ଟିକେଟ୍ ସସପେନ୍ସ : ପ୍ରାର୍ଥୀ ତାଲିକା ଘୋଷଣା ନେଇ ତିନି ପ୍ରମୁଖ ଦଳରେ ଚାଲିଛି ଛକାପଞ୍ଝା, ଆଜି ପ୍ରଥମ ପର୍ଯ୍ୟାୟ ପାଇଁ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ସମ୍ଭାବନା

Published By : Prameya-News7 Bureau | March 18, 2019 IST

ଭୁବନେଶ୍ବର ୧୮|୩ : ପ୍ରଥମ ପର୍ଯ୍ୟାୟରେ ଓଡିଶାର କଳାହାଣ୍ଡି, ନବରଙ୍ଗପୁର , ବ୍ରହ୍ମପୁର ଓ କୋରପୁଟ ଲୋକସଭା ଆସନ ସମେତ ଏହି ଚାରିଟି ଲୋକସଭା ଆସନ ଅଧୀନରେ ରହିଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜିଠୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି ।  ହେଲେ ଓଡିଶାରେ ଏବେ ସୁଦ୍ଧା କୌଣସି ଦଳର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇନାହିଁ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ତାଲିକା ଘୋଷଣା ନେଇ ଚାଲିଛି ଛକାପଞ୍ଝା । କିଏ କେଉଁଠାରୁ ଲଢିବ, କାହାକୁ ଟିକେଟ ଦଳ ସେ ନେଇ ଅଙ୍କ ଛିଣ୍ଡିପାରୁନି । 

ସେପଟେ ଶାସକ ବିଜେଡି ଦଳର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଆଜି ପ୍ରକାଶ ପାଇପାରେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଦକ୍ଷିଣ ଓଡ଼ିଶାର ଏହି ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଏକାଧିକ ପ୍ରାର୍ଥୀ ଦାବିଦାର ରହିଛନ୍ତି । ଦଳୀୟ ପ୍ରାର୍ଥୀ ହେବାକୁ ନେତାମାନେ ସେମାନଙ୍କ ସମର୍ଥକମାନଙ୍କୁ ଧରି ନବୀନ ନିବାସ ଆଗରେ ଡେରା ପକାଇଥିଲେ ।

ତେବେ ଅଧିକ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡାନ୍ତ ଦଳୀୟ ପ୍ରାର୍ଥୀଭାବେ ଘୋଷଣା କରିବା ସମ୍ଭାବନା ରହିଛି । ସେପଟେ ଦିଲ୍ଲୀରେ କଂଗ୍ରେସର ମାରାଥନ ସ୍କ୍ରିନିଂ କମିଟି ବୈଠକ ପରେ ଆଜି ହୁଏତ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ନେଇ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.