ନିଯୁକ୍ତିକୁ ରାଜନୀତି : ଏମାନେ ଘେରିଲେ, ସେମାନେ ବି ଘେରିଲେ

Published By : Prameya-News7 Bureau | November 05, 2018 IST

ଭୁବନେଶ୍ବର ୫|୧୧: ବେକାରୀ ପ୍ରସଙ୍ଗକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ବିଜେପି ଓ ବିଜେଡି । ରାଜ୍ୟ ସରକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ଆରୋପରେ ଆଜି ରାଜ୍ୟର ସବୁ ଜିଲ୍ଲାର ଏମ୍ପଲଏମେଣ୍ଟ ଏକ୍ସେଚେଞ୍ଜରେ ତାଲା ପକା ଅଭିଯାନ କରିଥିଲା ବିଜେପି ଯୁବ ମୋର୍ଚ୍ଚା।  ସେପଟେ ରାଜ୍ୟରେ ଥିବା ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାରେ ନିଯୁକ୍ତି ଦାବି କରି କେନ୍ଦ୍ରୀୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲା ଯୁବ ବିଜେଡି ।  ଏହାକୁ ନେଇ ଯୋର ଧରିଛି ରାଜ୍ୟ ରାଜନୀତି । ନିଯୁକ୍ତିକୁ ନେଇ ରାଜନୀତି ଜୋର ଧରିଛି ।  ବିଜେପି-ବିଜେଡି ମୁହାଁ ମୁହିଁ ହୋଇଛନ୍ତି। ବେକାରୀ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଦୁଇ ଦଳ ।  ରାଜ୍ୟ ସରକାର ନିଯୁକ୍ତି ଦେବାରେ ବିଫଳ ହୋଇଥିବା ଅଭିଯୋଗ କରି ବିଜେପି ଯୁବ ଏମ୍ପଲୟମେଣ୍ଟ ଅଫିସରେ ତାଲା ପକା ଅଭିଯାନ କରିଛି । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସାରା ରାଜ୍ୟର ନିୟୋଜନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ବରରେ ବିଜେପି ଯୁବମୋର୍ଚ୍ଚା ଶ୍ରମ ନିୟୋଜନ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଧସେଇ ପଶିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା । ସେହିପରି ଖୋର୍ଦ୍ଧା ପୁରୀ, ବ୍ରହ୍ମପୁର, ଜୟପୁର ପ୍ରଭୃତି ସ୍ଥାନରେ ବିଜେପି ଘେରାବନ୍ଦୀ କରିଥିଲା। ବିଜେପିକୁ କାଉଣ୍ଟର କରିବାକୁ ବିଜେଡିବି ବେକାରୀ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଥିଲା । ବେରୋଜଗାର ପ୍ରସଂଗରେ କେନ୍ଦ୍ର ସରକାରୀ ଅଧିନ ବିଭିନ୍ନ ସଂସ୍ଥା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେଡି। ବେରୋଜଗାର ନେଇ କେବଳ ରାସ୍ତାରେ ନୁହେଁ ପ୍ରସଙ୍ଗକୁ ନେଇ ବି ବାକଯୁଦ୍ଧ ଚାଲିଛି । ନିଯୁକ୍ତି ମେଳା ନାଁରେ ରାଜ୍ୟ ସରକାର ୪୨ ହଜାର ଯୁବକ ଯୁବତୀଙ୍କଠୁ ଶହେ ଟଙ୍କା ଲେଖାଏଁ ଆଦାୟ କରିଥିଲେ । ହେଲେ ନିଯୁକ୍ତି ଦେଲେନି କି ଟଙ୍କା ଫେରସ୍ତ କଲେନି ବୋଲି ବିଜେପି କହିଛି । ସେପଟେ ୧୪ ସାଧାରଣ ନିର୍ବାଚନ ସମୟରେ ବିଜେପି ବର୍ଷକୁ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇଥିଲେ ବି ତାହା ପୂରଣ କରି ନଥିବା ଆରୋପ ଆଣିଛି ବିଜେଡି । ଅନ୍ୟପକ୍ଷରେ ବିଜେପି ଓ ବିଜେଡି ବେକାରୀ ସମସ୍ୟା ନେଇ ଡ୍ରାମା କରୁଛନ୍ତି ବୋଲି କହିଛି କଂଗ୍ରେସ । ଆଗକୁ ସାଧାରଣ ନିର୍ବାଚନ । ଏଥିରେ ବେକାରୀ ଏକ ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଛି, ତାହା ଦଳଗୁଡ଼ିକର କାର୍ଯ୍ୟଧାରାରୁ ସ୍ପଷ୍ଟ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.