ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ବିଜେଡିର ସୋନମ୍ ପଲେଇ ନିର୍ବାଚିତ

Published By : Prameya-News7 Bureau | July 02, 2019 IST

ବ୍ରହ୍ମପୁର ୨|୭: ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ ଆଜି ଛତ୍ରପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି ଉପନିର୍ବାଚନରେ ବିଜେଡି ପକ୍ଷରୁ ଖଲ୍ଲିକୋଟ୍ ନିର୍ବାଚନ ମଣ୍ଡଳୀ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ସୋନମ୍ ପଲେଇଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିଲେ। ସକାଳ ସାଢେ ୧୦ଟା ସମୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସୋନମ୍ ପଲେଇ। ୬୯ ଆସନ ବିଶିଷ୍ଟ ଗଞ୍ଜାମ ଜିଲ୍ଲା ପରିଷଦରେ ବିଜେଡି ୬୪ଟି ଆସନ ଦଖଲ କରିଥିବା ବେଳେ ବିଜେପି ୪ ଏବଂ କଂଗ୍ରେସ ଗୋଟିଏ ଆସନରେ ସୀମିତ ରହିଛି। ବିଜେପି ଓ କଂଗ୍ରେସ ପକ୍ଷରୁ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ।  ଯାହା ଫଳରେ ବିଜେଡି ପ୍ରାର୍ଥିନୀ ସୋନମ୍ ପଲେଇଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ୧୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁବାଷ ବେହେରା ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ। ସେ ଛତ୍ରପୁର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ।

ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲାରେ ମହିଳାଙ୍କ ପ୍ରତି ଗୁରୁତ୍ବ ଦେଇ ମହିଳା ସଶକ୍ତିକରଣ କରିଥିବାରୁ ବହୁତ ଖୁସି ଲାଗୁଛି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ସମସ୍ତଙ୍କ ସହ ସମନ୍ବୟ ରକ୍ଷା କରି ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବି ବୋଲି ନବ ନିର୍ବାଚିତ ଅଧ୍ୟକ୍ଷା ସୋନମ୍ ପଲେଇ କହିଛନ୍ତି। ସେପଟେ ନିଶ୍ଚିତ ଭାବେ ଜିଲ୍ଲାର ବିକାଶ ଦିଗରେ ନୂତନ ଅଧ୍ୟକ୍ଷା ସହାୟକ ହେବେ ବୋଲି କହିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ସୁବାଷ ବେହେରା। ମହିଳାଙ୍କ ପ୍ରତି ଗୁରୁତ୍ବ ଦେବା ସଙ୍ଗେ ସଙ୍ଗେ ଖଲ୍ଲିକୋଟ ଅଞ୍ଚଳ ପ୍ରତି ଦୃଷ୍ଟି ଦେଇ ଜଣେ ମହିଳାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ସୁଯୋଗ ଦେଇଥିବାରୁ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ। ଏହି ଉପନିର୍ବାଚନ ସମୟରେ ଜିଲ୍ଲାର ଅଧିକାଂଶ ବିଧାୟକ, ବିଧାୟିକା ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.