ନୂଆ ମୋଟର ଯାନ ଆଇନ କଡାକଡି ନେଇ ଆହୁରି ୨ରୁ ୩ମାସ ସମୟ ଦିଆଯାଉ, ଶୂନ୍ୟକାଳରେ ଦାବି କଲେ ବିଜେଡି ବିଧାୟକ ଦେବୀ ମିଶ୍ର
28/11/2019 at 12:38 PM

ଭୁବନେଶ୍ବର ୨୮।୧୧: ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ନେଇ ଗୃହରେ ପ୍ରସଙ୍ଗ ଉଠାଇଲେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ ବିଧାୟକ । ଡିସେମ୍ବର ପହିଲାରୁ ଏହାକୁ କଡାକଡି କରିବାକୁ ନିଷ୍ପତ୍ତି ହୋଇଛି । ସନ୍ଧ୍ୟା ନହେଉଣୁ ଆରଟିଓ ଅଫିସ୍ ବନ୍ଦ ହୋଇଯାଉଛି । ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏ ପ୍ରସଙ୍ଗ ଉଠାଇଥିଲେ । କୋରାପୁଟରେ ମାତ୍ର ୪ଜଣ କର୍ମଚାରୀ ରହିଛନ୍ତି । ଯଦି ତନାଘନା କରାଯାଏ ତେବେ ଲୋକଙ୍କ ସମସ୍ୟା ବଢ଼ିବ । ସବୁ ଆରଟିଓରେ ଦୁର୍ନୀତି ବଢିଛି । ତେଣୁ ସମୟସୀମା ବଢ଼ିବା ଦରକାର । ଡିସେମ୍ବର ୧ ରୁ ନୁହଁ ବରଂ ଲୋକଙ୍କୁ ଅନ୍ତତଃ ଆହୁରି ଦୁଇରୁ ତିନି ମାସର ମହଲତ ଦିଆଯାଉ। ଏନେଇ ରୁଲିଂ ଦେବାକୁ କହିଥିଲେ ଉଭୟ ଶାସକ ଓ ବିରୋଧୀ ସଭ୍ୟ । ମନ୍ତ୍ରୀ ଏନେଇ ଉତ୍ତର ରଖିବା ଦରକାର ବୋଲି କହିଛନ୍ତି ।
ନିୟମ କଡାକଡି କରିବା ନେଇ ତାରିଖ ଘୁଞ୍ଚିବା ଲାଗି ସରକାର ତର୍ଜମା କରୁଛନ୍ତି । ଏ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।