ବିଜେଡିରେ ଅସନ୍ତୋଷ: ଦଳ ଛାଡୁଛନ୍ତି ନେତା, ପ୍ରତ୍ୟୁଷା କହିଲେ ନୟାଗଡରୁ ଲଢିବେ ସ୍ବାଧୀନ, ଅର୍କ କେଶରୀ ପଠାଇଲେ ଇସ୍ତଫା
19/03/2019 at 5:57 PM

ଭୁବନେଶ୍ବର୧୯|୩: ଟିକେଟ ବଣ୍ଟାକୁ ନେଇ କସରତ ସରୁନି । ଏପଟେ ଟିକେଟ ପାଇନଥିବା ନେତା ଦଳ ଛଡିବା ଓ ବିଦ୍ରୋହି ହେବା ଟେନସନ ବଢୁଛି । ସବୁଠାରୁ ବେଶୀ ଅସନ୍ତୋଷ ଦେଖିବାକୁ ମିଳୁଛି ବିଜେଡିରେ । ସୁନ୍ଦରଗଡ ଟିକେଟ ଆଶାୟୀ କୁସୁମ ଟେଟେ ଓ କଳାହାଣ୍ଡି ଜିଲ୍ଲା ସଂପାଦକ ପ୍ରମୋଦ ପଟ୍ଟନାୟକ ବିଜେଡି ଛାଡିଛନ୍ତି । ଆଉ ଅସନ୍ତୋଷକୁ ଦେଖି ଘୋଷଣା ହୋଇ ନଥିବା ୯ ସିଟରେ କାହାକୁ ରଖିବେ କାହାକୁ କାଟିବେ ସେଇ ଅଙ୍କ କଷୁଛି ବିଜେଡି।
ପୂରା ହେଲାନି ଆଶା। ମିଳିଲାନି ଟିକେଟ। ଜଣଙ୍କ ପରେ ଜଣେ ଆଶାୟୀ ବାଟ କାଟୁଛନ୍ତି । ସୁନ୍ଦରଗଡ ବିଜେଡି ନେତା ତଥା ଆଶାୟୀ କୁସୁମ ଟେଟେ ଦଳକୁ ବାଏ ବାଏ କରିଛନ୍ତି । ସେମିତି କଳାହାଣ୍ଡି ବିଜେଡି ସଂପାଦକ ପ୍ରମୋଦ ପଟ୍ଟନାୟକ ବି ଦଳରୁ ମୁହଁ ବୁଲାଇ ଇସ୍ତଫା ଦେଇଛନ୍ତି । ପାରଳାଖେମୁଣ୍ଡି ବିଜେଡି ନେତା କେ ନାରାୟଣ ରାଓଙ୍କ ବିଜେଡିରେ ମନ ଭରିଯାଇଛି ଆଉ ଦଳରୁ ମୁହଁ ମୋଡିଛନ୍ତି ।
ପ୍ରଥମ ଥର ବିଜେଡିରୁ ଲଢି କନ୍ଧମାଳ ସାଂସଦ ହୋଇଥିବା ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ଦଳ ଏଥର ଟିକେଟ ଦେଇ ନଥିବାରୁ ସେ ଜିଦ୍ ଧରିଲେଣି ସେ ନୟାଗଡ଼ରୁ ହିଁ ଲଢ଼ିବେ। ଦରକାର ପଡ଼ିଲେ ସ୍ବାଧୀନ ପ୍ରାର୍ଥୀ ହେବେ। ସେପଟେ କଲାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ତାଙ୍କ ପ୍ରତି ଚକ୍ରାନ୍ତ ହୋଇଥିବା ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କୁ ଟିକେଟ ମିଳିବ ବୋଲି କୁହାଯାଇଥିଲା ହେଲେ ତାହା ହେଲାନି । ସେଥିଲାଗି ସେ ତାଙ୍କୁ ପ୍ରାର୍ଥୀ କରିବା କଥା ପୁନର ବିଚାର କରାଯାଉ ବୋଲି ଲେଖିବା ସହ ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ବି ପଠାଇଛନ୍ତି ।
ଯେଉଁମାନଙ୍କର ଟିକେଟ କଟିଛି ସେମାନେ ଏବେ ଠାକୁ ଠା ବିଚାରବିମର୍ଶ କରୁଛନ୍ତି ।ସମୟ ସରିସରି ଆସୁଥିବା ସରକାରୀ କ୍ବାର୍ଟରରେ କର୍ମୀଙ୍କ ସହ କଥା ହେଉଛନ୍ତି। ଆସ୍କା ବିଧାୟକ ଦେବରାଜ ମହାନ୍ତିଙ୍କ କ୍ବାଟରର ଦୃଶ୍ୟ ଥିଲା ଅଲଗା । ସରପଞ୍ଚ, ସମିତି ସଭ୍ୟ ଓ କର୍ମୀ ବିଧାୟକଙ୍କୁ ଭେଟୁଛନ୍ତି ବିଧାୟକ । ସେମିତି ଦଶପଲ୍ଲା ବିଧାୟକ ପୂଣ୍ଣ ଚନ୍ଦ୍ର ନାୟକଙ୍କ ଘରେ ବସିଛି ବୈଠକ । ସେ ବି ଅନ୍ୟ ଦଳରୁ ଲଢିବା ଇଶାରା ଦେଇଛନ୍ତି । ସେପଟେ କର୍ମୀ କହିଛନ୍ତି ବିଧାୟକଙ୍କୁ ଲଢେଇବୁ ଓ ପୁଣି ଜିତେଇବୁ ।
ସେପଟେ ଏହି ଦୁଇ ପ୍ରର୍ଯ୍ୟାୟର ବାକି ୯ ସିଟ ଅଙ୍କ ବି ଅଡୁଆ ହେଉଛି । ତେଣୁ ଆଗକୁ କିପରି ଅସନ୍ତୋଷ କୁ ରୋକି ତାଲିକା ଘୋଷଣା ହେବ ତାକୁ ନେଇ ବିଜେଡି ଟେନସନରେ ଥିବା କୁହାଯାଉଛି ।