ରଣନୀତି ପ୍ରସ୍ତୁତି ପାଇଁ ଆଜି ଅପରାହ୍ନରେ ବସିବ ବିଜେପି ବିଧାୟକ ଦଳ ବୈଠକ : ସେପଟେ କାଉଣ୍ଟର କରିବାକୁ ବସିବ ବିଜେଡି ବିଧାୟକ ଦଳ ବୈଠକ

Published By : Prameya-News7 Bureau | June 23, 2019 IST

ଭୁବନେଶ୍ବର ୨୩/୬: ଆଜି ଅପରାହଣ ୩ଟାରେ ବସିବ ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସରୋଜ ପାଣ୍ଡେ ବୈଠକରେ ଯୋଗଦେବେ । ଏନେଇ ସୂଚନା ଦେଇଛନ୍ତି ବିଜେବିର ବରିଷ୍ଠ ନେତା ତଥା ଓଡିଶା ପ୍ରଭାରୀ ଅରୁଣ ସିଂ । ଦଳୀୟ ପ୍ରସଙ୍ଗକୁ ଯିଏ ଠିକ୍ ଭାବେ ଗୃହରେ ଉପସ୍ଥାପନ କରିପାରିବା ସହ ରାଜ୍ୟ ବାସୀଙ୍କ ପାଇଁ କାମ କରିପାରିବେ ତାକୁ ହିଁ ବିରୋଧୀ ଦଳ ନେତା ଭାବେ ଦାୟିତ ମିଳିବ ବୋଲି ଅରୁଣ ସିଂ କହିଛନ୍ତି । ସେପେଟେ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଚୟନ ପ୍ରସଙ୍ଗରେ ଅରୁଣ ସିଂ କହିଛନ୍ତି ଓଡ଼ିଶାର ସ୍ବାର୍ଥ ପାଇଁ ଯିଏ ବି ସହଯୋଗର ହାତ ବଢାଇବ ତାକୁ ବିଜେପି ସ୍ବାଗତ କରିବ । ତେଣୁ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାରେ କିଛି ଅସୁବିଧା ନାହିଁ ।

ସେହିପରି ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଧାନସଭାର ବଜେଟ୍ ଅଧିବେଶନ ନେଇ ରଣନୀତି ପ୍ରସ୍ତୁତ କରିବ ବିଜେଡି । ବିଶେଷ କରି ବିରୋଧୀଙ୍କ ରଣନୀତିକୁ କାଉଣ୍ଟର୍ କରିବା ପାଇଁ ବିଜେଡି ନୂଆ ରଣନୀତି ଆପଣାଇବ । କେଉଁସବୁ ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ମୁହଁ ବନ୍ଦ କରାଯିବ ସେ ସମ୍ପର୍କରେ ବିଜେଡି ସୁପ୍ରିମୋ ଦଳର ବିଧାୟକଙ୍କ ସହ ଆଲୋଚନା କରିବେ । ନିର୍ବାଚନ ପରେ ଷୋଡ଼ଶ ବିଧାନସଭାର ଏହା ପ୍ରଥମ ଅଧିବେଶନ ହୋଇଥିବାରୁ, ସରକାରଙ୍କୁ ଘେରିବା ପାଇଁ ବିରୋଧୀ ସଜବାଜ ହେଉଛନ୍ତି । ବିଜେପି ପ୍ରଥମ କରି ମୁଖ୍ୟ ବିରୋଧୀ ଭୂମିକାରେ ବସିଥିବାରୁ ବିଜେପିର ଆଭିମୁଖ୍ୟ ସରକାରଙ୍କ ପ୍ରତି କିଭଳି ରହିବ ଏବଂ ଏହାର ମୁକାବିଲା କିଭଳି କରାଯିବ ତାଉପରେ ଆଲୋଚନା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.