ଭୁବନେଶ୍ବର ୧୭।୧୧: ସଂସଦର ଶୀତକାଳୀନ ଅଧିବେଶନ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ସଂସଦରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇବ ଦଳ । ପୋଲଭରମ୍ ପ୍ରସଙ୍ଗ, ଦୁବାଇରୁ ଭୁବନେଶ୍ବର ସିଧାସଳଖ ବିମାନ ସେବା, ବାଲିଯାତ୍ରାକୁ ଜାତୀୟ ସ୍ତରୀୟ ମାନ୍ୟତା ପାଇଁ ଦାବି ଆଦି ପ୍ରସଙ୍ଗ ଉଠାଇବ ବିଜେଡି । ଏହାସହ ପିଡିଏସ ଚାଉଳ ଯୋଗାଣରେ ସବସିଡି ବାବଦକୁ ୨୦୧୭-୧୮ରେ ୨୧୨୩ କୋଟି ଓ ୨୦୧୮-୧୯ରେ ୧୩୪୫ କୋଟି ବାକି ପ୍ରସଙ୍ଗ ମଧ୍ୟ ଉଠାଇବ ଦଳ ।
ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବକେୟା ୨୧୨ କୋଟି ଓ ଅନ୍ୟାନ୍ୟ ଯୋଜନା ପାଇଁ ୮୧୮ କୋଟି ଟଙ୍କା ବକେୟା ରଖିଛି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଦେଶର ୧୭ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିବା ବେଳେ ସେଥିରେ ଓଡିଶାର ମୁଖ୍ୟତଃ ଦୁଇଟି ପର୍ଯ୍ୟଟନ ସ୍ଥଳୀ କୋଣାର୍କ, ଭିତରକନିକା କିମ୍ବା ଯେକୌଣସି ଦୁଇଟି ସ୍ଥାନ ରଖିବାକୁ ଦାବି କରିବ ଦଳ । ଏନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି ।
ସେପଟେ ସଂସଦରେ ସ୍ମିତାରାଣୀ ପ୍ରସଙ୍ଗ ଉଠାଇବେ ବୋଲି ଉଭୟ ବିଜେପି ଓ କଂଗ୍ରେସ କହିଛନ୍ତି । ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା ଓ କୁନ୍ଦୁଲି ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି ସହ ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇ ତଦନ୍ତର ଶିଥିଳତା କଥା ଉଠାଇବି ବୋଲି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ସେହିପରି ସ୍ମିତାରାଣୀ ପ୍ରସଙ୍ଗ ଉଠାଇବ ବୋଲି ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ।