ପେଟ୍ରୋଲ୍ ପମ୍ପ୍ ମାଲିକଙ୍କ ଟଙ୍କା କାରବାର ନେଇ ସିଇଓଙ୍କୁ ଫେରାଦ ହେଲା ବିଜେଡି
28/03/2019 at 9:33 AM

ଭୁବନେଶ୍ବର ୨୮|୩ : ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଗୁଡରପାଲିଠାରେ ଗତକାଲି ଏକ କାରରୁ ଜବତ ହୋଇଥିବା ୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା । ଜବତ କାର୍ ଜଣେ ପେଟ୍ରୋଲ୍ ପମ୍ପ୍ ମାଲିକଙ୍କର ବୋଲି ସୂଚନା ମିଳିଥିଲା । ସଂମୃକ୍ତ ପେଟ୍ରୋଲ ପମ୍ପ୍ ମାଲିକ ସଞ୍ଜୀବ ମହାପାତ୍ର ବିଜେପୁରର ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ସମର୍ଥକ ଭାବେ ଜଣାଶୁଣା । ପୋଲିସ ହାତରେ ଧରାପଡ଼ିବା ପରେ ତାଙ୍କ ପାଖରେ ଏତେ ଟଙ୍କା କାହିଁକି ରଖିଥିଲେ ତାହାର ଜବାବ ଦେଇପାରିନଥିଲେ ସଞ୍ଜୀବ । ତେବେ ତାହା ବିଜେପୁର ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆସୁଥିଲା ବୋଲି ଅନୁମାନ କରାଯାଉଥିଲା ।
ତେଣୁ ନିର୍ବାଚନ ବେଳେ ପେଟ୍ରୋଲ୍ ପମ୍ପ ମାଲିକମାନେ ଟଙ୍କା ଗଚ୍ଛିତ କରି ଲୋକଙ୍କୁ ବାଣ୍ଟିବା ଦାୟିତ୍ବ ନେଇଥିବା ନେଇ ପୂର୍ବରୁ ବିଜୁ ଜନତା ଦଳ ନିର୍ବାଚନ କମିଶନଙ୍କୁ ଜଣାଇଥିଲା । ଟଙ୍କା ଜବତ ହେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଥିଲା ବିଜେଡି ।
ଗତ ୧୪ ତାରିଖରେ ନିର୍ବାଚନ ଅଧିକାରୀଙ୍କୁ ଏ ନେଇ ପିଟିସନ୍ ଦିଆଯାଇଥିଲା । ନିର୍ବାଚନ ପାଇଁ ଟଙ୍କା ଗଚ୍ଛିତ କରି ରଖିବାର ଦାୟିତ୍ବ ପେଟ୍ରୋଲ୍ ପମ୍ପ୍ ଓ ଗ୍ୟାସ୍ ଏଜେନ୍ସୀ ମାଲିକମାନଙ୍କୁ ଦିଆଯାଇଛି ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଏହି ଯୋଜନା କରାଯାଇଥିବା ଜଣାଇ ଦିଆଯାଇଥିଲା ବିଜେଡି । ଫଳରେ ପେଟ୍ରୋଲ୍ ପମ୍ପ୍ ଏବଂ ଗ୍ୟାସ୍ ଏଜେନ୍ସୀଗୁଡ଼ିକ ଉପରେ ଭିଡ଼ିଓ ନିରୀକ୍ଷଣ ବ୍ୟବସ୍ଥା ରଖିବା ପାଇଁ ଅନୁରୋଧ କରାଯାଇଥିଲା । ବିଜେପୁର ଉପନିର୍ବାଚନ ବେଳେ ଏଭଳି ହୋଇଥିବାରୁ ବିଜେଡ଼ିର ଏହି ଆଶଙ୍କା ଦୃଢ଼ୀଭୂତ ହୋଇଥିଲା । ଗତକାଲି ଗୁଡରପାଲି ଘଟଣା ପରେ ନିର୍ବାଚନ କମିଶନ ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ପୁଣି ଥରେ ଅନୁରୋଧ କରାଯାଇଛି । ସମସ୍ତ ପେଟ୍ରୋଲ୍ ପମ୍ପ ଏବଂ ଗ୍ୟାସ୍ ଏଜେନ୍ସୀଗୁଡ଼ିକରେ ୨୪ ଘଣ୍ଟିଆ ଲାଇଭ୍ ସିସିଟିଭି ଭିଡ଼ିଓ ଫୁଟେଜ୍ ବ୍ୟବସ୍ଥା କରାଯାଇ ଏହାର ରେକର୍ଡିଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଉପଲବ୍ଧ କରିବାକୁ ବିଜେଡ଼ି ପକ୍ଷରୁ ଦାବି କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ ଅସୀମ ଅମିତାଭ ଦାସ, ସସ୍ମିତ ପାତ୍ର, ଲେଲିନ୍ ମହାନ୍ତି, ସୁଲୋଚନା ଦାସ ଏବଂ ସୁଲତା ଦେଓ ।