ବାକି ଥିବା ୩ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି
31/03/2019 at 3:07 PM

ଭୁବନେଶ୍ବର ୩୧|୩ : ବିଜେଡି ତାର ବାକି ଥିବା ୩ଟି ଲୋକସଭା ଓ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଜି ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ । ସେଥିପାଇଁ ବାକି ଥିବା ଟିକେଟ୍ ଆଶାରେ ନବୀନ ନିବାସରେ ଆଜି ବି ନେତାଙ୍କ ଭିଡ ଲାଗିଛି । ଆଜି ସକାଳୁ କୋରେଇ ବିଧାୟକ ଆକାଶ ଦାସ ନାୟକ, ସମ୍ବଲପୁରରୁ ଟିକେଟ୍ କଟିଥିବା ନଗେନ୍ଦ୍ର ପ୍ରଧାନ, ଭୁବନେଶ୍ବରର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପାଲଲହଡା ବିଧାୟକ ରବି ନାରାୟଣ ପାଣି, ମହେଶ୍ବର ମହାନ୍ତି ପ୍ରମୁଖ ଭିଡ ଜମାଇଛନ୍ତି ।

ପାଲଲହଡା ବିଧାୟକ ରବି ନାରାୟଣ ପାଣି କହିଛନ୍ତି ଯେ, ସେ ଢେଙ୍କାନାଳ ଲୋକସଭା ଓ ପାଲଲହଡା ବିଧାନସଭା ଆସନ ପାଇଁ ଆଶାୟୀ ଅଛନ୍ତି । ଟିକେଟ୍ ମିଳୁ କି ନମିଳୁ ସେ ଦଳ ଛାଡିବେନି ବୋଲି କହିଛନ୍ତି । ସେହିପରି ମହେଶ୍ବର ମହାନ୍ତି କହିଛନ୍ତି ହିନ୍ଦୁତ୍ବକୁ ନେଇ ରାଜନୀତି ରଣନୀତି ପୁରୀରେ କାମ ଦେବନି । ସେପଟେ କିଛି ବିଧାୟକଙ୍କ ସମର୍ଥକ ଓ ଅନ୍ୟ କିଛି ବିଧାୟକଙ୍କ ବିରୋଧୀ ଗୋଷ୍ଠୀଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି ।

ବରୀ ବିଧାୟକ ଦେବାଶିଷ ନାୟକଙ୍କ ସମର୍ଥକମାନେ ଟିକେଟ୍ ଦାବିରେ ନବୀନ ନିବାସ ସମ୍ମୁଖରେ ଭିଡ ଜମାଇଥିଲେ । ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରି କିଛି ଲୋକ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା ।