ ବିଜେଡି ସରକାର ଚାଷୀମାନଙ୍କ ପାଇଁ କିଛି କରିପାରିନଥିବାବେଳେ ନିର୍ବାଚନ ପରିପ୍ରେକ୍ଷୀରେ କାଳିଆ ଯୋଜନା ନାଁରେ ଓଡିଆ ଚାଷୀମାନଙ୍କୁ ଯେପରି ଭୂଆଁ ବୁଲାଉଛନ୍ତି ଆଗାମୀ ଦିନରେ ଏହାର ଉଚିତ ଜବାବ ଚାଷୀକୁଳ ଦେବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଭାରତୀୟ ଜନତା ପାର୍ଟି ଓଡିଶାରେ ସରକାରକୁ ଆସିଲା ପରେ ଓଡ଼ିଶାର ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ ବିନାସୁଧରେ ଋଣ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଓ ପ୍ରଧାନମନ୍ତ୍ରୀ ଫସଲ ବୀମାଯୋଜନାର ଲାଭକୁ ଓଡିଆ ଚାଷୀଙ୍କ ପାଖେ ପହଂଚାଇବୁ । ପ୍ରତ୍ୟେକ ଚାଷୀଙ୍କ ଦ୍ୱାର ପାଖରୁ ଧାନ ସଂଗ୍ରହ ତଥା କ୍ରୟପାଇଁ ଆମେ ‘ଭ୍ରାମ୍ୟମାଣ ଧାନ କ୍ରୟ’ ଯାନର ପ୍ରଚଳନ କରିବୁ । ୬୦ ବର୍ଷ ବୟସ ପାର ହେବାପରେ କୃଷି ଶ୍ରମିକ, ଭୂମିହୀନ କୃଷକ, ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ପେନସନ୍ ପଦାନ କରିବୁ । ପ୍ରାକୃତିକବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ କୃଷକଙ୍କୁ ଆପାତ୍କାଳୀନ ସହାୟତା ଯୋଗାଇବା ପାଇଁ ୧୦୦୦ କୋଟି ଟଙ୍କାର ଏକ ‘ଚାଷୀ କଲ୍ୟାଣ କୋଷ’ ପ୍ରତିଷ୍ଠା କରିବୁ । ଭାଗଚାଷୀଙ୍କ ସୁରକ୍ଷା ପାଇଁ ଏକ ଆଇନ ଆଣିବୁ ।
ଚାଷୀ, ଭାଗଚାଷୀ ଓ ଭୂମିହୀନ କୃଷିଶ୍ରମିକଙ୍କର ଏକ ଡାଟା ବେସ୍ ପ୍ରସ୍ତୁତ କରିବା ସହ ପରିଚୟ ପତ୍ର ‘ଚାଷୀ ସମ୍ମାନ କାର୍ଡ’ ପ୍ରଚଳନ କରିବୁ । ସ୍ୱତନ୍ତ୍ର ଭାବରେ ଏକ ‘ଖାଦ୍ୟ ପ୍ରକ୍ରିୟାକରଣ ଓ ସଂରକ୍ଷଣ’ ବିଭାଗ ଖୋଲି ଖାଦ୍ୟ ପ୍ରକ୍ରିୟାକରଣ, ଶୀତଳଭଣ୍ଡାର, ଗୋଦାମ୍ଓ ଶସ୍ୟ ସଂରକ୍ଷଣ କାର୍ଯ୍ୟକୁ ପ୍ରୋତ୍ସାହିତ କରିବୁ । ଆଗାମୀ ୫ ବର୍ଷରେ ୧,୦୦,୦୦୦ କୋଟି ଟଙ୍କା ବ୍ୟୟରେ ସବୁ କ୍ଷେତକୁ ପାଣି ଯୋଗାଇବୁ । ବର୍ଷ ବର୍ଷ ଧରି ପଡିରହିଥିବା ସମସ୍ତ ଜଳସେଚନ ପ୍ରକଳ୍ପର ନିର୍ମାଣ କାମକୁ ୨ ବର୍ଷରେ ସାରିବୁ ବିହନ କିଣା ଉପରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କ୍ୱିଂଟାଲ ପିଛା ୧୨୦୦ ଟଙ୍କାର ରିହାତି ପ୍ରଦାନ କରିବୁ । ପ୍ରତି ଗ୍ରାମ ପଂଚାୟତରେ ଶସ୍ୟ ସଂରକ୍ଷଣ ଭଣ୍ଡାର ଓ ଶୀତଳୀକରଣ ଶୃଙ୍ଖଳା ବ୍ୟବସ୍ଥା ପ୍ରତିଷ୍ଠା କରିବୁ ।
ଓମ୍ଫେଡ୍କୁ ଅଧିକ ଲୋକପ୍ରିୟ ଓ ଲାଭଦାୟକ କରିବା ପାଇଁ ଏହାର ପୁନର୍ଗଠନ ଓ ପୁନଃନିର୍ମାଣ କରିବୁ । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଓ କ୍ରୟକୁ ତିନିଗୁଣା ବୃଦ୍ଧି କରି ଦୈନିକ ୫.୫ ଲକ୍ଷ ଲିଟରରୁ ଆମର ଲକ୍ଷ୍ୟ ଦୈନିକ ୧୭.୫ ଲକ୍ଷ ଲିଟରରେ ପହଂଚେଇବୁ । ରାଜ୍ୟରେ ଦୈନିକ ୩୪ ଲକ୍ଷ ଅଣ୍ଡା ଉତ୍ପାଦିତ ହେଉଥିଲା ବେଳେ ଆମେ ଏହାର ଦୈନିକ ଉତ୍ପାଦନକୁ ୩ ଗୁଣ ବୃଦ୍ଧି କରିବୁ । ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୬ ଲକ୍ଷ ମେଟ୍ରିକ୍ ଟନରୁ ୯ ଲକ୍ଷ ମେଟ୍ରିକ୍ ଟନ୍ରେ ପହଂଚାଇବୁ । ରାଜ୍ୟରେ ରେଶମ ଉତ୍ପାଦନକୁ ଦ୍ୱିଗୁଣିତ କରିବା ପାଇଁ ଆମେ ୧୫୦ କୋଟି ଟଙ୍କା ପାଣ୍ଠିରେ ‘ଓଡ଼ିଶା ସିଲ୍କ୍ ମିଶନ’ ଗଠନ କରିବୁ ବୋଲି ବିଶ୍ୱାଳ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ପ୍ରତାପ ମିଶ୍ର ଉପସ୍ଥିତ ଥିଲେ ।