ବିଜେପିକୁ ସୁହାଇବା ପାଇଁ ଓଡିଶାରେ ୪ ପର୍ଯ୍ୟାୟରେ ନିର୍ବାଚନ ବୋଲି ବିଜେଡି ଅଭିଯୋଗ, ବିଜେଡିର ହୋଡିଂ ନେଇ ଫେରାଦ ହେଲା ବିଜେପି

Published By : Prameya-News7 Bureau | March 11, 2019 IST

ଭୁବନେଶ୍ବର ୧୧|୩ : ଚଳିତ ବର୍ଷର ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇସାରିଛି । ତେବେ ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ଅଭିଯୋଗ ଆଣିଛି ବିଜେଡି । ବିଜେପି ନିଜର ସ୍ଥିତି ଦୁର୍ବଳ ଥିବା ଇଲାକାକୁ ନଜରରେ ରଖି କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି ବୋଲି ବିଜେଡି ଅଭିଯୋଗ ଆଣିଛି । ତେବେ ବିଜେପି ଏଭଳି କରି କୌଣସି ଫଳ ପାଇବ ନାହିଁ ବୋଲି ବିଜେଡି କହିଛି । ୨୦୦୯ ଓ ୨୦୧୪ରେ ନକ୍ସଲ କାର୍ଯ୍ୟକଳାପ ଅଧିକ ରହିଥିଲେ ମଧ୍ୟ ୨ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇଥିଲା । ୨୦୧୯ରେ ନକ୍ସଲ କାର୍ଯ୍ୟକଳାପ ବହୁତ କମିଥିଲେ ମଧ୍ୟ ୪ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି କଣ ପାଇଁ ବୋଲି ବିଜେଡି ପ୍ରଶ୍ନ ଉଠାଇଛି । ରାଜ୍ୟ ନିର୍ବାଚନ ଅଧିକାରୀ ବିଜେପି ଦ୍ବାରା ପ୍ରଭାବିତ ହୋଇଛନ୍ତି ବୋଲି କହିଛି ବିଜେଡି । ମୁକ୍ତ ଓ ଅବାଧ ନିର୍ବାଚନ କରିବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କୁ ବିଜେଡି ଅନୁରୋଧ କରିବ ବୋଲି ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଅନ୍ୟପଟେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ ହୋଇଛି । ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିଜେପି ଅଭିଯୋଗ ଆଣିଛି । ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ଏବେବି ବିଭିନ୍ନ ସରକାରୀ ଯୋଜନାର ହୋଡିଂ ମରାଯାଇଛି । ନିର୍ବାଚନ ଘୋଷଣା ହେବା ପରେ ସଙ୍ଗେ ସଙ୍ଗେ ହୋଡିଂ କାଢିବା କଥା । କିନ୍ତୁ କାଳିଆ ଯୋଜନା, ରାସନ କାର୍ଡ ବାଣ୍ଟିବା ଭଳି ହୋଡିଂ ମାନ ମରାଯାଇଛି । ଗାଁ ଗହଳିରୁ ଆରମ୍ଭ କରି ସବୁ ସ୍ଥାନରେ ମରାଯାଇଛି ହୋଡିଂ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.