ବିଜେଡି ସୁପ୍ରିମୋଙ୍କ ନୂଆ ଫଣ୍ଡା: ରାଜ୍ୟ ପରିଷଦ ବୈଠକରେ ନବୀନ କହିଲେ 'ଦୁର୍ନୀତି ଦେଶର ବଡ଼ ଶତ୍ରୁ, ଆମେ ରାଜ୍ୟବାସୀଙ୍କ ବିଶ୍ବାସ ଜିତିଛୁ'

Published By : Prameya-News7 Bureau | December 21, 2020 IST

ଭୁବନେଶ୍ୱର ୨୧/୧୨ : ଶେଷ ହେଲା ବିଜେଡି ରାଜ୍ୟ ପରିଷଦ ବୈଠକ। ଏହି ବୈଠକରେ ଦଳ ଓ ସରକାରଙ୍କୁ କ୍ରିୟାଶୀଳ କରିବାପାଇଁ  ବିଜେଡି ସୁପ୍ରିମୋ ବାହାର କରିଛନ୍ତି ନୂଆ ଫଣ୍ଡା। ଏଥର ତୃଣମୂଳ ସ୍ତରରୁ କର୍ମୀଙ୍କ ମତାମତରେ ଚାଲିବ ଦଳ ଓ ସରକାର।  ନବୀନଙ୍କ ଏଭଳି  ନିର୍ଦ୍ଦେଶ ପାଇଁ ଜିଲା ପରିଷଦ ସଦସ୍ୟମାନେ ଡ୍ରପ ବକ୍ସରେ ମତାମତ ପକେଇବା ସହିତ ଜିଲ୍ଲା ସଭାପତି ମାନେ  ଅନେକ ପ୍ରସ୍ତାବ ଦେଇଛନ୍ତି।

ତୃଣମୂଳ ସ୍ତରର କର୍ମୀଙ୍କ ମତାମତ ନେଇ ଏଥର ଚାଲିବ ଦଳ ଓ ସରକାର। ଆଜି ବିଜେଡି ରାଜ୍ୟ ପରିଷଦ ବୈଠକରେ ଏଭଳି ନୂଆ ଫଣ୍ଡା ଧରାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟ ସ୍ତରରେ ଯାହାସବୁ ନିଷ୍ପତ୍ତି ନିଆଯାଉଛି ତାହା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଦୁର୍ନୀତି ଦେଶର ସବୁଠାରୁ ବଡ଼ ଶତ୍ରୁ। ତେଣୁ ଦୁର୍ନୀତି ବିରୋଧରେ ଆମର ଲଢ଼େଇ ରାଜ୍ୟବାସୀଙ୍କ ବିଶ୍ବାସ ଜିତିଛି।  ଦୁର୍ନୀତି ବିରୋଧ ଲଢ଼େଇକୁ ଆଗକୁ ନେବା ପାଇଁ ନବୀନ ଏହି ସମୟରେ କହିଛନ୍ତି।  ତଳସ୍ତରରୁ ସର୍ବୋଚ୍ଚ ଅଧିକାରୀଙ୍କ ପର୍ଯ୍ୟନ୍ତ ସଂପତ୍ତି ତାଲିକା ପ୍ରକାଶ କରିବା ବାଧ୍ୟତା ମୂଳକ ହେବ ଏବଂ ଏହାକୁ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ ବୋଲି ନବୀନ କହିଛନ୍ତି।  ସେହିପରି ସରକାରୀ ସ୍ତରରେ ପାଠପଢୁଥିବା ପିଲାମାନଙ୍କ ପାଇଁ ମଡ଼ିକାଲ ଓ ଇଞ୍ଜିନିୟରିଂ ପାଠପଢ଼ାରେ ସ୍ଥାନ ସଂରକ୍ଷଣ ରଖିବାକୁ ଆସିଥିବା ପ୍ରସ୍ତାବକୁ ନବୀନ ସ୍ବାଗତ କରିଛନ୍ତି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥବା ରାଜ୍ୟ ପରିଷଦ ବୈଠକ ଆରମ୍ଭରୁ ସଦସ୍ୟମାନଙ୍କୁ ସଙ୍ଗଠନ ଓ ସରକାର ପାଇଁ ଗୋଟିଏ ଗୋଟିଏ ମତାମତ ଦେବାକୁ  ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦେଶ ଅନୁଯାୟୀ ସଦସ୍ୟମାନେ ଡ୍ରପ ବକ୍ସରେ ମତାମତ ଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅ। ଟୀକାକରଣକୁ ସୁବ୍ୟବସ୍ଥିତ କର।  ପଂଚାୟତ ସ୍ତରରୁ ଟାସ୍କଫୋର୍ସ ଗଠନ କର ଏମିତି କିଛି ପ୍ରସ୍ତାବ ବୈଠକରେ ଜିଲ୍ଲା ସଭାପତି ମାନେ ରଖିଥିଲେ।

ସଦସ୍ୟମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି। ସେ ସବୁ ପ୍ରସ୍ତାବ ଉପରେ ବିଚାରବିମର୍ଶ କରିବେ ମୁଖ୍ୟମନ୍ତ୍ରୀ। ଏହା ସହିତ ଯବାନ ଓ ପ୍ରବାସୀ ଶ୍ରମିକ ଅସୁବିଧାକୁ ଦୂର କରିବା ପାଇଁ ଗୋଟିଏ ଗୋଟିଏ ସେଲ ଗଠନ କରାଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.