ଭୋଗରାଇ ୦୨।୧୧: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମନ୍ଦାରସାହି କାଳାହୀ ଗାଁରେ ଅଘଟଣ । ପାରିବାରିକ ବିବାଦ ନେଇ ବିଷ ପିଇଲେ ଦମ୍ପତ୍ତି । ବିବାହକୁ ମାତ୍ର ବର୍ଷେ ପୂରିଥିବା ବେଳେ ଜୀବନ ଉପରୁ ମୋହ ତୁଟାଇଦେଲେ ଦମ୍ପତ୍ତି । ଘରର କବାଟ ଦେଇ ବିଷ ପିଇଲେ ସ୍ୱାମୀ-ସ୍ତ୍ରୀ । ଚିକିତ୍ସୀଧୀନ ଅବସ୍ଥାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବେ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଖବର ଅନୁଯାୟୀ, କାଳାହୀ ଗ୍ରାମର ରବୀନ୍ଦ୍ର ଜେନାଙ୍କ ଦୁଇ ପୁଅ କେରଳରେ ରହି କାମ କରନ୍ତି । ବଡ଼ପୁଅ ଜୟନ୍ତ (୨୯) ପ୍ରାୟ ବର୍ଷେ ପୂର୍ବେ ଭୋଗରାଇ ବ୍ଲକ କୁମ୍ଭାରମୂଳି ପଞ୍ଚାୟତ ହାଣ୍ଡିପଡ଼ା ଗାଁର ସର୍ବେଶ୍ୱର ବେହେରାଙ୍କ ଝିଅ ଅର୍ଚ୍ଚନା (୨୨)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ଅର୍ଚ୍ଚନା ଶାଶୂ-ଶ୍ୱଶୁରଙ୍କ ସହ ଗାଁରେ ରହୁଥିଲା ବେଳେ ଜୟନ୍ତ କାମ କରିବାକୁ କେରଳରେ ରହୁଥିଲେ । ତେବେ ଗୁରୁବାର ଦିନ ଜୟନ୍ତ ଘରକୁ ଫେରିଥିଲେ । କିନ୍ତୁ ଶନିବାର ସଂଧ୍ୟାରେ ଜୟନ୍ତ ଓ ଅର୍ଚ୍ଚନାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଯାହାଫଳରେ କି ଉଭୟ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ । ରାତି ପ୍ରାୟ ୯ଟାରେ ସମୟରେ ଘର କବାଟ ଦେଇ ଉଭୟ ବିଷ ପିଇ ଦେଇଥିଲେ । ଘର କବାଟ ବନ୍ଦ ଥିବାବେଳେ ଭିତରୁ ବିଷର ଉତ୍କଟ ଗନ୍ଧ ବାରି ଜୟନ୍ତଙ୍କ ବାପା-ମାଆ କବାଟ ବାଡ଼େଇ ଡାକିଥିଲେ । ହେଲେ ଭିତରୁ କୌଣସି ଉତ୍ତର ମିଳିନଥିଲା ।
ଶେଷରେ ପରିବାର ଲୋକେ ବ୍ୟସ୍ତ ହୋଇ ପଡୋଶୀଙ୍କୁ ଜଣାଇଥିଲେ । ପଡ଼ୋଶୀ ଲୋକଙ୍କ ସହାୟତାରେ କବାଟ ଭଙ୍ଗା ଯାଇଥିଲା ।କବାଟ ଭାଙ୍ଗିବା ମାତ୍ରେ ଦେଖିବାକୁ ମିଳେକି, ଉଭୟ ଅଚେତ ଅବସ୍ଥାରେ ପଡିରହିଛନ୍ତି । ଜୟନ୍ତ, ଅର୍ଚ୍ଚନାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ରବିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଜୟନ୍ତଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।