ଭୁବନେଶ୍ବରରେ ଆଇଏଏସ୍-ଆଇପିଏସ୍ ଲଢେଇ, ପାଟଶାଣୀ ଯିବେ ରାଜ୍ୟସଭା ; କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ଟକ୍କର ଦେବେ ଅନୁଭବ

Published By : Prameya-News7 Bureau | March 27, 2019 IST

ଭୁବନେଶ୍ବର ୨୭|୩ : ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଭୁବନେଶ୍ବର ଲୋକସଭା ଆସନରୁ ସାଂସଦ ପ୍ରସନ୍ନ ପାଟଶାଣୀଙ୍କ ଟିକେଟ୍ କଟାଯାଇଛି । ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇପିଏସ୍ ଅରୁପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି । ଫଳରେ ଭୁବନେଶ୍ବର ଲୋକସଭା ଆସନରେ ଆଇଏଏସ ଅପରାଜିତା ଓ ଆଇପିଏସ ଅରୁପ ପଟ୍ଟନାୟକଙ୍କ ମଧ୍ୟ ଫାଇଟ୍ ହେବ । କଂଗ୍ରେସ ଏ ପର୍ଯ୍ୟନ୍ତ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇନାହିଁ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରସନ୍ନ ପାଟଶାଣୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ବେଳେ ହିଁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ନବୀନ ଘୋଷଣା କରିଛନ୍ତି ।

ଅନ୍ୟ ଲୋକସଭା ଆସନଗୁଡିକ ମଧ୍ୟରୁ ପୁରୀରେ ଦଳ ପୁଣି ପିନାକୀ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରେ ବିଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି । ଫଳରେ ପିନାକୀ ଓ ସମ୍ବିତଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ପୁରୀ ଆସନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ମୟୁରଭଞ୍ଜରେ ବିଜେଡି ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି । ବର୍ତ୍ତମାନ ସୁଦ୍ଧା ବିଜେପି ଓ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।

ସେହିଭଳି ତିର୍ତ୍ତୋଲ ବିଧାୟକ ଡକ୍ଟର ରାଜଶ୍ରୀ ମଲ୍ଲିକଙ୍କୁ ବିଜେଡି ଜଗତସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । କିଛି ଦିନ ତଳେ ରାଜଶ୍ରୀ ମଲ୍ଲିକ ଓ ବିଷ୍ଣୁ ଦାସଙ୍କ ମଧ୍ୟରେ ପ୍ରାର୍ଥୀ ପ୍ରସଙ୍ଗକୁ ନେଇ ବାକ୍ ବିତଣ୍ଡା ଚାଲିଥିଲା । ଜଗତସିଂହପୁର ଆସନରୁ ମଧ୍ୟ ଏଯାଏଁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିନାହାନ୍ତି । ସମ୍ବଲପୁର ଲୋକସଭା ଆସନରୁ ଦଳ ଅବସରପ୍ରାପ୍ତ ପୂର୍ତ୍ତ ସଚିବ ନଳୀନକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଟିକେଟ୍ କଟିଛି । ସମ୍ବଲପୁରରୁ ନୀତିଶ ଗଙ୍ଗଦେବଙ୍କୁ ବିଜେପି ପ୍ରାର୍ଥୀ କରିଥିବବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣା ହୋଇନାହିଁ ।

ସେହିଭଳି ବାଲେଶ୍ବରରେ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କୁ ପୁଣି ପ୍ରାର୍ଥୀ କରିଛି । ବିଜେପିର ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କ ସହ ତାଙ୍କର ସିଧାସଳଖ ମୁକାବିଲା ହେବ । ଏହି ଆସନ ପାଇଁ ମଧ୍ୟ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ସବୁଠୁ ଗୁରୁତ୍ବପୂର୍ଣ୍ଣ ଓ ସ୍ପର୍ଶକାତର ଲୋକସଭା ଆସନ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ବିଜେଡି ରାଜ୍ୟସଭା ସାଂସଦ ତଥା ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ବିଜେଡିର ଚରମ ଶତ୍ରୁ କୁହାଯାଉଥିବା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ କିଏ ଟକ୍କର ଦେବ ବୋଲି ଦୀର୍ଘ ଦିନ ହେଲା କଳ୍ପନାଜଳ୍ପନା ଲାଗି ରହିଥିଲା । ଦଳ ଏବେ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିବା ପରେ ସେଠାରେ ଉଭୟଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି ।

ଯାଜପୁର ଲୋକସଭା ଓ ଭଦ୍ରକ ଲୋକସଭା ଆସନରୁ ବିଜେଡି ଦୁଇ ଜଣ ମହିଳା ତଥା ନୂଆ ମୁହଁ ମଇଦାନକୁ ଉତାରିଛି । ଯାଜପୁର ଲୋକସଭା ଆସନରୁ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଭଦ୍ରକ ଲୋକସଭା ଆସନରୁ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରାଯାଇଛି । ମଞ୍ଜୁଲତା ହେଉଛନ୍ତି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ । ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କର ଟିକେଟ୍ କଟିଛି । ଅର୍ଜୁନ ସେଠୀ ୫ଥର ସାଂସଦ ଥିଲେ । ଏନଡିଏ ସରକାରରେ ସେ ଜଳ ସଂପଦ ମନ୍ତ୍ରୀ ମଧ୍ୟ ଥିଲେ । ପୂର୍ବରୁ ଅର୍ଜୁନ ସେଠୀ ବିଜେଡି ସଂସଦୀୟ ଦଳର ନେତା ମଧ୍ୟ ଥିଲେ । ଯାଜପୁର ଓ ଭଦ୍ରକ ପାଇଁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

{"id":97492}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.