ବିଜେଡିର ଅଦ୍ଭୁତ ଟିକେଟ୍ ଡ୍ରାମା : ବିଜେପି ଟିକେଟ୍ ପାଇଥିବା ନେତା ବି ଆସୁଛନ୍ତି ବିଜେଡିକୁ, କାକଟପୁର ବିଧାୟକ ହରାଇ ପାରନ୍ତି ଟିକେଟ୍

Published By : Prameya-News7 Bureau | April 02, 2019 IST

ଭୁବନେଶ୍ବର ୨|୪: ଭାଗିରଥୀ ସେଠୀଙ୍କ ପରେ ତୁଷାର କାନ୍ତ ବେହେରା । ଏ ଦୁଇଜଣ ବିଜେପିରୁ ଟିକେଟ ନେଇ ସାରିଥିଲେ । କିନ୍ତୁ ପରେ ବିଜେଡି ଟିକେଟ ପାଇଁ ବିଜେପିକୁ ବାଏବାଏ କରି ବିଜେଡିକୁ ଡେଇଁଲେ । ଭାଗିରଥି ସିନା ବିଜେପି ଟିକେଟ ଛାଡି ସିଧା ବିଜେଡି ଟିକେଟ ନେଲେ । ତୁଷାର କାନ୍ତି କିନ୍ତୁ ବିଜେପି ଛାଡି ବିଜେଡି ଟିକେଟ ନେଇଥିବା ସୁରେନ୍ଦ୍ର ସେଠୀଙ୍କ ଟିକେଟ ଛଡାଇନେବାକୁ ଯାଉଛନ୍ତି । ବିଜେଡିର ଟିକେଟ ବଣ୍ଟା ରାଜନୀତି ଏଭଳି ରୋଚକ ସ୍ଥିତିରେ ପହଁଚିଛି । ଏହାବାଦ୍ ଶେଷମୁହୂର୍ତ ପର୍ଯ୍ୟନ୍ତ ଦଳରେ ଟିକେଟ କସରତ ବି ଜାରି ରହିଛି । ନବୀନ ନିବାସ ଭିତରେ ଲବି ଯେତେ ବାହାରେ ପ୍ରତିବାଦ ବି କମ୍ ନାହିଁ ।

{"id":99449}

ବିଜେପି ପ୍ରର୍ଥୀଙ୍କୁ ବିଜେଡିର ପୋଚିଂ – ପାର୍ଟ ୨ ।  ବିଜେପିରୁ ଟିକେଟ ନେଇ ବିଜେଡି କ୍ୟାମ୍ପକୁ ଡେଇଁଛନ୍ତି କାକଟପୁର ପଦ୍ମ ପ୍ରାର୍ଥୀ ତୁଷାରକାନ୍ତୀ ବେହେରା । ପୂର୍ବରୁ ସମାନ ଢଙ୍ଗରେ ବିଜେଡି ଟିକେଟ ହାତେଇଥିଲେ ଭାଗିରଥୀ ସେଠୀ ।  ଟିକେଟ ବଣ୍ଟା ଛକାପଞ୍ଛା ବିଜେପିକୁ ଯେତିକି ଝଟକା ଦେଉଛି ଦଳ ଭିତରର ନେତାଙ୍କୁ ବି ଚମକାଇ ଦେଉଛି । ଯିଏ ଟିକେଟ ନେଇକି ଯାଉଛି ତା ଟିକେଟ ବି ପୁଣି ଫେରସ୍ତ ନହେବ ଏକଥା କୁହାଯାଇ ପାରିବନି ।  କାକଟପୁର ପାଇଁ ସିଟିଙ୍ଗ ଏମଏଲଏ ସୁରେନ୍ଦ୍ର ସେଠୀ ବିଜେଡି ଟିକେଟ ନେଇସାରିଥିଲେ ।

{"id":99452}

କିନ୍ତୁ ବିଜେପିରୁ ଟିକେଟ ନେଇଥିବା ତୁଷାରକାନ୍ତି ବେହେରାଙ୍କୁ ଶେଷମୂହୁର୍ତ୍ତରେ ବିଜେଡି ଦଳରେ ମିଶାଇ ତାଙ୍କୁ ସେଠାରେ ଟିକେଟ ଦେବା ଯୋଜନା କରିଛି । ଅର୍ଥାତ ଭକୁଆ ବନି ପାରନ୍ତି ସୁରେନ୍ଦ୍ର ସେଠୀ । ସେହିଭଳି ଭୁବନେଶ୍ବର ମଧ୍ୟ  ଓ ଉତ୍ତରର ଅବସ୍ଥା ଯେଭଳି ଛକାପଞ୍ଛା ରୋଚକ ସ୍ଥିତିରେ ପହଁଚିଛି ତାହା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୁବନେଶ୍ବର ଉତ୍ତରରୁ ପ୍ରିୟଦର୍ଶି ମିଶ୍ର ଓ ଭୁବନେଶ୍ବର ମଧ୍ୟରୁ ବିଜୟ ମହାନ୍ତିଙ୍କ ସ୍ଥାନରେ ନୂଆ ମୁହଁ ଦେଇଛି ଦଳ। ପୂର୍ବତନ ମେୟର ଅନନ୍ତ ଜେନାଙ୍କ ଠାରୁ ଧରି ଅମର ପଟ୍ଟନାୟକ , ଶଶୀ ଭୂଷଣ ବେହେରା ଓ ଦେବାଶିଷ ନାୟକଙ୍କ ନାଁ ଚର୍ଚ୍ଚାରେ ଚାଲିଥିଲା । ପୁଣି  ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ନବୀନଙ୍କୁ ଭେଟି ନିଜ ଜ୍ବାଇଁ ପ୍ରିୟଦର୍ଶୀ ମିଶ୍ର କିମ୍ବା ଝିଅ ପାଇଁ ଟିକେଟ ଲବି କରିଥିଲେ ।ତେବେ ଶେଷରେ ଏ ଦୁଇ ଆସନରେ ଅନନ୍ତ ଜେନା ଓ ସୁଶାନ୍ତ ରାଉତଙ୍କୁ ଦଳ ପ୍ରାର୍ଥୀ କରିଛି ।

{"id":99450}

ସେପଟେ ଆଜି ଦେବଗଡ ଆସନରୁ ନୂଆ ମୁହଁ ରୋମାଞ୍ଚ ରଂଜନ ବିଶ୍ବାଳ ନବୀନ ନିବାସରୁ ଟିକେଟ ନେଇ ଯିବା ପୂର୍ବରୁ ଦେବଗଡ ଜିଲ୍ଲା ସଭାପତି ତଥା ଏଥରର ଟିକେଟ ଆଶାୟୀ ସୁଧିର କାରପରଦାର ଦଳରୁ ଇସ୍ତଫା ଦେଇଛନ୍ତି । ଦଳ ବଣ୍ଡେଡ ଲେବର ଭଳି ଖଟାଇ ଧୋକ୍କା ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ବିଜେଡି ଟିକେଟ ପାଇଥିବା ବେଦ ପ୍ରକାଶ ଅଗ୍ରଓାଲ ଏବେବି ମେଡିକାଲରେ ଥିବାରୁ ତାଙ୍କ ପତ୍ନୀ ଓ ପୁଅ ପରିବାର ସଦସ୍ୟଙ୍କୁ ଟିକେଟ ଦେବାକୁ ଲବି କରିବାକୁ ନବୀନ ନିବାସରେ ପହଁଚିଛନ୍ତି ।  କଥା ଏତିକିରେ ଅଟକିନି । ଅର୍ଥ ମନ୍ତ୍ରୀ ଶଶି ବେହେରାଙ୍କୁ ଟିକେଟ ନମିଳିବାରୁ ତାଙ୍କ ସମର୍ଥକମାନେ ନବୀନ ନିବାସ ଆଗରେ ନାରାବାଜି କରିଛନ୍ତି । ସେପଟେ କଟକ ସଦରରୁ ବହୁ ଅସନ୍ତୁଷ୍ଟ ବିଜେଡି କର୍ମି ମନ୍ତ୍ରୀ ଚନ୍ଦ୍ର ସାରଥିଙ୍କ ବିରୋଧରେ ଗର୍ଜିଛନ୍ତି ।

{"id":99451}

ସେପଟେ ଖୋର୍ଦ୍ଧା ରାଜନୀତି ଦଳକୁ ହଲାପଟା କଲାଣି। ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ ଚିଲିକାରୁ ଟିକେଟ ପାଇ ଅସନ୍ତୁଷ୍ଟ। ଏପରିକି ଦଳର ଅନ୍ୟ ବିଧାୟକ ତାଙ୍କୁ ସହଯୋଗ କରୁନଥିବା କହିଛନ୍ତି। ଦଳ ଏଠାରେ ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ବଦଳାଇଥିବାରୁ  ସେହି ବିଧାୟକଙ୍କ ମଧ୍ୟରେ ଛକାପଞ୍ଝା ଜୋରଦାର ହୋଇଛି।

{"id":99453}

ବିଜେଡି ଟିକେଟ କସରତକୁ ନେଇ ଦଳ ଯେତିକି ଅଙ୍କ କଷୁଛି ବିଜେପିରୁ ଟିକେଟ ନେଇ ବିଜେଡି ଆସୁଥିବା ନେତାଙ୍କ ଉଦାହରଣ ଦେଇ ଦଳ ବିଜେପିର ମିଶନ ୧୨୦ ପ୍ଲସ ଉପରେ ପ୍ରଶ୍ନ ଚିହ୍ନ ଉଠାଇଛି । ବିଜେଡି କହିଛି ଦଳର ୧୦ ବିଧାୟକ ପ୍ରାର୍ଥୀ ବିଜେଡିରେ ମିଶିବା ଲାଗି ଗୋଡ଼ କାଢ଼ି ବସିଛନ୍ତି।  ଯାହାକୁ ନେଇ ଦୁଇଦଳ ଭିତରେ ତୁତୁ ମେଁମେଁ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.