Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପାଟକୁରାରେ ବିଜେଡିର ବାଜିମାତ୍, ହାରିଲେ ବିଜୟ ମହାପାତ୍ର

24/07/2019 at 1:32 PM

କେନ୍ଦ୍ରାପଡା ୨୪|୭: ପାଟକୁରା ବିଧାନସଭା ଆସନରେ ବାଜିମାତ୍ କରିଛି ବିଜେଡି । ହେବିଓ୍ବେଟ୍ ନେତା ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପାଖାପାଖି ୧୮ହଜାର ଭୋଟ୍ ରେ ପରାସ୍ତ କରି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ବିଜୟୀ ହୋଇଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୨ହଜାର ୨୧ଖଣ୍ଡ ଭୋଟ୍ ପାଇବା ସହ ଆମାନତ ହରାଇଛନ୍ତି । ଫଳରେ ପାଟକୁରାକୁ ନେଇ ଲାଗି ରହିଥିବା ହାଇ ଟେନସନ କଳ୍ପନା ଜଳ୍ପନାର ଅବସାନ ଘଟିଛି । ଇତିହାସର ପୁନରାବୃତ୍ତି ହୋଇଛି । ବିଧାନସଭାକୁ ବିଜୟ ମହାପାତ୍ରଙ୍କ ବାଟ ବନ୍ଦ କରିବାରେ ବିଜେଡି ସଫଳ ହୋଇଛି । ୨୦୦୦ ମସିହା ପରଠାରୁ ବିଜୟ ମହାପାତ୍ର ପାଟକୁରା ଆସନରୁ ବାରମ୍ବାର ପରାସ୍ତ ହୋଇଆସୁଛନ୍ତି । ୨୦୦୦ ମସିହାରେ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କ ପ୍ରରୋଚନାରେ ବିଜୟ ମହାପାତ୍ରଙ୍କ ବିଜେଡି ଟିକେଟକୁ ଅବୈଧ କରିଦିଆଯାଇଥିଲା । ସେବେଠାରୁ ବିଜୟ ବିଧାନସଭା ବାହାରେ ରହିଛନ୍ତି ।  

ବିଜୟୀ ହେବା ପରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ କେନ୍ଦ୍ରାପଡ଼ାର ଇଷ୍ଟଦେବ ବଳଦେବଜୀଉଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । ପାଟକୁରାବାସୀ ଏବଂ କର୍ମୀମାନଙ୍କୁ ମଧ୍ୟ ସେ ତାଙ୍କ ବିଜୟର ଶ୍ରେୟ ଦେଇଛନ୍ତି । ନବୀନ ବାବୁଙ୍କ ବିକାଶ ଏବଂ ତାଙ୍କର ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ଆଜି ବିଜୟର ମୁକୁଟ ପିନ୍ଧାଇଥିବା ସାବିତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ବେଳେ ୪ର୍ଥ ପର୍ଯ୍ୟାୟରେ ପାଟକୁରା ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । ତେବେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ଯୋଗୁଁ ନିର୍ବାଚନ ଘୁଞ୍ଚିଥିଲା । ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟରେ ପାଟକୁରା ପାଇଁ ପୁଣି ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା । ବିଜେଡି ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ବିଧବା ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ପ୍ରାର୍ଥୀ କରିଥିଲା । ତେବେ ଫୋନି ବାତ୍ୟା କାରଣରୁ ଏହି ତାରିଖରେ ମଧ୍ୟ ନିର୍ବାଚନ ହୋଇପାରିନଥିଲା । ଭାରତର ନିର୍ବାଚନ କମିଶନ ପାଟକୁରା ନିର୍ବାଚନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇଦେଇଥିଲେ । ଶେଷରେ ଜୁଲାଇ ୨୦ତାରିଖରେ ପାଟକୁରା ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।  ମଇଦାନରେ କଂଗ୍ରେସର ଜୟନ୍ତ ମହାନ୍ତି, ବିଜେପିର ବିଜୟ ମହାପାତ୍ର ଏବଂ ବିଜେଡିର ସାବିତ୍ରୀ ଅଗ୍ରଓ୍ବାଲଙ୍କ ସମେତ ୧୦ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରେ ସବୁ ଦଳର ଜୋରଦାର ପ୍ରଚାର ହୋଇଥିଲା । ଶାସକ ଦଳର ୩୦ରୁ ଅଧିକ ମନ୍ତ୍ରୀ ଓ ବିଧାୟକ ପାଟକୁରା ନିର୍ବାଚନ ମଣ୍ଡଳୀରେ ଡେରା ପକାଇଥିଲେ । ଏପରିକି ପ୍ରଚାରର ଶେଷ ଦିନରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରଚାର ବସ୍ ରେ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ଟି ଯାକ ବ୍ଲକ୍ ମାର୍ଶାଘାଇ, ଗରଦପୁର ଓ ଡେରାବିଶିରେ ପ୍ରଚାର କରିଥିଲେ । ସେହିଭଳି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟର ସବୁ ହେବିଓ୍ବେଟ୍ ନେତା ପ୍ରଚାର କରିଥିଲେ । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ପ୍ରମୁଖ ବିଜୟଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ । ଅପରପକ୍ଷରେ କଂଗ୍ରେସ ପାର୍ଥୀ ଜୟନ୍ତ ମହାନ୍ତିଙ୍କ ପାଇଁ ଖୋଦ୍ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ ରାଉତରାୟ, କୋରାପୁଟ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ କଂଗ୍ରେସର ମଙ୍ଗ ଧରିଥିଲେ । ତେବେ ସମସ୍ତ ପ୍ରଚାରକୁ ପଛରେ ପକାଇ ସାବିତ୍ରୀ ଅଗ୍ରଓ୍ବାଲ ବିଜୟୀ ହୋଇଛନ୍ତି । ତାଙ୍କ ବିଜୟ ପରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଅର୍ଥବଳ ଏବଂ ବାହୁବଳରେ ବିଜେଡି ବିଜୟୀ ହୋଇଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ୭ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସକାଳ ୮ଟା ବେଳେ ୧୮ଟି ପର୍ଯ୍ୟାୟରେ ଗଣତି ଚାଲିଥିଲା । ମାତ୍ର ଆଉ ଗୋଟିଏ ପର୍ଯ୍ୟାୟରେ ତଥା ୧୯ଟି ପର୍ଯ୍ୟାୟରେ ମୋଟ୍ ଗଣତି ହୋଇଥିଲା । ତେବେ ସମସ୍ତ ରାଉଣ୍ଡରେ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ବାଲ ଆଗୁଆ ରହିଥିବା ବେଳେ କେବଳ  ଏକାଦଶ ଏବଂ ପଞ୍ଚଦଶ ରାଉଣ୍ଡରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଆଗୁଆ ରହିଥିଲେ । ଏକାଦଶ ରାଉଣ୍ଡରେ ବିଜୟ ମହାପାତ୍ର ୫୦୯୯ ଖଣ୍ଡ ଭୋଟ୍ ପାଇଥିବାବେଳେ ସାବିତ୍ରୀ ଅଗ୍ରଓ୍ବାଲ ପାଇଥିଲେ ୪୯୬୮ଖଣ୍ଡ ଭୋଟ୍। ସେହିପରି ପଞ୍ଚଦଶ ରାଉଣ୍ଡରେ ବିଜୟ ମହାପାତ୍ର ୪୮୯୬ ଖଣ୍ଡ ଭୋଟ୍ ପାଇଥିବାବେଳେ ସାବିତ୍ରୀ ଅଗ୍ରଓ୍ବାଲ ପାଇଥିଲେ ୪୬୪୯ ଖଣ୍ଡ ଭୋଟ୍।

ପ୍ରଥମ ରାଉଣ୍ଡରେ ବିଜେଡିକୁ ୬,୭୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩,୮୦୮ ଖଣ୍ଡ ଭୋଟ୍ ମିଳିଥିଲା । ସେହିପରି ଦ୍ବିତୀୟ ରାଉଣ୍ଡରେ ୫,୭୩୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୫୨୪୦ ଖଣ୍ଡ ଭୋଟ୍ ମିଳିଥିଲା । ତୃତୀୟ ରାଉଣ୍ଡରେ ବିଜେଡିକୁ ୬୪୨୫ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ମିଳିଥିଲା ୪୨୬୭ ଖଣ୍ଡ ଭୋଟ୍ । ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୬୨୫୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୪୯୮୦ ଖଣ୍ଡ ଭୋଟ୍ ମିଳିଥିଲା ।

ସେହିପରି ପଞ୍ଚମ ରାଉଣ୍ଡରେ ବିଜେଡିକୁ ୫୩୮୬ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୧୪୪ ଖଣ୍ଡ ଭୋଟ୍ ମିଳିଥିଲା । ଷଷ୍ଠ ରାଉଣ୍ଡରେ ବିଜେଡିକୁ ୬,୦୧୨ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪,୧୫୩ ଖଣ୍ଡ ଭୋଟ୍ ମିଳିଥିଲା । ସପ୍ତମ ରାଉଣ୍ଡରେ ବିଜେଡିକୁ ୫୪୨୫ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪,୧୭୧ ଖଣ୍ଡ ଭୋଟ୍ ମିଳିଥିଲା । ଅଷ୍ଟମ ରାଉଣ୍ଡରେ ବିଜେଡିକୁ ୬୧୪୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୦୫୭ଖଣ୍ଡ ଭୋଟ୍ ମିଳିଥିଲା । ନବମ ରାଉଣ୍ଡରେ ବିଜେଡିକୁ ୫୭୪୮ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୫୩୫୧ଖଣ୍ଡ ଭୋଟ୍ ମିଳିଥିଲା । ଦଶମ ରାଉଣ୍ଡରେ ବିଜେଡିକୁ ୫୧୮୪ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୩୦୬ଖଣ୍ଡ ଭୋଟ୍ ମିଳିଛି ।

ସେହିପରି ୧୧ତମ ରାଉଣ୍ଡରେ ବିଜେଡିକୁ ୪୯୬୮ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୫୦୯୯ଖଣ୍ଡ ଭୋଟ୍ ମିଳିଛି । ୧୨ତମ ରାଉଣ୍ଡରେ ବିଜେଡିକୁ ୫୮୦୯ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୪୯୨ଖଣ୍ଡ ଭୋଟ୍ ମିଳିଛି । ୧୩ତମ ରାଉଣ୍ଡରେ ବିଜେଡିକୁ ୫୨୪୯ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୦୦୮ଖଣ୍ଡ ଭୋଟ୍ ମିଳିଛି । ୧୪ତମ ରାଉଣ୍ଡରେ ବିଜେଡିକୁ ୪୯୨୭ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୧୬୮ଖଣ୍ଡ ଭୋଟ୍ ମିଳିଛି । ୧୫ତମ ରାଉଣ୍ଡରେ ବିଜେଡିକୁ ୪୬୪୯ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୮୯୬ଖଣ୍ଡ ଭୋଟ୍ ମିଳିଛି । ୧୬ତମ ରାଉଣ୍ଡରେ ବିଜେଡିକୁ ୫୦୧୮ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୮୭୧ଖଣ୍ଡ ଭୋଟ୍ ମିଳିଛି । ୧୭ତମ ରାଉଣ୍ଡରେ ବିଜେଡିକୁ ୪୮୮୭ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୩୮୫ଖଣ୍ଡ ଭୋଟ୍ ମିଳିଛି । ୧୮ ରାଉଣ୍ଡ ଶେଷରେ ବିଜେଡିକୁ ମୋଟ୍ ୯୬୦୧୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୭୮୦୯୭ ଖଣ୍ଡ ଭୋଟ୍ ମିଳିଛି । କଂଗ୍ରେସକୁ ୨୧୦୪ ଖଣ୍ଡ ଭୋଟ୍ ମିଳିଛି ।

   Related Posts