‘ସ୍ମିତାରାଣୀଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଛି, ନାଣ୍ଡୁ ଓରଫ ରୂପେଶ ଭଦ୍ରା ମୁଖ୍ୟ ଅଭିଯୁକ୍ତ’ !
19/10/2019 at 12:27 PM

ଭୁବନେଶ୍ବର ୧୯।୧୦: ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ନୂଆ ମୋଡ । ସ୍ମିତାରାଣୀ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି । ଦୁଷ୍କର୍ମ କରିବା ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି । ଯଦି ବି ଆତ୍ମହତ୍ୟା କରିଛନ୍ତି ତାହେଲେ ଏହା ଆହୁରି ସାଙ୍ଘାତିକ ବୋଲି ବିଜେପି ନେତା ପ୍ରକାଶ ମିଶ୍ର ପ୍ରେସମିଟ୍ କରି କହିଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ତାଲିକାଭୁକ୍ତ କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଉଥିଲା ।ଏହି ଘଟଣାରେ ନାଣ୍ଡୁ ଓରଫ ରୂପେଶ ଭଦ୍ରା ମୁଖ୍ୟ ଅଭିଯୁକ୍ତ । ୪୮ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି । ହତ୍ୟା ଘଟଣାରେ ରାମକୋ ସିମେଣ୍ଟ ମ୍ୟାନେଜରଙ୍କ ମଧ୍ୟ ହାତ ରହିଥିବା ବିଜେପି ଅଭିଯୋଗ କରିଛି । ସରପଞ୍ଚଙ୍କ ସ୍ବାମୀଙ୍କ ଏହି ଚର୍ଚ୍ଚିତ ଗେଷ୍ଟ ହାଉସ୍ ରେ ହିଁ ଚାଲୁଛି ପଞ୍ଚାୟତ କାର୍ଯ୍ୟାଳୟ ଚାଲିଥିବା ବି ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗେଷ୍ଟ ହାଉସର ୟୁରିନାଲରୁ ଉଦ୍ଧାର କରାଯାଇଥିଲା। ବେକରେ ଓଢ଼ଣୀ ବନ୍ଧା ଯାଇଥିବା ଅବସ୍ଥାରେ ମିଳିଥିଲା ମୃତଦେହ। ସ୍ମିତାରାଣୀ ହରିଦାସପୁର ପଞ୍ଚାୟତର ବାଲିଗରି ଗାଁରେ ଭତ୍ତା ବାଣ୍ଟିବା ପରେ ଦିନ ଗୋଟାଏ ବେଳେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀଙ୍କର ଗେଷ୍ଟ ହାଉସକୁ ଫ୍ରେସ୍ ହେବାକୁ ଯାଇଥିଲେ। ଆଉ ସେହି ଗେଷ୍ଟ ହାଉସର ୟୁରିନାଲ ଭିତରୁ ତାଙ୍କର ଓଢ଼ଣୀରେ ଓହଳିଥିବା ମୃତଦେହ ଉଦ୍ଧାର କରାଯାଇଥିଲା। ସରପଞ୍ଚଙ୍କର ସ୍ବାମୀ ବାଥରୁମ୍ ଗେଷ୍ଟ ହାଉସ ଡୋର୍ ଭାଙ୍ଗି ବାଥରୁମରୁ ତାଙ୍କୁ ଉଦ୍ଧାର କରିଥିବା ବେଳେ ସେଠାରୁ ଧର୍ମଶାଳା ଡାକ୍ତରଖାନା ନେଇଥିଲେ।
ସ୍ମିତାରାଣୀଙ୍କୁ ବିଧିବଦ୍ଧ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ସ୍ମିତାରାଣୀଙ୍କ ବାପା ଗତକାଲି ଅଭିଯୋଗ କରିଥିଲେ । କଂଗ୍ରେସ ମଧ୍ୟ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲା ।