ପ୍ରବଳ ଥଣ୍ଡା ହେଲା କାଳ, ପୁଣି ଜଣେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ

Published By : Prameya-News7 Bureau | January 01, 2021 IST

ନୂଆଦିଲ୍ଲୀ ୦୧/୦୧: ନୂଆବର୍ଷର ପ୍ରଥମ ଦିନରେ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି ଥଣ୍ଡା। ୧୫ ବର୍ଷର ରେକର୍ଡ ଭାଙ୍ଗି ପାରଦ ୧.୧ ଡିଗ୍ରି ସେଲସିୟସ୍‌ରେ ପହଞ୍ଚିଥିଲା। ଲଗାତର ଦିଲ୍ଲୀରେ ଥଣ୍ଡା ବଢ଼ୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ପାଇଁ କାଳ ସାଜିଛି ପ୍ରବଳ ଥଣ୍ଡା। ନୂଆ କୃଷି ନିୟମ ବିରୋଧରେ ଆନ୍ଦୋଳନରେ ସାମିଲ ହୋଇଥିବା ଆଉ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ସ୍ଥିତ ଗାଜିପୁରରେ ଆନ୍ଦୋଳନରତ କୃଷକ ଗଲନ ସିଂହ ତୋମରଙ୍କ ପ୍ରବଳ ଥଣ୍ଡା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ବାଗପତ ଜିଲ୍ଲାର ମୋଜିଦାବାଦ ବାସିନ୍ଦା ଗଲନ ସିଂହ ନଭେମ୍ବରରୁ ଆନ୍ଦୋଳନରେ ସାମିଲ ଥିଲେ। ଗଲନ ସିଂହଙ୍କ ବୟସ ୬୫ରୁ ୭୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ପ୍ରବଳ ଥଣ୍ଡା ପାଇଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପ୍ରଥମିକ ମେଡିକାଲ୍‌ ପରୀକ୍ଷାରେ ଜଣାପଡ଼ିଛି ବୋଲି ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବରରୁ ଜଣାପଡ଼ିଛି।

ନୂଆ କୃଷି ନିୟମ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ବର୍ଡରରେ ହଜାର ହଜାର ଚଷୀ ଦୀର୍ଘ ଦିନ ଧରି ଡେରା ପକାଇଛନ୍ତି। ପ୍ରବଳ ଥଣ୍ଡା ସାଙ୍ଗକୁ ଅନ୍ୟ ପ୍ରତିକୂଳ ପରିସ୍ଥିତିରେ ଚାଷୀ ନିଜ ଦାବିରେ ଅଡ଼ି ବସିଛନ୍ତି। ପ୍ରାୟ ଚାଷୀ ବୟାସାଧିକ୍ୟ କାରଣରୁ ଅସୁସ୍ଥ ହେଉଥିବା ବି ଦେଖିବାକୁ ମିଳିଛି।

ନଭେମ୍ବର ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନରେ ଗଲନ ସିଂହଙ୍କ ପରି ଆଉ ଜଣେ ୩୮ ବର୍ଷୀୟ ଚାଷୀ ଭୀମ ସିଂହ ମଧ୍ୟ ପ୍ରବଳ ଥଣ୍ଡା ଯୋଗୁ ପ୍ରାଣ ହରାଇଥିଲେ। ଅନ୍ୟ ଜଣେ ଚାଷୀ ଜୟ ସିଂହ ଅସୁସ୍ଥତା ପାଇଁ ମୃତ୍ୟୁବରଣ କରିଛନ୍ତି। ତେବେ ଚା​‌ଷୀ ଓ ସରକାରଙ୍କ ମଧ୍ୟରେ ୬ ଥର ଆଲୋଚନା ହେବା ପରେ ମଧ୍ୟ ଦାବି ପୂରଣ ହୋଇପାରିନାହିଁ। ୨ ଟି ଦାବିରେ ସହମତି ପ୍ରକାଶ ପାଇଥିବା ବେଳେ ପୁଣି ୪ ତାରିଖରେ ଚାଷୀ ଓ ସରକାରଙ୍କ ବୈଠକ ହେବାର ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.