Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଣନ୍ତୁ କିଏ ହେଲେ କେଉଁ ଜିଲ୍ଲାର ବିଜେଡି ସଭାପତି

ଭୁବନେଶ୍ୱର ୨୧।୦୨ – ବିଜୁ ଜନତା ଦଳ ସାଂଗଠନିକ ଜିଲ୍ଲା ସଭାପତି ତାଲିକାରେ ୩୩ ମଧ୍ୟରୁ ୧୯ ନୂଆ ମୁହଁ । ୧୪ ପୁରୁଣାଙ୍କ ଉପରେ କିନ୍ତୁ ଦଳ ଭରସା ବଜାୟ ରଖିଛି । ତିନି ମନ୍ତ୍ରୀଙ୍କୁ ମିଳିଛି ନିଜ ନିଜ ଜିଲ୍ଲା ଦାୟିତ୍ବ । ବଲାଙ୍ଗୀରରେ ରାଜ ପରିବାର ହାତରୁ ଖସିଲା ସାଙ୍ଗଠନିକ ଚାବିକାଠି । ବିଧାୟକ ଟିକେଟରୁ ବଞ୍ଚିତ ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଦିଆଗଲା ଗଞ୍ଜାମ ଜିଲ୍ଲା ସଂଗଠନ । ଭୁବନେଶ୍ବରରେ ଦାୟିତ୍ବ ନେଲେ ବିଧାୟକ ଅନନ୍ତ ନାରାୟଣ ଜେନା ।

ଆଜି ଘୋଷିତ ବିଜେଡି ଜିଲ୍ଲା ସଭାପତି ତାଲିକାରେ ୧୯ ନୂଆ ମୁହଁ । ଅନୁଗୋଳ, ଭୁବନେଶ୍ବର, ବଲାଙ୍ଗୀର, ଦେବଗଡ଼, ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ମୟୁରଭଞ୍ଜ-ସଦର, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ରାଉରକେଲା, ସମ୍ବଲପୁର ଏବଂସୁନ୍ଦରଗଡ଼ରେ ବଦଳିଲେ ଜିଲ୍ଲା ମୁଖିଆ । ତିନି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସୁଦାମ ମାରାଣ୍ଡି ଏବଂ ଟୁକୁନି ସାହୁଙ୍କୁ ଯଥାକ୍ରମେ ଢେଙ୍କାନାଳ, ମୟୂରଭଞ୍ଜ-ସଦର ଏବଂ ବଲାଙ୍ଗୀର ଜିଲ୍ଲା ଦାୟିତ୍ବ । ବଲାଙ୍ଗୀରରେ ରାଜ ପରିବାର ହାତରୁ ଖସିଲା ସାଙ୍ଗଠନିକ ଜିଲ୍ଲା ଦାୟିତ୍ବ । ଅବଶ୍ୟ ଏହା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ରାଜ୍ୟସଭା ବାଟ ଫିଟାଇଲା ବୋଲି ହେଉଛି ଆଲୋଚନା । ସେପଟେ, ବଲାଙ୍ଗୀରରେ ଦଳ ଦେଇଥିବା ନୂଆ ଦାୟିତ୍ବ ନିଷ୍ଠାର ସହ ତୁଲାଇବେ ବୋଲି ମନ୍ତ୍ରୀ ଟୁକୁନି ସାହୁ ଦେଇଛନ୍ତି ପ୍ରତିଶ୍ରୁତି । 

ବ୍ରହ୍ଣପୁର ଆସନରୁ ଲଗାତର ୫ ଥର ବିଧାୟକ ହୋଇ ୨୦୧୯ରେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବା ଭେଟେରାନ ଡାକ୍ତର ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଗଞ୍ଜାମ ଜିଲ୍ଲା ଦାୟିତ୍ବ ଦେଇ ବିଜେଡି ତାଙ୍କ ରାଜ୍ୟସଭା ସ୍ବପ୍ନରେ ଏକରକମ ପୂର୍ଣ୍ଣଛେଦ ପକାଇଛି ବୋଲି ଚର୍ଚ୍ଚା ହେଉଛି । ସେହିପରି, ପୁରୀରେ ବିଧାନସଭା ନିର୍ବାଚନରେ ପରାଜିତ ଅଭିଜ୍ଞ ମହେଶ୍ବର ମହାନ୍ତିଙ୍କ ଉପରେ ବିଜେଡି ଭରସା ବଜାୟ ରଖିଛି । ଅନ୍ୟପକ୍ଷରେ, ରାଜନୈତିକ ଉଷ୍ମତାପୂର୍ଣ୍ଣ କେନ୍ଦ୍ରାପଡ଼ାରେ ଉତ୍କଳ ପରିଡ଼ାଙ୍କୁ ଦଳ ଦେଇଛି ନୂଆ ଦାୟିତ୍ବ । ଭୁବନେଶ୍ବରରେ ମେୟରରୁ ବିଧାୟକ ହୋଇଥିବା ଅନନ୍ତନାରାୟଣ ଜେନାଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ମିଳିବା ତାଙ୍କ ରାଜନୈତିକ ପତିଆରା ବୃଦ୍ଧିର ସଙ୍କେତ ଦେଉଛି । ରାଜ୍ୟ କାର୍ଯ୍ୟାଳୟରେ ଦାୟିତ୍ବ ନେବା ପରେ ଅନନ୍ତ ଜେନା ଗଣମାଧ୍ୟମକୁ କ’ଣ କହିଛନ୍ତି ଶୁଣିବା ।

ନୂତନ ଭାବେ ବିଜେଡି ଜିଲ୍ଲା ସଭାପତି ଦାୟିତ୍ବ ପାଇଥିବା ଅନ୍ୟ ନେତାମାନେ ହେଲେ – ମହେନ୍ଦ୍ର ବସ୍ତିଆ – ଅନୁଗୁଳ , ବିଜୟ ରଂଜନ ସିଂ ବରିହା – ବରଗଡ଼, ଦେବାଶିଷ ସାମନ୍ତରାୟ- କଟକ, ରବୀନ୍ଦ୍ର ଜେନା – ବାଲେଶ୍ବର, ପ୍ରଦୀପ ନାୟକ – ଗଜପତି, ପୁଷ୍ପେନ୍ଦ୍ର ସିଂଦେଓ – କଳାହାଣ୍ଡି, ପ୍ରଶାନ୍ତ ମୁଦୁଲି – ଜଗତସିଂପୁର ଏବଂ  କିଶୋର ମହାନ୍ତି – ଝାରସୁଗୁଡ଼ା । ସେହିଭଳି, ଭଦ୍ରକରେ ଜଗନ୍ନାଥ ସ୍ବାଇଁ,  ବୌଦ୍ଧରେ ମହୀଧର ରଣା, ଦେଓଗଡରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ,  ଯାଜପୁରରେ ସରୋଜ ମହାପାତ୍ର,  କନ୍ଧମାଳରେ ସରୋଜ କୁମାର କର୍ଣ୍ଣଙ୍କୁ ସଭାପତି  ଦାୟିତ୍ବ ଦେଇଛି ଦଳ ।

ଅନ୍ୟମାନଙ୍କ ମଧ୍ୟରେ, ମାଧବ ସର୍ଦ୍ଦାରଙ୍କୁ କେନ୍ଦୁଝର, ବିଭୁତି ଭୂଷଣ ବଳବନ୍ତରାୟଙ୍କୁ ଖୋର୍ଦ୍ଧା, ନବରଙ୍ଗପୁରରେ ରମେଶ ମାଝି, ସିଦ୍ଧାର୍ଥ ଦାସ ସମ୍ବଲପୁର, ରମେଶ ବେହେରା ନୟାଗଡ଼, ବିନୟ ଟପ୍ପୋ ସୁନ୍ଦରଗଡ଼, ସରୋଜ କାମ୍ପା ସୁବର୍ଣ୍ଣପୁର, ସାରଦା ନାୟକ ରାଉରକେଲା, କାଶୀନାଥ ହେମ୍ବ୍ରମ ମୟୁରଭଞ୍ଜ ଏବଂ ପୁର୍ଣ୍ଣଚନ୍ଦ୍ର ବାକା ମାଲକାନଗିରି ସାଙ୍ଗଠନିକ ଜିଲ୍ଲା ସଭାପତି ନିଯୁକ୍ତ ହୋଇଛନ୍ତି ।

   Related Posts