ବଢିଲା ଖଟ୍ଟରଙ୍କ ସଂକଟ, ଚାଷୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଦାବି କଲା ମେଣ୍ଟ ସହଯୋଗୀ JJP

Published By : Prameya-News7 Bureau | December 04, 2020 IST

ଚଣ୍ଡିଗଡ ୪।୧୨:   ଚାଷୀ ଆନ୍ଦୋଳନକୁ ନେଇ ହରିୟାଣାରେ ରାଜନୈତିକ ସଂକଟ ବେଳୁବେଳ ଗୁରୁତର ହେବାରେ ଲାଗିଛି। ଦିଲ୍ଲୀ ଚଲ୍ଲୋ ଆହ୍ୱାନରେ ପ୍ରଦର୍ଶନକାରୀ ଚାଷୀଙ୍କ ବିରୋଧରେ ସରକାର ରୁଜୁ କରିଥିବା ମାମଲା ତୁରନ୍ତ ପ୍ରତ୍ୟାହାର ଲାଗି ରାଜ୍ୟରେ ସରକାରଙ୍କ ସହଯୋଗୀ ଜନନାୟକ ଜନତା ପାର୍ଟି (ଜେଜେପି) ଶୁକ୍ରବାର ଦାବି କରିଛି।  ମାମଲାରେ ରାଜ୍ୟ ଜେଜେପି ମୁଖ୍ୟ ନିଶାନ ସିଂହଙ୍କ ନେତୃତ୍ୱରେ ଏକ ୩ ସଦସୀୟ ପ୍ରତିନିଧି ଦଳ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଭିଜ୍‌ଙ୍କୁ ଭେଟି ଏହି ଦାବି ଉଠାଇଛନ୍ତି।

କେନ୍ଦ୍ର ସରକାରଙ୍କ କୃଷି ସଂଶୋଧନ ଆଇନ-୨୦୨୦କୁ ବିରୋଧ କରି ରାଜ୍ୟରେ ଚାଷୀ ଆନ୍ଦୋଳନ ତେଜିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ସତ୍ତ୍ୱେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେବା ଯୋଗୁ ଦେଶବ୍ୟାପୀ ଚାଷୀ ସଙ୍ଗଠନ ଦିଲ୍ଲୀ ଚଲ୍ଲୋ ଆହ୍ୱାନ ଦେଇଥିଲେ। ଏଣୁ ରାଜ୍ୟର ଆନ୍ଦୋଳନ ରତ ଚାଷୀ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲେ।

wp:html /wp:html

ରାଜ୍ୟରେ ଚାଷୀଙ୍କ ଦିଲ୍ଲୀ  ଚଲୋ ଆନ୍ଦୋଳନ ଭଣ୍ଡୁର କରିବା ଲାଗି ମନୋହର ଖଟ୍ଟରଙ୍କ ସରକାର ଚାଷୀଙ୍କ ଉପରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ କରିଥିଲେ। ଏଥିରେ  ଚାଷୀଙ୍କ ବିରୋଧରେ ମୋକଦ୍ଦମା ମଧ୍ୟ ରୁଜୁ ହୋଇଥିଲା।  ଆନ୍ଦୋଳନକାଳରେ ସାର୍ବଜନିକ ସମ୍ପତ୍ତି ନଷ୍ଟ କରିବା, କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ମାରପିଟ ସମେତ ଅନେକ ସଙ୍ଗିନ ମାମଲାରେ ଅମ୍ବାଲା, ପାନିପତ, ରୋହତକ, କୈଥାଲ ଓ ଶିର୍ଷା ଆଦି ଥାନାରେ ଅନୁନ୍ୟ ୨୦ ହଜାରରୁ ଅଧିକ ଚାଷୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି।

ଭାରତୀୟ କିଶାନ ୟୁନିୟନ (ବିକେୟୁ) ମୁଖ୍ୟ ଗୁରନାମ ସିଂ ଚାରୁନିଙ୍କ ନାମ ମଧ୍ୟ ମୋକଦ୍ଦମାରୁ ବାଦ ପଡିନି।  ଏଣୁ ଏହି ସବୁ ମୋକଦ୍ଦମା ତୁରନ୍ତ ପ୍ରତ୍ୟାହାର ଲାଗି ବରିଷ୍ଠ ଜେଜେପି ନେତା ଦିଗବିଜୟ ସିଂ ଚୌଟାଲା ଗୃହମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ବିଶିଷ୍ଟ ଚାଷୀ ନେତା ଚୌଧୁରୀ ଦେବୀଲାଲଙ୍କ ଆଦର୍ଶରେ ଅନୁପ୍ରାଣିତ। ତେବେ ସରକାରରେ ସହଯୋଗୀ ଭାବେ ଚାଷୀଙ୍କ ଦିଲ୍ଲୀ ଚଲ୍ଲୋ ଆନ୍ଦୋଳନ ଭଣ୍ଡୁର ଲାଗି  କରାଯାଇଥିବା ଅମାନବୀୟ ଅତ୍ୟାଚାର ଦଳ କେବେ ସହନ କରିପାରିବ ନାହିଁ ।

 ରାଜ୍ୟ ଗୃହମନ୍ତ୍ରୀ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।  ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ପରେ ଚୌଟାଲା ଯେହେତୁ ତାଙ୍କ ଦଳର ଆଦର୍ଶ ଦେବୀଲାଲ  ତେହେତୁ କୃଷକଙ୍କ ସମର୍ଥନରେ ରହିବା ଆମର  ସର୍ବ ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗକୁ ସହୃଦୟତାର ସହ ଗ୍ରହଣ କରି ଚାଷୀ ଓ ସରକାରଙ୍କ ମଧ୍ୟରେ ବିଦ୍ୱେଷପୂର୍ଣ୍ଣ ପରିସ୍ଥିତି ଯେପରି ନ ଉପୁଜେ ସେଥିପ୍ରତି ଧ୍ୟାନ ଦେବେ ବୋଲି ଆଶାବ୍ୟକ୍ତ କରିଛନ୍ତି। 

ସେପଟେ ଚାଷୀଙ୍କ ପ୍ରତି ରାଜ୍ୟ ସରକାର କରିଥିବା ଅତ୍ୟାଚାରକୁ ନେଇ ଜେଜେପି ଉପରେ ଚାପ ବଢିବାରେ ଲାଗିଛି। ବିରୋଧୀ ଦଳମାନେ ଚାଷୀ ପ୍ରସଙ୍ଗରେ ମେଣ୍ଟରୁ ଦଳ ଓହରି ଆସୁ ବୋଲି ଚାପ ପକାଉଥିବା ବେଳେ ଜେଜେପି ତାର ପ୍ରଥମ ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏହା ପୂର୍ବରୁ ରାଜ୍ୟର କଂଗ୍ରେସ ମୁଖ୍ୟମନ୍ତ୍ରୀ ବି.ଏସ୍. ହୁଡ୍ଡା ରାଜ୍ୟାପାଳଙ୍କୁ ଚାଷୀ ପ୍ରସଙ୍ଗରେ ତୁରନ୍ତ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡକାଇବା ଲାଗି ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.