ସୁନ୍ଦରଗଡ, ୧୪/୧୧: ସୁନ୍ଦରଗଡ ସଦର ବିଧାନସଭା ନିର୍ବ।ଚନ ମଣ୍ଡଳୀର କୁଣ୍ଡୁକେଲା ଠାରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ସହ କର୍ମୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ମିଶ୍ରଣ ପର୍ବରେ ୪ଟି ବ୍ଲକ୍ର ବିଜେପି ଏବଂ କଂଗ୍ରେସ ଦଳର ବହୁ କର୍ମୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶି ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡାଇ, ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ ସିଂ, ସଦର ବ୍ଲକ ଉପାଧ୍ୟକ୍ଷ ଅଶ୍ବିନୀ ନାଏକ ସମେତ ବହୁ ବିଜେଡି ନେତା ଉପସ୍ଥିତ ରହିଥିଲେ।
ବିଜେପି ଓ କଂଗ୍ରେସର ବହୁ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଲୋକପ୍ରିୟତାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଥିଲେ। କର୍ମୀ ସମ୍ମିଳନୀରେ ଆଗାମୀ ପଂଚାୟତ ନିର୍ବ।ଚନରେ ଜନସାଧାରଣଙ୍କ ନିକଟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲୁଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ଦେବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ତା ସହ ପ୍ରତି ବୁଥ୍ ଅଂଚଳରେ ଦଳୀୟ କର୍ମକର୍ତ୍ତା ଦଳର ବିଜୟ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବାକୁ ମଧ୍ୟ ନେତା ମାନେ ପରାମର୍ଶ ଦେଇଥିଲେ। ବିଜେଡି କିପରି ଭାବେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦକୁ ହାତେଇ ପାରିବ, ସେ ରଣକୌଶଳ ସମ୍ପର୍କରେ ଆଲୋଚନା କରାଯାଇଥିଲା।