ବିଜେପୁର ଉପନିର୍ବାଚନ : କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ ଏବେ ନଜର ବିଜେଡି ଓ ବିଜେପି ଉପରେ
26/09/2019 at 11:02 AM

ଭୁବନେଶ୍ବର ୨୬।୯: ବିଜେପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଜିଲ୍ଲା ଉପସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ । ଅଲ ଇଣ୍ଡିଆ କଂଗ୍ରେସ କମିଟି ଦିଲୀପଙ୍କ ନାଁରେ ମୋହର ମାରିଛି । ପୂର୍ବରୁ ବିଜେପୁର ଉପନିର୍ବାଚନ ନିମନ୍ତେ ପ୍ରାର୍ଥୀ ବାଛିବା ପାଇଁ ପିସିସି ପକ୍ଷରୁ ୫ ଜଣଙ୍କ ନାଁ ଏଆଇସିସିକୁ ପଠାଯାଇଥିଲା । ଶେଷରେ ବିଜେପୁର ବ୍ଲକ୍ ମାନପୁର ଗାଁର ଦିଲ୍ଲୀପ ପଣ୍ଡାଙ୍କ ନାଁରେ ମୋହର ମାରିଛନ୍ତି ହାଇକମାଣ୍ଡ ।
ସେପଟେ ବିଜେପୁର ଉପନିର୍ବାଚନକୁ ସୁପରିଚାଳନା ପାଇଁ ୯ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଗାଇସିଲଟ ବ୍ଲକ୍ ପାଇଁ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଓ ଗତ ନିର୍ବାଚନରେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଦାୟିତ୍ୱରେ ରହିଛନ୍ତି । ବିଜେପୁର ବ୍ଲକ୍ ପାଇଁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବିଧାୟକ ରମେଶ ଜେନା ଓ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି ।
ସେହିଭଳି ବିଜେପୁର ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜା, ବରପାଲି ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ଗତ ନିର୍ବାଚନରେ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ଦେବତା ଦାୟିତ୍ବ ସମ୍ଭାଳିବେ । ବରପାଲି ବ୍ଲକ୍ ଜଗିବେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ଏବଂ ସରୋଜ ମହାପାତ୍ର ।