କୋଲକାତାରେ ଅମିତ ଶାହାଙ୍କ ରୋଡ୍ ଶୋ ପାଲଟିଲା ରଣକ୍ଷେତ୍ର ; ଟିଏମ୍‌ସି ଓ ବିଜେପି କର୍ମୀଙ୍କ ମଧ୍ୟରେ ପଥରମାଡ, ରାସ୍ତାରେ ଜଳିଲା ନିଆଁ

Published By : Prameya-News7 Bureau | May 15, 2019 IST

କୋଲକାତା ୧୫|୫: କୋଲକାତାରେ ଅମିତ ଶାହାଙ୍କ ରୋଡ୍ ଶୋ ବେଳେ ଉତ୍ତେଜନା, ଗଣ୍ଡଗୋଳ । ଶାହାଙ୍କ ଶୋଭାଯାତ୍ରାରେ ସାମିଲ ଥିବା ଏକ ଟ୍ରକ ଉପରକୁ କେହି ଜଣେ ବାଡ଼ି ଫୋଫାଡ଼ିବା ପରେ ରଣକ୍ଷେତ୍ର ପାଲଟିଲା ରାଜରାସ୍ତା । ଗଣ୍ଡଗୋଳରେ କିଛି ବିଜେପି ସମର୍ଥକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ପାଇଁ ଶାହା ସିଧାସିଧା ମମତା ସରକାରଙ୍କୁ ଦାୟୀ କରିଥିବା ବେଳେ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି ବିଜେପି ଟିମ୍ ।

{"id":111966}

ରୋଡ୍ ଶୋ ପାଲଟିଲା ରଣକ୍ଷେତ୍ର । ରାସ୍ତାରେ ବୋହିଲା ରକ୍ତ । ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମେଗା ରୋଡ୍ ଶୋ ବେଳେ ଏମିତି କିଛି ପରିସ୍ଥିତି ସୃଷ୍ଟି ହୋଇଛି ।  ବିଦ୍ୟାସାଗର କଲେଜ ପାଖରେ ଶାହାଙ୍କ ରୋଡ୍ ଶୋ ଚାଲିଥିବା ବେଳେ କେହି ଜଣେ ଦୁର୍ବୃତ୍ତ  ଶୋଭାଯାତ୍ରାରେ ସାମିଲ ହୋଇଥିବା  ଟ୍ରକ୍ ଉପରକୁ ବାଡ଼ି ଖଣ୍ଡେ  ଫୋଫାଡ଼ିଥିଲେ । ଏହା ପରେ ହିଁ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ । ପଥରମାଡ଼ ସାଙ୍ଗକୁ ରାସ୍ତାରେ ବାଇକ୍ ରେ  ନିଆଁ ଲଗାଇଥିଲେ ଗଣ୍ଡଗୋଳକାରୀ । ଏଥିରେ କିଛି ବିଜେପି କର୍ମୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଲାଠିଚାର୍ଜ୍ କରିଥିଲା ପୋଲିସ ।

{"id":111967}

ସେପଟେ ଶାହା ବି ମୌକା ଦେଖି ଚୌକା ମାରିବା ପରି ଟିଏମସି ଉପରେ ପ୍ରବଳ ବର୍ଷିଛନ୍ତି । ମମତା ଜାଣିଶୁଣି ତାଙ୍କ ରୋଡ୍ ଶୋ ଭଣ୍ଡୁର କରିବାକୁ ଉଦ୍ୟମ କରିଥିବା ଶାହା ଅଭିଯୋଗ କରିଛନ୍ତି । ସେହିପରି ପୋଲିସ ମଧ୍ୟ ଗଣ୍ଡଗୋଳ ସମୟରେ ନୀରବ ଦର୍ଶକ ସାଜିଥିବା ଅଭିଯୋଗ କରିଛନ୍ତି ଶାହା ।

ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି ବିଜେପି । କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭୀ, ନିର୍ମଳା ସୀତାରମଣ ଓ ଜିତେନ୍ଦ୍ର ସିଂଙ୍କ ସମେତ ଅନେକ ହେଭିୱେଟ୍ କମିଶନଙ୍କ ଦୁଆର ବାଡ଼େଇଛନ୍ତି । ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.