ଶୂନ୍ୟକାଳରେ ବିଜେପି-କଂଗ୍ରେସ ମୁହାଁମୁହିଁ, କାହା ସହିତ କାହାର ଫିକ୍ସିଂ ତାକୁ ନେଇ ଚାଲିଲା କାଦୁଅଫିଙ୍ଗା

Published By : Prameya-News7 Bureau | July 16, 2019 IST

ଭୁବନେଶ୍ବର ୧୬|୭: ଆଜି ବିଧାନସଭା ଶୂନ୍ୟ କାଳରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଏବଂ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲା । ଏହି ସମୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି ଆରମ୍ଭ କରିଦେଇଥିଲେ । ଏହି ସମୟରେ ହିଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀଙ୍କୁ କହିବା ଲାଗି ଆମନ୍ତ୍ରଣ କରିଥିଲେ ।

ତେବେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ବିଷ୍ଣୁ ସେଠୀ ନିଜ ବକ୍ତବ୍ୟ ରଖିପାରିନଥିଲେ । ଗତକାଲି ମଧ୍ୟ ସମାନ ଘଟଣା ଯୋଗୁଁ ବିଜେପି ବିଧାୟକ ମୋହନ ଜେନା ନିଜ ବକ୍ତବ୍ୟ ରଖିପାରିନଥିଲେ । କଂଗ୍ରେସର ହଟ୍ଟଗୋଳ ଯୋଗୁଁ ବିଜେପି ବିଧାୟକମାନେ ସେମାନଙ୍କ ବକ୍ତବ୍ୟ ରଖିପାରୁନଥିବା ନେଇ ବିଜେପି ବିଧାୟକମାନେ ଗୃହ ମଧ୍ୟରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ । ଫଳରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ବିଧାନସଭା ଭିତରେ ବିଜେଡି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇସାରିଛି । ପ୍ରସଙ୍ଗ ଏଡାଇବା ପାଇଁ ସଲାସୁତରା ଚାଲିଛି । ଅପରପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାର ତୀବ୍ର ପ୍ରତିବାଦ କରିଛନ୍ତି । ସେ କହିଛନ୍ତି ଯେ, କାହା ଭିତରେ ଫିକ୍ସିଂ ଅଛି ତାହା ଜନସାଧାରଣଙ୍କୁ ଭଲ ଭାବବରେ ଜଣା । ନହେଲେ ଜଣେ ବିଜେପି ସମର୍ଥିତ ଆଇଏଏସ ଅଧିକାରୀଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇନଥାନ୍ତା ।  ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେଡିର କାହା ସହିତ ଫିକ୍ସିଂ ନାହିଁ । ବିଜେଡି ବିରୋଧୀ ଦଳକୁ ଯଥେଷ୍ଟ ଗୁରୁତ୍ବ ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.