ଟିକେଟ ଦେବାରେ କୁଆଡେ ଗଲା ବିଜେଡିର ୱିନେବିଲିଟି ନାରା ? ଚିଟଫଣ୍ଡରୁ ଆରମ୍ଭ କରି ଅପରାଧ ସହ ସଂପୃକ୍ତ ଥିବା ବ୍ୟକ୍ତି ବି ପାଇଲେ ଟିକେଟ
31/03/2019 at 8:14 PM

ଭୁବନେଶ୍ବର ୩୧|୩: ପ୍ରାର୍ଥୀ ଚୟନର ମୂଳ ଆଧାର ସଚ୍ଚୋଟ, ଶିକ୍ଷିତ, ଅପରାଧ ରେକର୍ଡ ନଥିବା ବ୍ୟକ୍ତି ହିଁ ହେବେ। ନିର୍ବାଚନ ପୂର୍ବରୁ ଏମିତି ହିଁ କିଛି ଘୋଷଣା କରିଥିଲେ ସବୁ ରାଜନୈତିକ ଦଳ। ଏବେ ପ୍ରାର୍ଥୀ ଚୟନ ସରିବା ଉପରେ। ଯାହା ଚିତ୍ର ସ୍ପଷ୍ଟ ହୋଇଛି ସବୁ ଘୋଷଣା କେବଳ ଘୋଷଣାରେ କିନ୍ତୁ ଦଳ ଯେମିତି ପୁରୁଣା ପ୍ରାର୍ଥୀଙ୍କ ଶହେ ଖୁଣ ସତ୍ତ୍ବେ ସେମାନଙ୍କ ପାଖରେ ମୁଣ୍ଡ ନୁଆଁବାକୁ ବାଧ୍ୟ ହୋଇଛି। …..

ୱିନେବିଲିଟି, ବା ଜିତିବାର ସମ୍ଭାବନା ଅଧିକ ଥିବା ବ୍ୟକ୍ତିଙ୍କୁ ହିଁ ପ୍ରାର୍ଥୀ କରିବ ଦଳ। ଏକଦା ଘୋଷଣା କରିଥିଲେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେକର୍ଡ ଖରାପ ହୋଇଯାଇଥିବା ନେତାଙ୍କର ଛାତି ଧଡ଼ ଧଡ଼ ହୋଇଥିଲା। ରାଜନୀତିରେ ସକ୍ରିୟ ଥିବା କିଛି ଶିକ୍ଷିତ ଓ ସଚ୍ଚୋଟ ବ୍ୟକ୍ତି ଆଶା ବାନ୍ଧିଥିଲେ ବିଜେଡିର ବଦଳୁଥିବା ଚେହେରାର ସେମାନେ ହେବେ ବାର୍ତ୍ତାବହ। କିନ୍ତୁ ପ୍ରାର୍ଥୀ ଚୟନର ମୂଳ ଆଧାର ହୋଇଛି ପୁରୁଣା ପ୍ରାର୍ଥୀଙ୍କ ଆଗରେ ଆତ୍ମ ସମର୍ପଣ।

ଯେଉଁଠାରେ ଦଳ ପ୍ରାର୍ଥୀ ବଦଳାଇଛି ସେଠାରେ ଦଳରୁ ଡିଆଁମାରିଛନ୍ତି ନେତା। ଏକା ନବୀନଙ୍କ ଇମେଜ୍ରେ ହିଁ ଭୋଟ ଅଛି କହିବୁଲୁଥିବା ଦଳ ବିଜେଡି, ଶେଷରେ ଏମିତି ବେବଶ ହୋଇଗଲା ଯେ ରେକର୍ଡ ଖରାପ ଥିବା ନେତାଙ୍କ ଆଗରେ ଆତ୍ମ ସମର୍ପଣ କଲା, କେଉଁଠି ସେମାନଙ୍କୁ ପ୍ରାର୍ଥୀ କଲା କିମ୍ବା ଆଉ କେଉଁଠି ଗଳାବାଟ ବାହାର କଲା। ସେମାନଙ୍କ ପୁଅ ଝିଅକୁ ପ୍ରାର୍ଥୀ କରିବାକୁ ବାଧ୍ୟ ହେଲା।

ଚିଟ୍ଫଣ୍ଡ ଦାଗରେ ରଙ୍ଗେଇ ହୋଇଥିବା ନେତାଙ୍କ ପୁଅଙ୍କୁ ଟିକେଟ ସମର୍ପିଦେଇ ଦଳ ଆତ୍ମସନ୍ତୋଷ ଲାଭ କରିଛି । ସେହିପରି ବାରମ୍ବାର ଗୁଣ୍ଡାଗର୍ଦ୍ଦି କରି ବିଜେଡି ଓ ରାଜ୍ୟ ସରକାରଙ୍କୁ ବଦନାମ କରିଥିବା ନେତାମାନେ ମଧ୍ୟ ଏଥର ଟିକେଟ ହାତେଇବାରେ ସଫଳ ହୋଇଛନ୍ତି । ସେହିପରି ଯେଉଁଥିରେ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି, ଜିତିବାର ସମ୍ଭାବନା ଥିବା ପ୍ରାର୍ଥୀ ଖୋଜିବା କେବଳ ଧୂଆଁବାଣ ପାଲଟି ଯାଇଛି।

ଯାହା ଥିଲା ସେୟା ଥାଉ କହି, ଦଳ କାଳେ ହାରିଯିବ ସେଥିପାଇଁ ରିସ୍କ ନେବାକୁ ଡରିଛି। ଖାଲି ସେତିକି ନୁହେଁ ସବୁ ଦଳରେ ଦେଖାଦେଇଛି ଗୋଟିଏ ଚିତ୍ର। ପୁଅ ଝିଅଙ୍କୁ ପ୍ରୋଜେକ୍ଟ କରିବାର ଟାଇମ୍ ହୋଇଛି ୨୦୧୯ । ପୁଅ-ଝିଅ ଜିତିବେ କି ନ ଜିତିବେ ପରକଥା କିନ୍ତୁ ନିର୍ବାଚନରେ ନାଁ ଗଡ଼ିଯିବା ଦରକାର।

ଯେଉଁମାନେ ଯେନତେନ ପ୍ରକାର ନିଜ ପୁଅଝିଅଙ୍କୁ ଥଇଥାନ କରିଦେଲେ, ନିଜ ଉଦ୍ଦେଶ୍ୟରେ ସଫଳ ହେଲେ. ଆଉ ଯାହାର ଉଦ୍ଦେଶ୍ୟ ସାଧନ ନହେଲା ସେମାନେ ଅନ୍ୟ ଦଳକୁ ଯାଇ ମୂଲଚାଲ କରିଛନ୍ତି । ଏଭଳି ପରିସ୍ଥିତିରେ ଦଳ ବେବଶ ହୋଇଯାଇଛି ।