ଭୋଟିଂ ବେଳେ ପ୍ରାଣ ହରାଇଲେ ବିଜେପି ଏଜେଣ୍ଟ, ରିପୋର୍ଟ ମାଗିଲେ ନିର୍ବାଚନ ଆୟୋଗ

Published By : Prameya-News7 Bureau | April 17, 2021 IST

କୋଲକାତା,୧୭/୦୪:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି ରହିଛି । ୪୫ଟି ଆସନରେ କଡା ସୁରକ୍ଷ ମଧ୍ୟରେ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଭୋଟିଂ ବେଳେ ବିଭିନ୍ନ ବୁଥରେ ହିଂସାକାଣ୍ଡ ଖବର ଆସିଛି । ବିଜେପି ଓ ଟିଏମସି କର୍ମୀ ଅନେକ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି ।

କିଛି ବୁଥରେ ଟିଏମସି କର୍ମୀ ବିଜେପି କର୍ମୀଙ୍କୁ ଧମକାଉଥିବା ଅଭିଯୋଗ ଆସିଥିବା ବେଳେ ଗୋଟିଏ ସ୍ଥାନରେ ବିଜେପି ପୁଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ଏହାକୁ ନେଇ ନିର୍ବାଚନ ଆୟୋଗ ରିପୋର୍ଟ ମାଗିଛନ୍ତି ।

ସୂଚନା ଅନୁସାରେ, କମରହାଟୀର ୧୦୭ ନମ୍ବର ବୁଥରେ ବିଜେପିର ଜଣେ ଏଜେଣ୍ଟର ମୃତ୍ୟୁ ହୋଇଯାଇଥିଲା । ଏହାକୁ ନେଇ ନିର୍ବାଚନ ଆୟୋଗ ରିପୋର୍ଟ ମାଗିଛନ୍ତି । ଏଏନଆଇ ରିପୋର୍ଟ ଅନୁସାରେ, ବିଜେପି ଏଜେଣ୍ଟଙ୍କ ଭାଇଙ୍କ କହିବାନୁସାରେ, ମୃତକ ହେଲେ ଅଭିଜିତ ସାଓ୍ୱନ୍ତ । କେହି ତାଙ୍କୁ ସାହାଯ୍ୟ କରିନଥିଲେ ।ଏପରିକି ଚିକିତ୍ସା ସୁବିଧା ମଧ୍ୟ ଦିଆଯାଇ ନଥିଲା ।

ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଟିଏମ୍‌ସି ପାଇଁ ବେଶ୍ ଗରୁତ୍ୱପୂର୍ଣ୍ଣ । ଗତ ଥର ଏହି ୪୫ଟି ସିଟ୍‌ରୁ ୩୨ ସିଟ୍ ଜିତିଥିଲା ଶାସକ ଦଳ। କିନ୍ତୁ  ଏଥର ଟିଏମ୍‌ସିକୁ କଡ଼ା ଟକ୍କର ଦେଉଛି ବିଜେପି।  ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ପରେ ବିଧାନସଭା ନିର୍ବାଚନରେ ଦଳ ବିଜୟ ଲାଭ କରିବ ବୋଲି ଆଶା ରଖିଛି। ଏପରିକି ମମତା ବାନାର୍ଜୀଙ୍କ ହାତ ଛାଡି ଅନେକ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ୪୫ଟି ସିଟ୍ ପାଇଁ ଶନିବାର ମତଦାନ ହେବାକୁ ଥିବା ବେଳେ ଭୋଟରମାନେ ୩୪୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଉତ୍ତର ୨୪ ପ୍ରଗଣା, ପୂର୍ବ ବର୍ଦ୍ଧମାନ, ନଦିଆ, ଜଲପାଇଗୁଡ଼ି, ଦାର୍ଜେିଲିଂ ଏବଂ କାଲିମପୋଙ୍ଗ ଆଦି ଜିଲ୍ଲାଗୁଡ଼ିକର ବିଭିନ୍ନ ଆସନ ପାଇଁ ପାଇଁ ମତଦାନ ଚାଲିଛି । ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହୋଇଥିବା ନିର୍ବାଚନରେ ଏପର୍ଯ୍ୟନ୍ତ ୧୩୫ ନିର୍ବାଚନମଣ୍ଡଳୀ ପାଇଁ ମତଦାନ ସରିଛି। ବାକିଥିବା ୧୫୯ ସିଟ୍ ପାଇଁ ଭୋଟିଂ ହେବାର ଅଛି। ଏପ୍ରିଲ ୧୭ ତାରିଖରୁ ୨୯ ତାରିଖ ମଧ୍ୟରେ ଅନ୍ୟ ଆସନ ଗୁଡିକରେ ଭୋଟିଂ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.