ଭୁବନେଶ୍ବରରେ ତେଲ ତାତି: ରାଜଭବନ ସମ୍ମୁଖରେ ବିଜେଡିର ଧାରଣା, ବିଜେପି କହିଲା ଭାଟ କମାଅ

Published By : Prameya-News7 Bureau | October 01, 2018 IST

ଭୁବନେଶ୍ବର ୧|୧୦:  ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ପୁଣି ଆନ୍ଦୋଳନ । କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ରୋକିବାରେ ବିଫଳ ଅଭିଯୋଗ ରାଜଭବନ ଆଗରେ ଧାରଣା ଦେବା ସହ ପ୍ରତିବାଦ କରିଛି ଦଳ । ସେପଟେ ଲୋକଙ୍କ ସ୍ବାର୍ଥ ପାଇଁ ନୁହେଁ ବରଂ ରାଜନୈତିକ ଉଦେଶ୍ୟରେ ବିଜେଡି  ଏମିତି ଡେଉଁଥିବା ବିଜେପି କହିଛି । କାହିଁକି ରାଜ୍ୟ ସରକାର ଭାଟ୍ କମାଉ ନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ରାଜଧାନୀରେ ତେଲ ତାତି । କେନ୍ଦ୍ର ସରକାରଙ୍କ  ବିରୋଧରେ ନାରାବାଜି, ପ୍ରତିବାଦ ର୍ୟାଲି, ବାଇକ ର୍ୟାଲି ସହ ରାଜଭବନ ଆଗରେ ବିଜେଡିର ଧାରଣା । ତୈଳ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା । ବିଜୁ ଛାତ୍ର ଜନତା, ଯୁବ ଓ ବିଜୁ ମହିଳା ଜନତା ଦଳ ପକ୍ଷରୁ ଜୋରଦାର୍ ପ୍ରତିବାଦ କରାଯାଇଛି । ପେଟ୍ରେଲ, ଡିଜେଲ ଏବଂ ଏଲପିଜିର ଆକାଶ ଛୁଆ ଦରକୁ ନିନ୍ଦା କରିଛି ଦଳ । ମୋଦି ସରକାର ତୁରନ୍ତ ତେଲ ଉପରେ ନିୟନ୍ତ୍ରଣ ରଖିବାକୁ ଦାବି ହୋଇଛି । ଦର ନକମିଲେ ଆଗକୁ ରାଜ୍ୟର ୩୧୪ ବ୍ଲକରେ ପ୍ରତିବାଦ ହେବ ବୋଲି ବିଜେଡି ଚେତାବନୀ ଦେଇଛି । ତେଲ ଦର ବୃଦ୍ଧିକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରୁଥିବା ବେଳେ ଏହା ଲୋକଙ୍କୁ ବାଧୁଛି ବୋଲି ମାନିଛି ବିଜେପି । ତେବେ ବିଜେଡିର ପ୍ରତିବାଦ ତୈଳ ଦର ବୃଦ୍ଧିକୁ ନେଇ ନୁହେଁ, ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ରାଜନୈତିକ ଆକ୍ରମଣ ବୋଲି କହିଛି ଦଳ । ବିଜେଡି ଯଦି ଲୋକଙ୍କ ପାଇଁ ଏତେ ଚିନ୍ତା କରୁଛି, ତା ହେଲେ କାହିଁକି ରାଜ୍ୟ ସରକାର ଭାଟ୍ କମାଉ ନାହାନ୍ତି ? ତ୍ରିପୁରା ଭଳି ରାଜ୍ୟ ସାଢେ ୧୩ ପ୍ରତିଶତ ଭାଟ୍ ନେଉଥିବା ବେଳେ ଡ଼ିଶା ୨୬ ପ୍ରତିଶତ ନେଉଛି ତେଲରୁ ଟିକସ ବାବଦରୁ ରାଜ୍ୟ ସରକାର ଏବେ ହାଜର କୋଟି ଟଙ୍କା ପାଉଛନ୍ତି ଭାଟ୍ କମାଇ ତୈଳ ଦର କାହିଁକି କମାଉ ନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଆଉ କଂଗ୍ରେସ କହୁଛି, ପ୍ରତିବାଦ ନାଁ ଡ୍ରାମା ଚାଲିଛି । ରାଜ୍ୟରେ ପେଟ୍ରୋଲ ଦର ଏବେ ୮୨ ଟଙ୍କା ଟପିଲାଣି ସେପଟେ ଅଣ ସବସିଡି ଗ୍ୟାସ୍ ଦର ସିଲିଣ୍ଡର ପିଛା ୫୯ ଟଙ୍କା ବଢ଼ିଥିବା ବେଳେ ସବସିଡି ପାଉଥିବା ଗ୍ରାହକ ୨ ଟଙ୍କା ୮୯ ପଇସା ଅଧିକା ଦେବେ । ଯାହକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେବେ ଲୋକଙ୍କ ସ୍ବାର୍ଥ ଆଳରେ ଚାଲିଛି ରାଜନୈତିକ ବାଦି ପାଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.