NPRକୁ ବିରୋଧ କରିବନି ବିଜେଡି

Published By : Prameya-News7 Bureau | January 28, 2020 IST

ଭୁବନେଶ୍ବର ୨୮।୧: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡି ସଂସଦୀୟ ଦଳ ବୈଠକ। ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାରୁ କଣ ରହିବ ବିଜେଡିର ରଣନୀତି ସେନେଇ ଆଲୋଚନା ହୋଇଛି । ଏହି ବୈଠକରେ ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ଉପସ୍ଥିତ ଥିଲେ।

ଜାତୀୟ ଜନସଂଖ୍ୟା ପଞ୍ଜିକା-ଏନପିଆରକୁ ସଂସଦରେ ବିରୋଧ କରିବନି ବିଜେଡି। ଏଥିରେ ଥିବା କ୍ଲଜ ୧୩/୨କୁ ଇଚ୍ଛାଧୀନ କରାଯାଇଥିବାରୁ ବାପା ମା’ଙ୍କ ଜନ୍ମ ବିଷୟରେ ସୂଚନା ଦେବା ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ନିର୍ଭର କରେ । ସେଥିପାଇଁ ଏନପିଆରକୁ ସମର୍ଥନ କରିବା ଲାଗି ନିଷ୍ପତ୍ତି ନେଇଛି ବିଜେଡି। ଆଜି ନବୀନ ନିବାସରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ  ଅଧ୍ୟକ୍ଷତାରେ ବସିଥିବା   ବିଜେଡି ସଂସଦୀୟ ଦଳ ବୈଠକରେ  ଏ ସଂପର୍କରେ ଆଲୋଚନା ହୋଇଛି । ବଜେଟ୍ ଅଧିବେଶନରେ ସଂସଦର ଉଭୟ ଗୃହରେ ବିଜେଡିର  ରଣନୀତି ଏବଂ ଆଭିମୁଖ୍ୟ କଣ ରହିବ ସେନେଇ ଆଲୋଚନା ହୋଇଛି ।

ପୂର୍ବରୁ ଜିଏସଟି ବାବଦକୁ ବାକିଥିବା ଅର୍ଥ ଏବଂ ଅଧପନ୍ତରିଆ ହୋଇ ରହିଥିବା ରେଳ ପ୍ରକଳ୍ପକୁ ଶେଷ କରିବାକୁ ଦାବି କରିବ ବିଜେଡି । ସେହିଭଳି ମହାନଦୀ ପୋଲାଭରମ୍ ଭଳି ଆନ୍ତରାଜ୍ୟ ନଦୀଜଳ ବିବାଦ ଉଠାଇବା ପ୍ରସଙ୍ଗକୁ ସଂସଦରେ ଉଠାଇବାକୁ ନିଷ୍ପତ୍ତି ହୋଇଛି । ୨୦୨୧ ଜନ ଗଣନାରେ ଜାତିଭିତ୍ତିକ ପରିସଂଖ୍ୟାନ ପାଇଁ ବ୍ୟବସ୍ଥା କରିବାକୁ ବିଜେଡି ସଂସଦରେ ଦାବି କରିବ।

ସେହିଭଳି କୋଲ ରୟାଲଟି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି। ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିବାରୁ ସେ ପ୍ରସଙ୍ଗ ଆଉ ଉଠାଯିବ ନାହିଁ ବୋଲି ସାଂସଦ ପିନାକୀ ମିଶ୍ର କହିଛନ୍ତି। ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.