Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡ଼ିର ପ୍ରଶ୍ନ: ଜାଲ୍ ଗୁଇନ୍ଦା ଚିଠି ପ୍ରସାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ?

23/03/2019 at 7:52 PM

ଭୁବନେଶ୍ୱର୨୩/୩ : ଗୁଇନ୍ଦା ନାଁରେ ଏକ ଜାଲ୍ ଚିଠି ଦେଖାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରାଇଥିବା ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କାହିଁକି ବୋଲି ଆଜି ବିଜୁ ଜନତା ଦଳ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛି । ଘଟଣା ଘଟିବାର ୬ ଦିନ ବିତିଯାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା, ଏପରିକି ତଦନ୍ତରେ ପୁଲିସ ଧିମେଇ ଯିବାକୁ ନେଇ ବିଜେଡ଼ି ଆପତ୍ତି ଉଠାଇଛି ।


ଦଳ ପକ୍ଷରୁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍କାରକପତ୍ର ଦିଆଯାଇଛି । ସେଥିରେ କୁହାଯାଇଛି ଯେ ଜାଲ୍ ଗୁଇନ୍ଦା ଚିଠି ଦେଖାଇଥିବା ବିଜେପିର ମିଛ ଧରା ପଡ଼ିସାରିଛି । ବିଜେପି ନେତାଙ୍କ ମିଛ ଧରାପଡ଼ିଯାଇଥିବାରୁ ନୈତିକତା ଦୃଷ୍ଟିରୁ ସେମାନେ ପୁଲିସ ସମନର ସାମନା କରିବାକୁ ସାହାସ କରିପାରୁନାହାନ୍ତି । ତଦନ୍ତରେ ସହଯୋଗ ପାଇଁ ସେମାନେ ପୁଲିସ ଆଗରୁ ଲୁଚି ନ ଯାଇ ସାହସର ସହ ସାମନା କରିବା ଉଚିତ । ମିଛ କହି ଲୋକଙ୍କୁ ଭୂଆଁ ବୁଲାଇବାରେ ବିଜେପି ବେଶ୍ ଧୂରନ୍ଧର ଏବଂ ବିଜେପିର ଏହି ଭାବମୂର୍ତ୍ତି ଓଡ଼ିଶାବାସୀ ଜାଣିଛନ୍ତି । ତେବେ ଜାଲ୍ ଗୁଇନ୍ଦା ଚିଠି ମାମଲାରେ ସେମାନେ ପଛଘୁଞ୍ଚା ନ ଦେଇ ନିଜକୁ ପ୍ରମାଣ କରିବାର ସୁଯୋଗ ନେବା ଦରକାର ।


ବିଜେଡ଼ି କହିଛି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ବିଜେପିର ଏହି ହୀନ କାର୍ଯ୍ୟ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ପୁଲିସ ତତ୍ପରତା ଦେଖାଉନାହାନ୍ତି । ଏଥିରେ ପୁଲିସ ଓ ଗୁଇନ୍ଦା ବିଭାଗର ଭାବମୂର୍ତ୍ତି ଜଡ଼ିତ ବୋଲି ସେମାନେ ଜାଣି ରଖିବା ଉଚିତ । ବିଳମ୍ବ ନ୍ୟାୟ, ନ୍ୟାୟ ନୁହେଁ ବୋଲି ଆମର ବିଶ୍ୱାସ ଅଛି । ତେଣୁ ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନ ଥିବାରୁ ଅପରାଧୀଙ୍କୁ ବିଳମ୍ବରେ ଦଣ୍ଡ ମିଳିଲେ ତାହାର କିଛି ପ୍ରାସଙ୍ଗିକତା ରହିବ ନାହିଁ । ସୁତରାଂ ନିର୍ବାଚନ କମିଶନ ଏ ଦିଗରେ ବିହିତ ପଦକ୍ଷେପ ନେଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡ଼ି ପକ୍ଷରୁ ଦାବି କରାଯାଇଛି ।


ବିଜେଡ଼ି ପ୍ରତିନିଧି ଦଳରେ ସାମିଲ ଥିଲେ ଅସୀମ ଅମିତାଭ ଦାସ, ଶ୍ରୀମତୀ ସୁଲୋଚନା ଦାସ, ଡ. ସସ୍ମିତ୍ ପାତ୍ର ଏବଂ ବିଜୟ କୁମାର ନାୟକ ।

   Related Posts