କେନ୍ଦ୍ରାପଡାରେ ବିଜେଡିର ବାଜିମାତ୍, ବୈଜୟନ୍ତଙ୍କୁ ହରାଇଲେ ଅନୁଭବ
24/05/2019 at 8:07 AM

ଭୁବନେଶ୍ବର ୨୩|୫: କେନ୍ଦ୍ରାପଡାରେ ବିଜେଡି ବିପୁଳ ବିଜୟ ହୋଇଛି । ଏଠାରେ ବିଜେଡି ଏକପ୍ରକାର ସବୁ ଆସନ ପୋଛି ନେଇଛି । ପାଟକୁରାରେ ନିର୍ବାଚନ ହୋଇ ନଥିବା ବେଳେ ଲୋକସଭା ଏବଂ ଅନ୍ୟ ୪ଟି ବିଧାନସଭା ଆସନକୁ ବିଜେଡି ଦଖଲ କରିଛି। ଏଥର ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡା ଲୋକସଭା ଆସନରେ ପରାସ୍ତ ହୋଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଏଥର ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ବିଜେଡି ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପ୍ରତିନ୍ଦ୍ବନ୍ଦ୍ବିତା କରୁଥିଲେ । ତେବେ ବୈଜୟନ୍ତଙ୍କୁ ଅନୁଭବ ପରାସ୍ତ କରିଛନ୍ତି। ଏହି ଆସନକୁ ରାଜ୍ୟ ରାଜନୀତିରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଥିଲା। ଉଭୟ ବିଜେଡି ଓ ବିଜେପି ଏହି ଆସନକୁ ସମ୍ମାନର ପ୍ରଶ୍ନ ବୋଲି ବିବେଚନା କରୁଥିଲେ।
ସେହିଭଳି ଆଳିରେ ବିଧାୟକ ଦେବେନ୍ଦ୍ର ଶର୍ମା କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ରାଜନଗରରେ ବିଧାୟକ ଅଂଶୁମାନ ମହାନ୍ତି ଥିଲେ କଂଗ୍ରେସ ପ୍ରାର୍ଥୀ । କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀ ଭାବେ ଶେଷ ମୁହୂର୍ତ୍ତରେ ଓହ୍ଲାଇଥିବା ଶଶୀଭୂଷଣ ବେହେରା ବି କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବିଧାୟକ ଗଣେଶ୍ବର ବେହେରାଙ୍କୁ ପରାସ୍ତ କରିଛନ୍ତି। ମହାକାଳପଡାରୁ ବିଜେଡି ପ୍ରାର୍ଥୀ ଭାବେ ଅତନୁ ସବ୍ୟସାଚୀ ନାୟକ ପୁଣି ଥରେ ବିଜୟୀ ହୋଇ ବିଧାନସଭାକୁ ଲଗାତର ଭାବେ ଚତୁର୍ଥ ଥର ପାଇଁ ଯିବାର ସୁଯୋଗ ପାଇଛନ୍ତି।