ବିଜେଡିରେ ଚାଲିଛି ସାଂଗଠନିକ ପୁନର୍ବିନ୍ୟାସ କସରତ : ଛାତ୍ର-ଯୁବ-ମହିଳା ବିଜେଡ଼ିର ପ୍ରମୁଖ ପଦ ପାଇଁ ଦାବିଦାର ଅନେକ

Published By : Prameya-News7 Bureau | July 05, 2020 IST

ଭୁବନେଶ୍ୱର୦୫।୦୭ : ପବିତ୍ର ବାହୁଡ଼ା ଅବସରରେ ଦଳର ସାଂଗଠନିକ ପୁନର୍ବିନ୍ୟାସ ଆରମ୍ଭ କରିଛି ବିଜେଡି । ବରିଷ୍ଠ ନେତାମାନଙ୍କୁ ସଂଗଠନରେ ଗୁରୁ ଦାୟିତ୍ୱ ଦିଆଯାଇଛି । ଏବେ ଛାମୁଆ ସଂଗଠନର ବି ପୁନର୍ବିନ୍ୟାସ ହେବ । ଏ ନେଇ ପ୍ରକ୍ରିୟା ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସପ୍ତାହେ ଭିତରେ ଛାମୁଆ ସଂଗଠନ ରୂପ ରେଖ ବଦଳିବା ନେଇ ବଡ଼ ଘୋଷଣା ହୋଇପାରେ ।

ବିଜେଡିରେ ଯୁବ, ଛାତ୍ର, ମହିଳା ସଂଗଠନର ନେତୃତ୍ୱ କିଏ ନେବେ? ଏହାକୁ ନେଇ ଦଳ ଭିତରେ ରାଜନୈତିକ ଚର୍ଚ୍ଚା ବଢ଼ିଯାଇଛି । ନବୀନ କାହା ମୁଣ୍ଡରେ ଛାମୁଆ ସଂଗଠନ ମୁଖିଆ ମୁକୁଟ ପିନ୍ଧାଇବେ, ତାହା ଉପରେ ସଭିଙ୍କ ନଜର ରହିଛି। ଭାବମୂର୍ତ୍ତି, ସାଂଗଠନିକ ଦକ୍ଷତା ଓ ଗ୍ରହଣୀୟତାକୁ ପାଥେୟ କରି ଛାମୁଆ ନେତା ଚୟନ ହେବେ । ଏ ନେଇ ତାଲିକା ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଛି । ଯେ କୌଣସି ସମୟରେ ଘୋଷଣା ହୋଇପାରେ ।

ଏବେ ନଜର ପକାଇବା ଯୁବ ସଂଗଠନ ଉପରେ । ଯୁବ ବିଜେଡି ରାଜ୍ୟ ସଭାପତି ଦୌଡ଼ରେ ଅନେକ ନେତା ଅଛନ୍ତି । ସବୁଠୁ ବେଶି ଚର୍ଚ୍ଚା ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ (ବାପୁ) ରାଉତଙ୍କ ନାଁକୁ ନେଇ । କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମୋହର ତାଙ୍କ ଦେହରେ ବାଜିନାହିଁ । ଦଳରେ ସବୁ ନେତାଙ୍କ ସହ ସେ ଉତ୍ତମ ସମ୍ପର୍କ ରକ୍ଷା କରି ଚାଲିଛନ୍ତି ।

ସମ୍ଭାବ୍ୟ ତାଲିକାରେ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ (ବାବୁନି) ବେହେରାଙ୍କ ନାମ ମଧ୍ୟ ରହିଛି। ମନ୍ତ୍ରିମଣ୍ଡଳରେ ନଥିବାବେଳେ ତାଙ୍କୁ ଯୁବ ସଂଗଠନ ମଙ୍ଗ ଧରାଇବା ନେଇ ଚର୍ଚ୍ଚା ହେଉଛି । ଚାନ୍ଦବାଲି ବିଧାୟକ ତଥା ଛାତ୍ର ବିଜେଡିର ପୂର୍ବତନ ସଭାପତି ବ୍ୟୋମକେଶ (ବାପି) ରାୟ ମଧ୍ୟ ରେସ୍‌ରେ ଥିବା କୁହାଯାଉଛି । ଅନ୍ୟମାନଙ୍କ ମଧ୍ୟରେ ଅନୁଭବ ପଟ୍ଟନାୟକ ଓ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଦାବିଦାର ଥିବା ଶୁଣିବାକୁ ମିଳୁଛି ।
ଛାତ୍ର ସଂଗଠନର ମଙ୍ଗ କାହାକୁ ହାତକୁ ଯିବ? ଏହାକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ବିଜେଡି ଛାତ୍ର ସଂଗଠନ ରାଜନୀତି। ଦୌଡ଼ରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ (ଟୁବୁ) ତ୍ରିପାଠୀ ଆଗରେ ଥିବା କୁହାଯାଉଛି । ନବାଗତ ବିଧାୟକ ହୋଇଥିବାବେଳେ ଛାତ୍ର ସଂଗଠନରେ ତାଙ୍କର ବେଶ୍‌ ପ୍ରଭାବ ଥିବା କୁହାଯାଉଛି । ଦଳର କନିଷ୍ଠ ବିଧାୟକ ତଥା ଚୌଦ୍ୱାର କଟକର ସୌଭିକ ବିଶ୍ୱାଳଙ୍କ ନାଁ ବି ସମ୍ଭାବ୍ୟ ତାଲିକାରେ ଅଛି । ଏହାବାଦ୍‌ ଛାତ୍ର ନେତା ହରିଶଙ୍କର ରାଉତ, ରାଜେଶ ରାଜ୍‌ ସ୍ୱାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ରାଣାପ୍ରତାପଙ୍କୁ ପୁଣି ଥରେ ରିପିଟ୍‌ କରାଯିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ।

ମହିଳା ସଂଗଠନ ସଭାନେତ୍ରୀ ପଦବିକୁ ନେଇ ଆଶାୟୀଙ୍କ ତାଲିକା ବେଶ୍‌ ଲମ୍ବା ଥିବା କୁହାଯାଉଛି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ନାଁକୁ ବେଶି ଚର୍ଚ୍ଚା ଶୁଣିବାକୁ ମିଳିଛି । ଏହାବାଦ୍‌ ସୁଲତା ଦେଓ, ଗୀତାଞ୍ଜଳି ବସ୍ତିଆ, ରାଜଶ୍ରୀ ମଲ୍ଲିକ ମଧ୍ୟ ଏହି ପଦବି ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି ।

ତିନି ଛାମୁଆ ସଂଗଠନ ପଦକୁ ନେଇ ଏବେ ଏମିତି ଚର୍ଚ୍ଚା, ସମ୍ଭାବ୍ୟ ତାଲିକା କଥା ଶୁଣିବାକୁ ମିଳିଛି । ନିଜ ନିଜ ସ୍ତରରେ ଅନେକ ପଦବୀ ପାଇଁ ଲବି ଚଳାଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକ କାହାକୁ ଛାମୁଆ ସଂଗଠନ ମଙ୍ଗ ଧରାଇବେ, ତାହା ଏବେ ବି ସସ୍‌ପେନ୍ସରେ । କରୋନା ସଙ୍କଟ ଟଳିବା ପରେ ପୁଣି ଥରେ ରାଜନୀତି ଟ୍ରାକ୍‌କୁ ଫେରିବ । ବିରୋଧୀଙ୍କୁ ମାତ୍‌ ଦେବା ପାଇଁ ବିଜେଡି ଛାମୁଆ ସଂଗଠନର ଗୁରୁ ଦାୟିତ୍ୱ ରହିଛି । ଏହାସହ ଆଗକୁ ହେବାକୁ ଥିବା ପୌର ନିର୍ବାଚନରେ ଛାମୁଆ ସଂଗଠନ ବେଶ୍‌ ବଡ଼ ଭୂମିକା ତୁଲାଇବ । ତେଣୁ ବିଜେଡି ଖୁବଶୀଘ୍ର ଛାମୁଆ ସଂଗଠନର ରୂପରେଖ ବଦଳାଇବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.