ତେଲେଙ୍ଗାନା ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ମିଳିପାରେ ଅତିରିକ୍ତ ଦାୟିତ୍ବ

Published By : Prameya-News7 Bureau | July 21, 2019 IST

ଭୁବନେଶ୍ବର ୨୧|୭: ଆନ୍ଧ୍ରପ୍ରଦେଶ ସହ ତେଲେଙ୍ଗାନା ରାଜ୍ୟପାଳ ଭାବେ ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ମିଳିପାରେ ଅତିରିକ୍ତ ଦାୟିତ୍ବ | ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କେନ୍ଦ୍ର ସରକାର ସୁପାରିସ କରିଥିବା ସୂଚନା ମିଳିଛି | ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏନେଇ ସ୍ପଷ୍ଟ ହେବ |

ବୁଧବାର ପୂର୍ବାହ୍ନ ୧୧ଟା ୩୦ରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେବେ ବିଶ୍ବଭୂଷଣ ହରିଚନ୍ଦନ | ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟପାଳ ଭାବେ ମହାମହିମ ଶବ୍ଦ ବ୍ୟବହାର କରିବି ନାହିଁ | ସେବକ ଭାବେ କାର୍ଯ୍ୟ କରିବି | ଆନ୍ଧ୍ର-ଓଡ଼ିଶା ସାଂସ୍କୃତିକ ସଂପର୍କ ବୃଦ୍ଧି ଲାଗି ପ୍ରୟାସ କରିବି ବୋଲି ସେ କହିଛନ୍ତି |

ସୂଚନାଯୋଗ୍ୟ ଯେ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ କରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ବହୁ ରାଜନେତା ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ରହିଛନ୍ତି । ହରେକୃଷ୍ଣ ମହତାବ ବମ୍ବେର ରାଜ୍ୟପାଳ ଥିଲେ । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆସାମର ରାଜ୍ୟପାଳ ଥିଲେ । ଲୋକନାଥ ମିଶ୍ର ମଧ୍ୟ ଆସାମର ରାଜ୍ୟପାଳ ଥିଲେ । ତିନ୍ତାମଣି ପାଣିଗ୍ରାହୀ ମଣିପୁରର ରାଜ୍ୟପାଳ ଥିଲେ । ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡ ରାଜ୍ୟପାଳ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.