୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି, କାହିଁକି ଝୁଲିଲା କେନ୍ଦୁଝର, କଟକ ଓ ଢେଙ୍କାନାଳ ନିଷ୍ପତ୍ତି
28/03/2019 at 12:25 PM

ଭୁବନେଶ୍ବର ୨୮|୩ : ବିଜେଡିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ୯ ଲୋକସଭା ଓ ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ଜୋର ଧରିଛି ରାଜନୈତିକ ଚର୍ଚ୍ଚା । ଖାସକରି ବିଜେଡି ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ ।
ବିଜେଡି କେନ୍ଦ୍ରାପଡା ଭଳି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କଟକ, କେନ୍ଦୁଝର ଓ ଢେଙ୍କାନାଳ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନି । କେନ୍ଦୁଝର, କଟକ ଓ ଢେଙ୍କାନାଳ ପାଇଁ ନବୀନଙ୍କ ଷ୍ଟ୍ରାଟେଜି କଣ ?
କଟକରୁ ବିଜେପି ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡି ଶିବିରରେ ମାନସମନ୍ଥନ ଚାଲିଛି । ଏପରିକି ଦଳ କଟକରୁ ଏବେ ସାଂସଦ ଥିବା ଭର୍ତ୍ତୃହରିଙ୍କୁ ନେଇ ଦ୍ୱନ୍ଦରେ ରହିଛି ଦଳ । ଭର୍ତ୍ତୃହରିଙ୍କୁ ପୁଣିଥରେ ମୈଦାନକୁ ଓହ୍ଲାଇବ ନା ପ୍ରକାଶଙ୍କ ବିରୋଧରେ ନୂଆ ମୁହଁଙ୍କୁ ସାମ୍ନାକୁ ଆଣିବ ତାକୁ ନେଇ ଦଳ ନିଷ୍ପତ୍ତି ନେଇପାରୁନାହିଁ । ଭର୍ତ୍ତୃହରିଙ୍କ ବିରୋଧରେ ରହିଥିବା ଆଣ୍ଟି ଇନକମ୍ବେନ୍ସି ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏଭଳି କ୍ଷେତ୍ରରେ ରାଜ୍ୟସଭାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଆଣି ଏଠାରୁ ପ୍ରାର୍ଥୀ କରିବା ଲାଗି ଗୋଟିଏ ଗୋଷ୍ଠୀ ପରାମର୍ଶ ଦେଉଛନ୍ତି । କୌଣସି କାରଣରୁ ପ୍ରକାଶ ଯଦି କଟକ ଆସନରୁ ବିଜୟୀ ହୁଅନ୍ତି ତାହାଲେ ଏହା ଦଳ ଗାଲରେ ଚାପୁଡା ହେବ ବୋଲି ବିବେଚନା କରାଯାଉଛି । ଏ ଦୃଷ୍ଟିରୁ କଟକ ଆସନ ସଂପର୍କରେ ନିଷ୍ପତ୍ତି ପ୍ରସଙ୍ଗ ବେଳକୁ ବେଳ ସ୍ପର୍ଶକାତରେ ହେବାରେ ଲାଗିଛି ।
ସେହିଭଳି ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ନିର୍ବାଚନ ଲଢିବାକୁ ମନା କରିବା ପରେ ଦଳ ଏଠାରେ ଦଶ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ କନଫ୍ୟୁଜନରେ ପଡିଛି । ଦଳ ଏଠାରେ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବାକୁ ଅଙ୍କ କଷୁଛି । ବିଜେଡି ବର୍ତ୍ତମାନ ସୁଦ୍ଧା ୧୮ଆସନରୁ ୬ଟିରେ ମହିଳା ପ୍ରାର୍ଥୀ ଦେଇଛି । ୩୩ପ୍ରତିଶତ ପ୍ରାର୍ଥୀ ଦେବା ପ୍ରତିଶ୍ରୁତି ରକ୍ଷା କରିବାକୁ ହେଲେ ଏହି ତିନି ଆସନ ଭିତରୁ ଅନ୍ୟୁନ ଗୋଟିଏ ଆସନରେ ମହିଳା ପ୍ରାର୍ଥୀ ଦେବା ଆବଶ୍ୟକ । ତେଣୁ ସମ୍ଭବତଃ ଢେଙ୍କାନାଳରେ ଦଳ ଜଣେ ମହିଳା ପ୍ରାର୍ଥୀଙ୍କ କଥା ମଧ୍ୟ ବିଚାରକୁ ନେଇପାରେ । କାରଣ କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରୀଙ୍କୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛି । ସେଥିପାଇଁ ଢେଙ୍କାନାଳ ଗଣିତ ମଧ୍ୟ ସମାଧାନ ହୋଇପାରୁନାହିଁ ।
ଅନ୍ୟପଟେ କେଉଁଝରରେ ନବୀନ ମହିଳା କାର୍ଡ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ସାଂସଦ ଥିବା ଶକୁନ୍ତଳା ଲାଗୁରୀଙ୍କ ସ୍ଥାନରେ ଦଳ ଏଠାରେ ନୂଆ ମୁହଁକୁ ସୁଯୋଗ ଦେଇପାରେ । ଯେଉଁଥିପାଇଁ କେନ୍ଦୁଝର ଅଙ୍କ ଛିଣ୍ଡୁନଥିବା ଚର୍ଚ୍ଚା ହେଉଛି । ସେହିପରି ୪୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି ।