ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶରେ ବିଳମ୍ବକୁ ନେଇ ବିଜେଡିର କଟାକ୍ଷ, ବିଜେପି କହିଲା ନିଜ କଥା ନିଜେ ସମ୍ଭାଳ

Published By : Prameya-News7 Bureau | March 20, 2019 IST

ଭୁବନେଶ୍ବର ୨୦|୩: ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ ବିଳମ୍ବକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବିଜେଡି ଓ କଂଗ୍ରେସ ସେମାନଙ୍କ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । କିନ୍ତୁ ୧୨୦ ମିଶନ ସଫଳ କରିବା ଟାର୍ଗେଟରେ ଥିବା ବିଜେପି ଏ ଯାଏଁ ପ୍ରାର୍ଥୀ ତାଲିକା ପ୍ରକାଶ କରୁନଥିବାରୁ ବିଭିନ୍ନ ମତ ମନ୍ତବ୍ୟ ପ୍ରକାଶ ପାଇଛି ।

ବିଜେଡି ଏହି ମୌକାରେ ବିଜେପିକୁ କଟାକ୍ଷ କରିବାକୁ ପଛାଇନି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ ଯେ, ବିଜେଡି ଟିକେଟ ନପାଇ ଅସନ୍ତୁଷ୍ଟ ହେଉଥିବା ବିଜେଡି ନେତାଙ୍କ ଉପରେ ଭରସା କରିଛି ବିଜେପି । ବିଜେପିର ୧୨୦ ମିଶନ୍ ଫେଲ ମାରିସାରିଛି । ବିଜେଡିର ଏଭଳି କଟାକ୍ଷ ବିଜେପି ମଗଜକୁ ଭେଦିଛି ।

ବିଜେପି ମୁଖପାତ୍ର ତଥା ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବା ଲାଗି ପାଗ ଭିଡିଥିବା ଭୃଗୁ ବକ୍ସିପାତ୍ର ପାଲଟା ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ସେମାନେ ନିଜ ଘର ନିଜେ ସମ୍ଭାଳନ୍ତୁ, ନିର୍ବାଚନୀ ମଇଦାନ ପାର ହୁଅନ୍ତୁ । ବିଜେଡି ନିଷ୍ପତ୍ତି କ୍ରମେ ବିଜେପି ନିଷ୍ପତ୍ତି ନେବ ନାହିଁ । ଦଳର ନିଷ୍ପତ୍ତି ହୋଇସାରିଛି, ଖୁବଶୀଘ୍ର ତାଲିକା ଘୋଷଣା ହେବ । ୧୨୦ ମିଶନ ସଫଳ କରିବାକୁ ଆମେ ମଇଦାନକୁ ଓହ୍ଲାଉଛୁ । ଓଡିଶାରେ ପରିବର୍ତ୍ତନ ପାଇଁ ଓଡିଶାବାସୀ ନିଷ୍ପତ୍ତି ନେଇ ସାରିଛନ୍ତି ।

୧୦ଟି ରାଜ୍ୟର ଲୋକସଭା ଓ ଏହା ମଧ୍ୟରୁ ବିଧାନସଭା ନିର୍ବାଚନ ହେଉଥିବା ରାଜ୍ୟଗୁଡିକର ବିଧାନସଭା ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ପାଇଁ ଗତକାଲି ଦଳର ଦିଲ୍ଲୀ ମୁଖ୍ୟାଳୟରେ ସିଇସି ବୈଠକ ଚାଲିଥିଲା । ଆଶା କରାଯାଉଥିଲା ଗତକାଲି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । କିନ୍ତୁ ବିଜେପି ସିଇସି ବୈଠକ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ଆଶା କରାଯାଉଛି ଆଜି ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.