ମଞ୍ଚରେ ବିଜେଡିର ପ୍ରଶ୍ନ, ମଞ୍ଚରେ ବିଜେପିର ଜବାବ, ମଇଦାନରେ ଗର୍ଜିଲା କଂଗ୍ରେସ
26/12/2018 at 5:39 PM

ଭୁବନେଶ୍ବର ୨୬|୧୨: ଜମିଲା ରାଜ୍ୟ ରାଜନୀତି । ଆରମ୍ଭ ହେଲା ବୟାନ ବାଜି ଏବଂ ଜବାବ ମଗା ରାଜନୀତି । କିଏ କାହାକୁ ପଲିଟିକାଲ ପଞ୍ଚ୍ ଦେଇ ଚିତ୍ କରିବ ସେଥିରେ ମାତିଲେଣଇ ବିଜେଡି, ବିଜେପି ଓ କଂଗ୍ରେସ । ଆଜି ୩ ଦଳ ଲୋକଙ୍କ ପାଖକୁ ଯିବାକୁ କରିଛନ୍ତି ପ୍ରୟାସ । ଦଳ ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଜେଡି ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକ୍ରମ କରିଛି । ଆଉ ରାଜଧାନୀରେ ନବୀନ ବିଜେପି ବିରୋଧରେ ଗର୍ଜିଛନ୍ତି । ସେପଟେ ନବୀନ ସରକାର ବିରୋଧରେ ବିଜେପି ଜବାବ ମାଗେ ଜନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । କଂଗ୍ରେସ କଳା ଦିବସ ନାଁରେ ବିଜେଡି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ।

ପଲିଟିକାଲ୍ ପଞ୍ଚ । ଜବାବ ମାଗିଲେ ଜବାବ ଦେଲେ। ମୁହଁତୋଡ଼ ଜବାବର ରାଜନୀତି। ଖୋର୍ଦ୍ଧା ସମାବେଶରେ ମୋଦି ନବୀନଙ୍କୁ ବୁଲେଇ ବଙ୍କେଇ ଟାର୍ଗେଟ କରିଥିଲେ । କହିଥିଲେ ଦୁର୍ନିତି ଦାନବକୁ ସୁରକ୍ଷା ଦେଉଛି ନବୀନ ସରକାର । ଆଜି ବିଜେଡି ପ୍ରତିଷ୍ଠା ଦିବସରେ କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗିଛନ୍ତି ନବୀନ । ସିଧା କେନ୍ଦ୍ର ଭର୍ସେସ ରାଜ୍ୟ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ବିଜେଡି ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଆଜି ପ୍ରତିଷ୍ଠା ଦିବସ ପାଳନ କରିବା ବେଳେ କେନ୍ଦ୍ରର ମୋଦି ସରକାରଙ୍କୁ ନିଶାନା କରିଛି । ସେପଟେ ବିଜେପି ନବୀନ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରିବାକୁ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ନାଁରେ ୟୁଥ୍ ଉଇଙ୍ଗକୁ ମୈଦାନକୁ ଓହ୍ଲାଇଛି । ନବୀନ କେନ୍ଦ୍ରକୁ ୧୦ ପ୍ରଶ୍ନ ପଚାରିବାର ମାତ୍ର କିଛି ମିନିଟ ଭିତରେ ବରମୁଣ୍ଡା ପଡ଼ିଆରୁ ଜବାବ ଦେଇଥିଲ ଧର୍ମେନ୍ଦ୍ର। ସେ ବି ଠିଆ କରିଥିଲେ ପ୍ରଶ୍ନର ପାହାଡ଼ ।

ଏହି ଦୁଇଦଳର ତୁତୁ ମେଁ ମେଁରେ ଆଜି କଂଗ୍ରେସ ମୈଦାନକୁ ଲମ୍ଫ ଦେଇଛି । ଉଭୟ ଦଳକୁ ଜବାବ ମାଗିଛି କଂଗ୍ରେସ । କଂଗ୍ରେସ ମଧ୍ୟ ଆମ ଗାଁ ଆମବିକାଶ, ପୀଠା, କାଳିଆ ଆଦି ଯୋଜନା ଉପରେ ପ୍ରଶ୍ନ ଉଠାଇ ବ୍ଲକ ସ୍ତରରେ କଳା ଦିବସ ପାଳନ କରିଛି । ଓଡିଶାରେ ଏବେ ୮୫ ଲକ୍ଷ ଯୁବକ ବେକାର କାହିଁକି ବୋଲି ବିଜେଡିକୁ ପ୍ରଶ୍ନ କରିଛି କଂଗ୍ରେସ । କଳାଟଙ୍କା ବିଦେଶରୁ ଆଣି ଲୋକଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଦେବାକୁ ବିଜେପିର ପ୍ରତିଶୃତି କୁଆଡେ ଗଲା, ଉଜ୍ଜଳା ଗ୍ୟାସ ଦର ୪୦୦ରୁ ହଜାରରେ ପହଁଛାଇବା ପାଇଁ ଦାୟୀ କିଏ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ନେତାଙ୍କ ବୟାନବାଜିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଏବେ କଥାରେ କଥାରେ ପରସ୍ପରର ମୁହଁ ଭାଙ୍ଗିବାକୁ ଓହ୍ଲାଉଛନ୍ତି ନେତାଏ। ଆଗକୁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ଲଢେଇ ଆହୁରି ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି ନିଶ୍ଚୟ ।