ରୋଚକ ସ୍ଥିତିରେ ବିଜେଡି ଟିକେଟ କସରତ: ନିରାଶ ଆଶାୟୀଙ୍କ ବିଦ୍ରୋହ ସଂକେତ

Published By : Prameya-News7 Bureau | March 14, 2019 IST

ଭୁବନେଶ୍ବର୧୪|୩: ରୋଚକ ସ୍ଥିତିରେ ବିଜେଡି ଟିକେଟ କସରତ । ଦଳ ବହୁ ଆଶାୟିଙ୍କ ଟିକେଟ କାଟୁଥିବା ଜାଣି ଶତାଧିକ ଆଶାୟି ନବୀନ ନିବାସ ଦୁଆର ବାଡଉଥିବା ବେଳେ କିଛି ନେତା ସିଧା ବିଦ୍ରୋହ ଘୋଷଣା ଆରମ୍ଭ କଲେଣି । ଟିକେଟ ମିଳିବନି ଜାଣିବା ପରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଇସ୍ତଫା ଦେଇଛନ୍ତି । ସେହିଭଳି କଳାହାଣ୍ଡି ସାଂସଦଙ୍କ ଟିକେଟ କଟୁଥିଲେ ବି ଦଳ ତାଙ୍କୁ ପୁରା ଅଣଦେଖା କରିପାରିନି । ତାଙ୍କ ପତ୍ନିଙ୍କ ଥଇଥାନ ପାଇଁ ବାଟ ବାହାର କରିଛି । ସେପଟେ ବହୁ ବରିଷ୍ଠ ନେତା ଯେଉଁମାନେ ୨୦୧୪ରେ ନିର୍ବାଚନ ଜିତିଥିଲେ ସେମାନଙ୍କ ଟିକେଟ ନେଇ ଆଶା ଓ ଆଶଂଙ୍କାରେ ରହିଛନ୍ତି ।

{"id":93680}

ଆରମ୍ଭ ହେଲା ବିଦ୍ରୋହ ଝଟକା । ଟିକେଟ ନମିଳିଲେ ଦଳରେ ଯେ ନେତା ପଡି ରହିବେ ସେକଥା ଆଉ ନୁହେଁ । ବିଜେଡିର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଦଳରୁ ଇସ୍ତଫା ଦେଇ ଏକଥାକୁ ସାମ୍ନାକୁ ଆଣିଛନ୍ତି । ତାଙ୍କୁ ଟିକେଟ ମିଳିବ ନା ନାହିଁ ସେନେଇ ଦଳ ପକ୍ଷରୁ ତାଙ୍କୁ କେହି ପଚାରୁ ନଥିବାରୁ ତାଙ୍କ ସ୍ବାଭିମାନଙ୍କୁ ଠେସ୍ ପହଁଞ୍ଚିଥିବା ଦର୍ଶାଇ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ।

{"id":93681}

ସିଧା ନବୀନ ନିବାସ ଯାଇ ସେ ତାଙ୍କ ଇସ୍ତଫା ପତ୍ର ଧରେଇ ଦେଇଛନ୍ତି । ବଳଭଦ୍ରଙ୍କ ପରେ ଆଉକିଛି ଟିକେଟ ଆଶାୟି ନିରାଶ ହେଲେ ସେଇ ରାସ୍ତାରେ ଆଗକୁ ବାଟକାଟିବେ ବୋଲି ଚର୍ଚା ଆରମ୍ଭ ହୋଇଛି । ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝି ଟିକେଟ ନମିଳିଲେ ଅନ୍ୟକଥା ଚିନ୍ତା କରିବେ ବୋଲି ସଂଙ୍କେତ ଦେଇଛନ୍ତି । ଏମିତିକି ବିଷ୍ଣୁ ଦାସଙ୍କ ଭଳି ନେତା ବି କିଛି କମ୍ ଅନ୍ତୋଷ ପ୍ରକାଶ କରିନାହାଁନ୍ତି ।

 ବିଜେଡି କ୍ଷମତାସୀନ ଦଳ ହୋଇଥିବାରୁ ଦଳ ଭିତରେ ଆଶାୟୀଙ୍କ ଯେତିକି ଭିଡ କାହାର ଟିକେଟ କଟିବ କାହାର ରହିବ ତାକୁ ନେଇ ହାଇ କମାଣ୍ଡ ବି କିଛି କମ୍ ଚାପରେ ନାହାଁନ୍ତି । କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ତାଙ୍କ ଟିକେଟ କଟିବା  ଜାଣି କ୍ଷୁବ୍ଧ ହୋଇଥିବାରୁ ତାଙ୍କୁ ସନ୍ତୁଷ୍ଟ ପାଇଁ ତାଙ୍କ ପତ୍ନି ମାଳବିକା ଦେବୀଙ୍କୁ ବିଧାନସଭା କିମ୍ବା ଲୋକସଭା ଲଢେଇବାକୁ ଦଳ ନିସ୍ପତି ନେଇଛି । ସେହିଭଳି ବ୍ରହ୍ମପୁର ବିଧାନସଭା ଆସନରୁ ୫ଥର ବିଧାୟକ ରମେଶ ଚ୍ୟାଉପଟନାୟକଙ୍କ ଟିକେଟ କଟିବା ନେଇ ଯୋରଦାର ଆଲୋଚନା ହେଉଥିବା ବେଳେ ସେ ନିଜକୁ ପୁରା ହକଦାର ଦାବି କରି ନବୀନ ନିବାସକୁ ବାରମ୍ବାର ଦଉଡୁଛନ୍ତି । ଗଞ୍ଜାମ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ହୋଇଥିବାରୁ ସେଠି କିଏ ଟିକେଟ ପାଇବ କିଏ ପାଇବ ନାହିଁ ତାହା ନବୀନଙ୍କ ନିଜ ନିସ୍ପତି ଉପରେ ନିର୍ଭର କରୁଛି ।

 ବିଜେଡିରେ ଦାମଙ୍କ ପରିବାରକୁ ନେଇ କିଛି କମ୍ ଆଲୋଚନା ହେଉନି । ଦଳ ଦାମଙ୍କ ପୁଅ ସମ୍ବିତଙ୍କୁ ପାରାଦ୍ବୀପରୁ ଟିକେଟ ଦେବ ବୋଲି ଆଲୋଚନା ଚାଲିଥିବା ବେଳେ ଖୋଦ୍ ସମ୍ବିତ ନବୀନ ନିବାସରେ ପହଁଚି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାବି ଚର୍ଚାର ବିଷୟ ପାଲଟିଛି । ସମ୍ବିତ କହିଛନ୍ତି ସେ ପାରାଦ୍ବୀପରୁ ଲଢିବାକୁ ଆଶାୟି କିନ୍ତୁ ବାପାଙ୍କ ରୋଲ୍ କଣ ହେବ ତାହା ସେ କହିପାରିବେନି । ଦାମ ବାବୁ ଜଣେ ସ୍ବାଭିମାନି ନେତା ଏବଂ ତାଙ୍କୁ ମନେଇବା ଦାଇତ୍ବ ତାଙ୍କର ନୁହଁ କହି ସମ୍ବିତ ପାଲଟା ଗୁଗୁଲି ଫିଙ୍ଗିଛନ୍ତି ।

 ବିଜେଡି ଚାଲିଥିବା ଟିକେଟ କସରତରେ ବହୁ ଆଶାୟୀଙ୍କ ସ୍ବପ୍ନ ଧୂଳିସାତ ହେବା ସ୍ପଷ୍ଟ ହୋଇଛି । ଏଭଳି କ୍ଷେତ୍ରରେ କିଛି ବିଦ୍ରୋହୀଙ୍କୁ ବୁଲେଇବଙ୍କେଇ ସନ୍ତୁଷ୍ଟ କରିବାକୁ ଚାପ ପଡୁଥିବା ବେଳେ ଆଉକିଛି ସିଧା ଯୁଦ୍ଧଂ ଦେହି ଡାକରା ଦେଇ ଦଳ ଛାଡୁଛନ୍ତି । ଏସବୁ ଭିତରେ କିନ୍ତୁ ବିଜେଡି ୨-୩ ଦିନ ଭିତରେ ପ୍ରଥମପର୍ଯ୍ୟାୟ ତାଲିକା ଘୋଷଣା କରିବ ବୋଲି ଜଣାପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.