Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲେ ବିଜେପିର ୟୁପି ନିର୍ବାଚନ ପ୍ରଭାରୀ, ଜାଣନ୍ତୁ ଅନୁରାଗ ଠାକୁରଙ୍କୁ ମିଳିଲା କେଉଁ ଦାୟିତ୍ୱ?

8/09/2021 at 2:42 PM

ନୂଆଦିଲ୍ଲୀ ୮।୯:  ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଅଣ୍ଟା ଭିଡିଲା ବିଜେପି। ଦଳ ବୁଧବାର ଦେଶର ବିଭିନ୍ନ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପି ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି। ଏଥିରେ ତାଙ୍କୁ ଅନୁରାଗ ଠାକୁର, ସରୋଜ ପାଣ୍ଡୟ ଓ ଅର୍ଜୁନ ରାମ ମେଘୱାଲ ସହ ନିର୍ବାଚନ ପ୍ରଭାରୀ ଭାବେ ସହଯୋଗ କରିବେ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ଦାୟିତ୍ୱ ବଦଳେ ଧର୍ମେନ୍ଦ୍ରଙ୍କୁ ନିକଟରେ ଶିକ୍ଷାମନ୍ତ୍ରୀ ପଦରେ ନୂତନ ନିଯୁକ୍ତି ମିଳିଛି। ଏଥିରେ ଧର୍ମେନ୍ଦ୍ରଙ୍କୁ ନେଇ ବିରୋଧୀ ମହଲରେ ଉପୁଜିଥିବା ସନ୍ଦେହ ଏବେ ଦୂରିଭୂତ ହୋଇଛି। ଦଳ ଓ ପ୍ରଧାନମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ଏବେବି ପ୍ରାଧାନ୍ୟ ଦେଉଥିବା ତାଙ୍କୁ ନିର୍ବାଚନ ପ୍ରଭାର ଦାୟିତ୍ୱ ପ୍ରଦାନରୁ ସ୍ପଷ୍ଟ ହୋଇଯାଇଛି।

ସେହିପରି ଉତ୍ତରାଖଣ୍ଡ ଲାଗି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ବାଚନ ପ୍ରଭାର ନିଯୁକ୍ତ କରାଯାଇଥିବା ବେଳେ ଲୋକସଭା ସାଂସଦ ଲୋକେଟ୍ ଚାର୍ଜୀ ଓ ସର୍ଦାର ଆର.ପି. ସିଂହଙ୍କୁ ତାଙ୍କ ସହଯୋଗୀ ନିଯୁକ୍ତ କରାଯାଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଣିପୁର ଲାଗି ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଥିବା ବେଳେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାବତ ପଞ୍ଜାବ ଓ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଗୋଆ ଲାଗି ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି।

ୟୁପିରେ ଧର୍ମେନ୍ଦ୍ରଙ୍କ ସହ ଶୋଭା କରନ୍ଦଲାଜେ. ଅନ୍ନପୂର୍ଣ୍ଣା ଦେବୀ, ପାର୍ଟି ସମ୍ପାଦକ ସରୋଜ ପାଣ୍ଡେ, ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅଭିମନ୍ୟୁ, ରାଜ୍ୟସଭା ସାଂସଦ ବିବେକ ଠାକୁର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଆଦି ସହ ପ୍ରଭାରୀ ଭାବେ ନିର୍ବାଚନ ପରିଚାଳନା କରିବେ। ନିର୍ବାଚନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶରେ କ୍ଷେତ୍ର ଅନୁସାରେ ୬ ଜଣ ସଙ୍ଗଠନ ପ୍ରଭାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

ଏଥିରେ ଲୋକସଭା ସାଂସଦ ସଞ୍ଜୟ ଭାଟିଆଙ୍କୁ ପଶ୍ଚିମ ଉତ୍ତରପ୍ରଦେଶ, ବିହାର ବିଧାୟକ ସଞ୍ଜୀବ ଚୌରାସିଆଙ୍କୁ ବୃଜ କ୍ଷେତ୍ର, ଜାତୀୟ ସମ୍ପାଦକ ସତ୍ୟ କୁମାରଙ୍କୁ ଅବଧ କ୍ଷେତ୍ର, ଜାତୀୟ ସହ କୋଷାଧ୍ୟକ୍ଷ ସୁଧୀର ଗୁପ୍ତାଙ୍କୁ କାନପୁର କ୍ଷେତ୍ର, ଜାତୀୟ ସମ୍ପାଦକ ଅରବିନ୍ଦ ମେନନଙ୍କୁ ଗୋରଖପୁର ଓ ୟୁପି ସହ ପ୍ରଭାରୀ ସୁନୀଲ ଓଝାଙ୍କୁ କାଶୀ କ୍ଷେତ୍ରର ଦାୟିତ୍ୱ ପ୍ରଦାନ କରାଯାଇଛି।

୨୦୨୨ମସିହାରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଉଭୟ ରାଜ୍ୟରେ କ୍ଷମତାସୀନ ବିଜେପି ପୁଣି ଥରେ ୨୦୧୭ର ନିର୍ବାଚନ ଫଳାଫଳ ଦୋହରାଇବ ବୋଲି ଦୃଢ ଦାବି କରୁଛି। ତେବେ ଏଥରର ନିର୍ବାଚନ ୨୦୧୭ ଭଳି ଏତେ ସହଜ ହୋଇ ନପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି। ଗତ ୨୦୧୭ ବିଧାନସଭା ନିର୍ବାଚନ ବିଜେପି ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ଲଢିଥିଲା। ନିର୍ବାଚନ ଫଳାଫଳ ଆସିବା ପରେ ଗୋରଖପୁର ବିଧାୟକ ଯୋଗୀ ଆଦିତ୍ୟ ନାଥଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ଏଥର ବିଜେପି ଆଦିତ୍ୟନାଥଙ୍କ ବ୍ୟାନରରେ ରାଜ୍ୟରେ ନିର୍ବାଚନ ଲଢିବାକୁ ମନସ୍ତ କରିଛି।

   Related Posts