ପୁଅର ନାଁ ପୁଟିନ୍ ରଖି ଫସିଗଲେ ଦମ୍ପତ୍ତି: ତୁରନ୍ତ ନାମ ବଦଳାଇବାକୁ ନିର୍ଦ୍ଦେଶ, କଡ୍ଡାକଡି ହେଲା ନାମକରଣ ନିୟମ

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ ୧୭/୦୯ ନିଜ ପିଲାର ସୁନ୍ଦର ନାଁ ରଖିବାକୁ କାହାର ବା ଇଛା ନଥାଏ । ଅନେକ ଅଭିଭାବକ ସହଜରେ ମନେରଖି ହେଉଥିବା ଏବଂ ପ୍ରେରଣାପ୍ରଦ ନାଁ ନିଜ ପିଲାଙ୍କ ପାଇଁ ବାଛନ୍ତି । କିନ୍ତୁ ଏଠାରେ ଜଣେ ଦମ୍ପତି ନିଜ ପିଲାର ଏଭଳି ନାଁ ରଖିଛନ୍ତି, ଯେଉଁଥିପାଇଁ ସେମାନେ ଆଇନଗତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସ୍ୱିଡେନ୍‌ରେ ଏହି ଘଟଣା ସାମ୍ନାକୁ ଆସିଛି । ଲାହୋମ ବାସିନ୍ଦା ଜଣେ ଦମ୍ପତି ନିଜ ପୁଅର ନାମ ଭ୍ଲାଦିମିର ପୁଟିନ ରଖି ଅଡୁଆରେ ପଡ଼ିଛନ୍ତି ।

ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ନାମ ଅନୁସାରେ ପୁଅର ନାମକରଣ ନ କରିବାକୁ ସ୍ୱିଡିଶ୍‌ ଟ୍ୟାକ୍ସ ଏଜେନ୍ସି ସ୍କେଟ୍‌ଭର୍କେଟ୍‌ ଉକ୍ତ ଦମ୍ପତିଙ୍କୁ ନିର୍ଦ୍ଦେଶ ଦେଇଛି । ରିପୋର୍ଟ ଅନୁସାରେ, ସ୍ୱିଡେନ୍‌ର ସମସ୍ତ ଅଭିଭାବକ ସନ୍ତାନ ଜନ୍ମ ହେବାର ପ୍ରଥମ ୩ ମାସ ମଧ୍ୟରେ ସେମାନଙ୍କ ନାଁ ବିଷୟରେ ସ୍କେଟ୍‌ଭର୍କେଟ୍‌କୁ ରିପୋର୍ଟ କରିବେ । ଲାମ୍‌ ନାମକରଣ ନିୟମ ଅନ୍ତର୍ଗତ ଏହାକୁ ବାଧ୍ୟତାମୂଳକ କରାଯାଇଛି ।

ଏହି କ୍ରମରେ ଟ୍ୟାକ୍ସ ଏଜେନ୍ସି ଭ୍ଲାଦିମିର ପୁଟିନ ନାଁକୁ ଗ୍ରହଣ କରିନାହିଁ । କାରଣ ସ୍ୱିଡିଶ୍‌ ନିୟମ ଅନୁସାରେ, ଅସହଜ ମନେ ହେଉଥିବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ରଖାଯାଇଥିବା ନାଁ ଗ୍ରହଣ କରାଯିବ ନାହିଁ । ବ୍ୟକ୍ତିର ପ୍ରଥମ ନାଁ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିଲେ ମଧ୍ୟ ଗ୍ରହଣ କରାଯିବ ନାହିଁ ବୋଲି ନିୟମରେ ଉଲ୍ଲେଖ ହୋଇଛି । ନାଁ ବଦଳାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ବି ଏହି ନିୟମ ଲାଗୁ ହୁଏ ।

ନାମକରଣକୁ ନେଇ ଏତେ କଡ଼ା ନିୟମ ସତ୍ତ୍ୱେ ପରିସଂଖ୍ୟାନରୁ ଜଣାପଡ଼ିଛି, ଦେଶରେ ୧,୪୧୩ ଜଣଙ୍କ ନାଁ ଭ୍ଲାଦିମିର । କିନ୍ତୁ ମାତ୍ର ଦୁଇ ଜଣଙ୍କ ନାଁ ପୁଟିନ । ପୂର୍ବରୁ ଏହି ଟ୍ୟାକ୍ସ ଏଜେନ୍ସି ଫର୍ଡ, ପିଲଜନର୍‌, କ୍ୟୁ, ଆଲ୍ଲା ଭଳି ନାଁକୁ ପ୍ରତ୍ୟାଖ୍ୟାନ କରିଛି । କିନ୍ତୁ ଗୁଗଲ୍‌ ଓ ମେଟାଲିକା ନାଁକୁ ଅନୁମତି ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.