ଚିଲିକାକୁ ବିକ୍ରି କରିବାକୁ କେନ୍ଦ୍ର ଉଦ୍ୟମ କରିଥିବା କହିଲେ ନବୀନ, କାଉଣ୍ଟର କଲା ବିଜେପି

Published By : Prameya-News7 Bureau | April 19, 2019 IST

ନୟାଗଡ ୧୯|୪:  ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ତୋଫାନି ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନୟାଗଡ ଜିଲ୍ଲା ରଣପୁର, ବାଣପୁର ଓ ଚିଲିକାରେ ନିର୍ବାଚନୀ ସଭାରେ ଯୋଗଦେଇ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଛନ୍ତି ।

ଚିଲିକା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଚିଲିକାକୁ କେନ୍ଦ୍ର ବିକି ଦେବାକୁ ଉଦ୍ୟମ କରୁଥିଲା । କିନ୍ତୁ ଏହି ଚକ୍ରାନ୍ତକୁ ଅଟକାଇଛି ବିଜେଡି । ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି ଦେବାକୁ ବସିଥିଲେ । ଚିଲିକା ହେଉଛି ଆମର ମା । ଓଡିଶାର ଗୌରବ । ସେ ଥିବା ପର୍ଯ୍ୟନ୍ତ ଚିଲିକାରେ କ୍ଷତି ଦେବାକୁ ଦେବେନାହିଁ । ଆପଣଙ୍କ ସହିତ ମୁଁ ସବୁବେଳେ ଅଛି ବୋଲି ନବୀନ କହିଥିଲେ ।

ସେହିପରି ରଣପୁରରେ ନବୀନ କହିଥିଲେ ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍‌ ଦେଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ କେନ୍ଦ୍ର ଯୋଜନାଠାରୁ ଦୁଇଗୁଣ ଟଙ୍କା ପାଉଛନ୍ତି । କାଳିଆ ଯୋଜନାର ସଫଳତା କଥା କହିଥିଲେ ନବୀନ। କାଳିଆ ଯୋଜନାରେ ଏଯାବତ୍‌ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ। ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନ ହିଁ ୨ଟି କିସ୍ତିରେ କାଳିଆ ଯୋଜନା ବାବଦ ଅର୍ଥ ମିଳିବ। ପ୍ରାକୃତିକ ବିପର୍ଯ୍ୟୟ ବେଳେ କୌଣସି କେନ୍ଦ୍ରୀୟ ନେତାଙ୍କ ଦେଖା ମିଳିଲା ନାହିଁ। ନିର୍ବାଚନ ସମୟ ପଡ଼ିଥିବାରୁ ସେମାନେ ଭୋଟ୍‌ ମାଗିବାକୁ ଆସୁଛନ୍ତି। ଶଙ୍ଖ ଚିହ୍ନରେ ଭୋଟ୍‌ ଦେଇ ବିଜେଡିର ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ଅନ୍ୟପଟେ ଚିଲିକା ପ୍ରସଙ୍ଗରେ ନବୀନଙ୍କ ଟାର୍ଗେଟ୍ ର ଜବାବ ରଖିଛି ବିଜେପି । ନବୀନ ବାବୁ ଭୟଭୀତ ହୋଇ ଏଭଳି କହୁଥିବା କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । ଚିଲିକା ପାଇଁ ବିଜେଡି ସରକାର କଣ କରିଛନ୍ତି ତାର ଆଗ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.